କେନାଲ ଲାଇନିଂ କାର୍ଯ୍ୟର ଶିଳାନ୍ୟାସ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ୨ହଜାର ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ଲକ୍ଷ୍ୟରେ ବିଦ୍ୟାଧରପୁର କେନାଲ ଡିଭିଜନ ଅନ୍ତର୍ଗତ ୩ ଡିଷ୍ଟ୍ରିବୁ୍ୟଟୋରୀ କେନାଲ ଲାଇନିଂ କାର୍ଯ୍ୟର ଶିଳାନ୍ୟାସ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୨.୫କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କଲ୍ୟାଣୀ ଡିଷ୍ଟ୍ରିବୁ୍ୟଟୋରୀର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିରେ ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ବଡନୁଆଗାଁ ସରପଞ୍ଚ ରିନାକ୍ଷୀଲତା ନାୟକ, ବିଦ୍ୟାଧରପୁର କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଭାଗିରଥୀ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ନରହରି ପ୍ରଧାନ, କୁପାରୀ ସମିତି ସଭ୍ୟ ଅକ୍ଷୟ କୁମାର ଜେନା, ବର୍ତ୍ତନା ସମିତିସଭ୍ୟା ପ୍ରତିନିଧି ପତିତପାବନ କର ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ୨.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ପାଣିଛତ୍ର ଡଷ୍ଟ୍ରିବୁ୍ୟଟୋରୀ ଏବଂ ୨.୫କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ନହଙ୍ଗ ଡିଷ୍ଟ୍ରିବୁ୍ୟଟୋରୀ କେନାଲ ଲାଇନିଂ କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା । ଏହି ୨ ଶିଳାନ୍ୟାସ ଉତ୍ସବରେ ଭାଜପା ସଂଗଠକ ମାୟାଧର କୁଅଁର, ମନୋଜ ସ୍ୱାଇଁ, ଆନନ୍ଦବଲ୍ଲଭ ନାୟକ, ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବର୍ତ୍ତନା ଠାରେ କଲ୍ୟାଣୀ ଡଷ୍ଟ୍ରିବୁ୍ୟଟୋରୀ କାମ ପାଇଁ ଲଗାଯାଇଥିବା ଫଳକରୁ କେହି ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ନାମ ଲିଭାଇ ଦେବାକୁ ନେଇ ସେମାନଙ୍କ ସମର୍ଥକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।