ନିମ୍ନମାନର କାର୍ଯ୍ୟ, ଭୁଶୁଡ଼ିଲା ଗାଡ଼ିୱାଲ୍
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘରରେ ପରିଣତ ହୋଇଛି । କନିଷ୍ଠ ଯନ୍ତ୍ରୀ ଠିକାଦାର ଅସାଧୁ ମେଣ୍ଟ କରି ରାଜକୋଷରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି । ଏହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗରେ । ନିଶ୍ଚିନ୍ତକୋଇଲି ଗ୍ରାମ ଉନ୍ନୟନ ନିର୍ବାହୀ ସହକାରୀ ଯନ୍ତ୍ରୀଙ୍କ ଅଧିନରେ ନିଶ୍ଚିନ୍ତକୋଇଲି କାଜିହାଟ ଗ୍ରାମ୍ୟ ଉନ୍ନୟନ ରାସ୍ତା ରହିଛି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ରାସ୍ତାର ନିର୍ମାଣ କାର୍ଯ୍ୟ ହେଉଛି । ଏହି ରାସ୍ତାର ରାମକୃଷ୍ଣପୁର ଗ୍ରାମ ପଂଚାୟତ ଅର୍ଜୁନ ମାହାରା ନିକଟରେ ୮ ନଂ (କ) ଓ (ଖ) କେନାଲ ମଝିରେ ବେପରୁଆ ଭାବେ ଗାର୍ଡ ୱାଲ୍ ନିର୍ମାଣ କରାଯାଉଛି । ହେଲେ ନିର୍ମାଣ କାର୍ଯ୍ୟ ହେଉଥିବା ଢଳେଇରେ ସଠିକ୍ ଭାଗମାପରେ ଗୋଡି, ବାଲି, ସିମେଣ୍ଟ ଦିଆଯାଉ ନାହିଁ । ଫଳରେ ଏହି କାର୍ଯ୍ୟରେ ସ୍ଥାୟିତ୍ୱ ରହୁନାହିଁ । ଗୋଟିଏ ପଟର ଅନ୍ୟ ପଟକୁ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ନ ହୋଇଥିବା ବେଳେ ଆରମ୍ଭ ପଟରୁ ଗାର୍ଡୱାଲ୍ ଭୁଶୁଡି ପଡିବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଏହି କାର୍ଯ୍ୟ ନିର୍ମାଣ ସମୟରେ କୌଣସି ବିଭାଗୀୟ ଅନ୍ୟ ଅଧିକାରୀ ବା କର୍ମଚାରୀ ଉପସ୍ଥିତ ରହୁନଥିବାରୁ ଠିକାଦାର ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ, ନିଶ୍ଚିନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିଲା ବେଳେ କଟକ ସଦର ଓ ସାଲେପୁର ଗ୍ରାମ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏହି ଦାୟିତ୍ୱରେ ଥିବାରୁ ସଂପୂର୍ଣ୍ଣ ଜିଲ୍ଲାକୁ ତଦାରଖ କରିପାରୁନଥିବା କହିଛନ୍ତି । ସ୍ଥାନୀୟ ବିଧାୟକ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ନିଶ୍ଚିନ୍ତକୋଇଲି ସବ୍ଡିଭିଜନକୁ ଏକ ସ୍ଥାୟୀ ଅଫିସର ଯୋଗାଇ ଦେଲେ ସରକାରଙ୍କ ପକ୍ଷରୁ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ସୂଚାରୁ ରୂପେ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।