ଯୁବକଙ୍କ ଉନ୍ମତ୍ତ କାଣ୍ଡ; ଆକ୍ରମଣରେ ହୋଟେଲ ମାଲିକ ଆହତ

 ଧର୍ମଶାଳା : ଏହି ଥାନା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ନିକଟରେ ଥିବା ଆରବି ହୋଟେଲକୁ ଖାଇବାକୁ ଆସିଥିବା ଦୁଇ ଯୁବକ ମାଲିକକୁ ଗାଳିଗୁଲଜ ଓ ମାରପିଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଗୁରୁବାର ଅପରାହ୍ନରେ ସୁନ୍ଦରିଆ ଗ୍ରାମର ଦୁଇଜଣ ଯୁବକ ଖାଇବା ଅର୍ଡର ଦେବା ସହ ଟେବୁଲରେ ବସି ମୋବାଇଲ ଯୋଗେ କାହାକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ । ସେହି ସମୟରେ ହୋଟେଲରେ ଖାଉଥିବା ମହିଳା ଓ ଅନ୍ୟ ଗ୍ରାହକ ଅସନ୍ତୁଷ୍ଟ ହୋଇ ହୋଟେଲ ମାଲିକ ରଶ୍ମିରଞ୍ଜନ ରାୟଙ୍କୁ ଏସମ୍ପର୍କରେ କହିଥିଲେ । ହୋଟେଲ ମାଲିକ ଶ୍ରୀ ରାୟ ଗାଳିଗୁଲଜ ନକରିବାକୁ ଉକ୍ତ ଯୁବକ ଦ୍ୱୟଙ୍କୁ ଅନୁରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବକଦ୍ୱୟ ହୋଟେଲ ମାଲିକକୁ ଗାଳିଗୁଲଜ କରିଥିଲେ । ମାଲିକ ଥାନାକୁ ଫୋନ କରିଥିଲେ ହେଁ ପୁଲିସ ପହଁଚିବା ପୂର୍ବରୁ ଯୁବକଦ୍ୱୟ ତାଙ୍କ ସାଙ୍ଗମାନଙ୍କୁ ଡାକିଥିଲେ । ସେମାନଙ୍କ ୫ଜଣ ସାଙ୍ଗ ସେଠାରେ ପହଁଚି ଗାଳିଗୁଲଜ କରିବା ସହିତ ଟେକାପଥର ମାଡ କରିଥିଲେ । ମାଲିକ ଶ୍ରୀ ରାୟଙ୍କ ମୁଣ୍ଡରେ ପଥର ବାଜିରୁ ସେ ଆହତ ହୋଇଥିଲେ । ପରେ ପୁଲିସ ସେଠାରେ ପହଁଚିବା ସମୟରେ ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ ହୋଟେଲ ମାଲିକ ଶ୍ରୀ ରାୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।