କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଇନମନ୍ତ୍ରୀଙ୍କୁ ଦାବିପତ୍ର

 ବାଲେଶ୍ୱର :  ରାଜ୍ୟ ଆଇନ୍ ଓ ଅବକାରୀ ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଅବସରରେ ସର୍କିଟ୍ ହାଉସ୍ରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କି୍ରୟାନୁଷ୍ଠାନ ସମିତିର ସାଧାରଣ ସମ୍ପାଦକ ଅଭୟ ଚନ୍ଦ୍ର ମିଶ୍ରଙ୍କ ସମେତ ସମିତିର ସଦସ୍ୟମାନେ ତାଙ୍କୁ ସ୍ମାରକପତ୍ର ପ୍ରଦାନ ସହ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ପ୍ରମୁଖ ଏହି ଦାବିକୁ ସମର୍ଥନ ଜଣାଇ ମାନ୍ୟବର ମନ୍ତ୍ରୀଙ୍କୁ ସେମାନଙ୍କ ମତ ପ୍ରଦାନ କରିଥିଲେ । ରାଜ୍ୟ ସରକାର ଗତ ଜାନୁଆରୀ ୧୬ ତାରିଖ ଦିନ ସମିତିର ସଭାପତି ଡ. କେଶବ ଚରଣ ପଣ୍ଡାଙ୍କୁ ଏକ ଚିଠିରେ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଲେ ଜଣାଇ ଦିଆଯିବ ବୋଲି ଦର୍ଶାଇଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଅନୁକୂଳ ମତାମତ ପ୍ରଦାନ କରିଥିବା ସଂପର୍କରେ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ପ୍ରତିନିଧିମାନେ ଅବଗତ କରାଇଥିଲେ । ଏଥିପାଇଁ ଯଥାସମ୍ଭବ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତ୍ରୀ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସମିତି ପକ୍ଷରୁ  କୁହାଯାଇଛି ।