ବିଦେଶୀ ପକ୍ଷୀଙ୍କ ଆଗମନରେ ମୁଖରିତ ଭିତରକନିକା 

 ରାଜନଗର: ଶୀତ ଋତୁର ଆରମ୍ଭରେ ଭିତରକନିକା ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠିଲାଣି । ରଙ୍ଗ ବେରଙ୍ଗର ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଉପସ୍ଥିତି ଜାତୀୟ ଉଦ୍ୟାନର ଆଭ୍ୟନ୍ତର ଅଞ୍ଚଳ ସହ ଗହୀରମଥା ଓ ବିଭିନ୍ନ ଜଳାଶୟ, ପାଣି ଜମିରହୁଥିବା ସ୍ଥାନରେ ଦେଖିବାକୁ ମିଳିଲାଣି । ବିଶେଷକରି ପୁରୁଣା ସାତଭାୟାରେ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି । ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଭାରତକୁ ଆସିଥାନ୍ତି । ଶୀତଋତୁର ଆରମ୍ଭରେ ଏହି ପକ୍ଷୀମାନେ ଆସିବା ସହିତ ଗ୍ରୀଷ୍ମଋତୁର ଆରମ୍ଭରେ ଫେରି ଯାଇଥାନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ପକ୍ଷୀଙ୍କ ଭୂସ୍ୱର୍ଗ ଭାବେ ପରିଚିତ । 
ଜାତୀୟ ଉଦ୍ୟାନର ମଠଆଡିଆ, ସାତଭାୟା, ଗହୀରମଥା, ମଙ୍ଗଳାଡିଆ, ହଂସିଣା, ରାଇପାଟିଆ, ଜଉଦିଆ, ଗୋଜ, ଦୂର୍ଗାପ୍ରସାଦଡିଆ, ଚିଂଚିରୀ ମୁହାଣ, ବରୁଣେଇ ମୁହାଣ, ଧାମରା ମୁହାଣ, ଜଟଧାରତଣ୍ଡା, ପାରାଦୀପ ପିପିଏଲରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ସମାଗମ ହେବାରେ ଲାଗିଛି ।  ଶୀତ ଆରମ୍ଭରେ ବିଦେଶୀ ପକ୍ଷୀଙ୍କ ଆଗମନ ପର୍ଯ୍ୟଟକମାନଙ୍କ ମନରେ ଖୁସି ଭରି ଦେଉଛି । ଏହି ଅଞ୍ଚଳରେ ସେମାନଙ୍କ ଉପଯୋଗୀ ଖାଦ୍ୟ ଛୋଟ ଛୋଟ ମାଛ, କଙ୍କଡା ଓ ପୋକ ଜୋକ, ଗେଣ୍ଡା ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ସୂର୍ଯେ୍ୟାଦୟରୁ ସୂର୍ଯ୍ୟାସ୍ତ ଯାଏଁ ସେମାନଙ୍କ କଳରବରେ ମୁଖରିତ ହୋଇଉଠୁଛି । ବନବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଦଳ ଗଠନ କରିବାକୁ ପ୍ରକୃତି ପ୍ରେମୀ ଓ ପରିବେଶବିତମାନେ ଦାବି କରିଛନ୍ତି ।