କାଳଷଣ୍ଢପୁର - ଗୋଲା ଦାମୋଦର ପଲ୍ଲୀ ରାସ୍ତା ଶୋଚନୀୟ
ଆସିକା: ଗୋପାଳପୁର ଠାରୁ ଖରିଆର ରୋଡ ଯାଇଥିବା ଜାତୀୟ ରାଜପଥ ୫୯ର କାଳଷଣ୍ଢପୁର ଠାରୁ ଗୋଲା ଦାମୋଦରପଲି ପର୍ଯ୍ୟନ୍ତ ତିନି କିମି ରାସ୍ତା ଶୋଚନୀୟ ହୋଇପଡିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେଉଥିବାବେଳେ ନିଘୋଡ ନିଦ୍ରାରେ ଜାତୀୟ ରାଜପଥ ଅଧିକାରୀ । ବ୍ରହ୍ମପୁର ଠାରୁ ଆସିକା ଦେଇ ଧରାକୋଟ, ସୋରଡ଼ା, ଦାରିଂବାଡି, ବାଲିଗୁଡା ଯିବା ପାଇଁ ପ୍ରତିଦିନ ଲୋକେ ବିଭିନ୍ନ ଗାଡି ମଟରରେ ଏହି ରାଜପଥ ୫୯ ଉପରେ ନିର୍ଭର କରିଥାଆନ୍ତି । ହେଲେ ଦୀର୍ଘ ଚାରି ବର୍ଷ ପୂର୍ବରୁ ଏକ ନିର୍ମାଣକାରୀ ସଂସ୍ଥା ଏହି ରାଜପଥ ନିର୍ମାଣ ପାଇଁ ଠିକା ନେଇ ଜାତୀୟ ରାଜପଥ ବିଭାଗ ସହ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହା ସରିନାହିଁ । ସଂପୃକ୍ତ ତିନି କିମି ରାସ୍ତା ମଧ୍ୟରେ କାଳଷଣ୍ଢପୁର ଓ ଗୋଲା ଦାମୋଦରପଲି ଗାଁ ରହିଛି । ବର୍ତ୍ତମାନ ସୁଦ୍ଧା ଉଭୟ ଗାଁରେ ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହୋଇନାହିଁ । ଏଣୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଯାହାଫଳରେ ରାସ୍ତା ସାରା ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ନିତିଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଆଶ୍ଚର୍ଯ୍ୟର କଥା ବ୍ରହ୍ମପୁର ଜାତୀୟ ରାଜପଥ ଡ଼ିଭିଜନ ଅଧୀନରେ ଏହି ଅଞ୍ଚଳ ଆସୁଛି । ଏହାର ତଦାରଖ ପାଇଁ ଆସିକା ସୋରଡ଼ାରେ ସେକ୍ସନ କାର୍ଯ୍ୟାଳୟ ରହିଛି । ପ୍ରତିବର୍ଷ ମେନ୍ଟେନେନ୍ସ ନାମରେ ରାସ୍ତା ପାର୍ଶ୍ୱର ଲତାବୁଦା ସଫା ଓ ପଟ ହୋଇ ମାରିବା ନାମରେ ବିଭାଗୀୟ ଅଧିକାରୀମାନେ ହାତ ଚିକଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଏହି ତିନି ରାସ୍ତାର ଠିକଣା ଭୁଲି ଯାଉଥିବା ଭଳି ମନେ ହେଉଛି । ସଂପୃକ୍ତ ଦୁଇଟି ଗାଁର ଲୋକେ ବର୍ଷାଦିନେ କର୍ଦ୍ଦମାକ୍ତ ପରିବେଶରେ ରହି ଅଣନିଶ୍ୱାସୀ ହୋଇ ପଡ଼ିଲେଣି । ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବା କାରଣରୁ ସଂପୃକ୍ତ ଅଞ୍ଚଳରେ ଖାଲଖମା ହୋଇ ମଶା, ମାଛି ବଂଶ ବିସ୍ତାର କରୁଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଲାଣି । ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିବା ବେଳେ ଫୋନ ଉଠାଉନାହାନ୍ତି । ସରକାର ସଡ଼କ ସୁରକ୍ଷା ଜୀବନ ରକ୍ଷା ଡାକ ଦେବା ସହ ଉତ୍ତମ ସଡ଼କ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଏହି ତିନି କିମି ରାସ୍ତା ନିର୍ମାଣ ପାଇଁ ରାଜପଥ ବିଭାଗ କାହିଁକି ପଛୁଆ ହେଉଛି ତାହା ସାଧାରଣ ଲୋକ ଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।