କୁଆଖିଆ ମହୋତ୍ସବକୁ ରାଜ୍ୟସ୍ତରୀୟ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

 କୁଆଖିଆ: କୁଆଖିଆ ଲକ୍ଷ୍ମୀନାରାୟଣ ପୁଜା ଅବସରରେ ସାରଙ୍ଗପୁର ମେଲଣ ପଡିଆରେ ଅନୁଷ୍ଠିତ ହେଉଥିବା କୁଆଖିଆ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଭାରପ୍ରାପ୍ତ ବିଡିଓ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ମହୋତ୍ସବର କଳେବର ବୃଦ୍ଧି କରିବା ସହ ଏହାକୁ ଏକ ରାଜ୍ୟସ୍ତରୀୟ ମହୋତ୍ସବ ଭାବରେ ପରିଚିତ କରାଇବାକୁ ପ୍ରଚେଷ୍ଟା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ଉଭୟ କୋରେଇ ଓ ଧର୍ମଶାଳା ବିଧୟକଙ୍କ ପକ୍ଷରୁ ଏଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ମହୋତ୍ସବରେ ରାଜ୍ୟ ଓ ଜାତୀୟ ସ୍ତରରେ ପରିଚୟ ହାସଲ କରିଥିବା ଓଡିଶାର ବିଭିନ୍ନ ଲୋକକଳା ପ୍ରଦର୍ଶିତ ହେଉଥିବା ବେଳେ ଏଥିରେ ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା ଭଳି ଅଧିକରୁ ଅଧିକ ସରକାରୀ ପ୍ରୋତ୍ସାହିତ କାର୍ଯ୍ୟକ୍ରମ କରାଯିବ ବୋଲି ମଧ୍ୟ ଶ୍ରୀ ନାୟକ ପ୍ରକାଶ କରିଥିଲେ । ବୈଠକରେ ଉପସ୍ଥିତ କୁଆଖିଆ ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ମହୋତ୍ସବ ଓ ଲକ୍ଷ୍ମୀନାରାୟଣ ପୁଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ବାହିନୀ ସହ ସ୍ୱେଛାସେବୀ ମିଳିତ ଭାବରେ କାମ କରିବାକୁ ପରାମର୍ଶ ଦେଇଥିଲେ । ପାନୀୟଜଳ ଯୋଗାଣ, ଅଗ୍ନୀସମ ବାହିନୀ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କର୍ମଚାରୀ ଉପସ୍ଥିତ ରହିବା ସହ ଆବଶ୍ୟକ ସମୟରେ ତ୍ୱରିତ ସେବା ଯୋଗଇବାକୁ ନିଷ୍ପତି ହୋଇଥିଲା । ମହୋତ୍ସବ କମିଟି ସଭାପତି ଶିଶିର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ପୁଜା କମିଟି ସମ୍ପାଦକ ଅଶୋକ କୁମାର ବିଶ୍ୱାଳ, ମହୋତ୍ସବ କମିଟି ସଂପାଦକ ସନ୍ତୋଷ କୁମାର ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶଶଭୂଷଣ ସାହୁ, ଫାର୍ମାଶିଷ୍ଟ୍ ଅମରେଶ ଦାଶ, ଆଗ୍ନିକ ରାମଚନ୍ଦ୍ର ବେହେରା ପ୍ରମୁଖ ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥି ସହିତମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟ ତଥା ସ୍ଥାନୀୟ ଲୋକଙ୍କୁ ଅଧ୍ୟକ୍ଷ ନିରଞ୍ଜନ ସାହୁ ନିବେଦନ କରିଥିଲେ । କମିଟି କୋଷାଧ୍ୟକ୍ଷ ଉମେଶ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଉଭୟ ଲକ୍ଷ୍ମୀନାରାୟଣ ପୁଜା କମିଟି ଓ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।