କେନ୍ଦ୍ରମନ୍ତ୍ରୀଙ୍କୁ ସମବେଦନା ଜଣାଇଲେ ନେତା, ଜନତା
ତାଳଚେର: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଯାଇଛି । ଓଡିଶା ବିଜେପିର ପ୍ରାଣ ପ୍ରତିଷ୍ଠାତା ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ଥିଲେ । ତାଙ୍କର ସୁପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଆସି ହାଣ୍ଡିଧୂଆଁ ସ୍ଥିତ ବାସଭବନ ଓ ଦିନ ଦୟାଲ ନଗର ସ୍ଥିତ ବାସ ଭବନରେ ଦିନ ତମାମ ଅବସ୍ଥାନ କରିଥିଲେ । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମରୁ ହଜାର ହଜାର ଜନସାଧାରଣ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ସମବେଦନା ଜଣାଇଥିଲେ । ଡାକ୍ତର ପ୍ରଧାନଙ୍କ ବିୟୋଗରେ ହଜାର ହଜାର କାର୍ଯ୍ୟକର୍ତ୍ତା ନିଜର ମାର୍ଗଦର୍ଶକକୁ ହରାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବରିଷ୍ଠ ବିଜେପି ନେତା ପ୍ରାକ୍ତନ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ସମେତ ସବୁ ମଣ୍ଡଳର କାର୍ଯ୍ୟକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସମବେଦନା ଜଣାଇଥିଲେ । ଅନୁଗୁଳ ଜିଲ୍ଲାପାଳ ଅବଦଲ ଏମ୍ ଅଖତାର, ଆଇଜି ପୁଲିସ ସତ୍ୟବ୍ରତ ଭୋଇ, ଏସପି ରାହୁଲ ଜେନ, ଉପଜିଲ୍ଲାପାଳ ସମୀର ଜେନାଙ୍କ ସମେତ ସମସ୍ତ ପ୍ରଶାସନିକ ଓ ପୁଲିସ ଅଧିକାରୀ, ଏମସିଏଲ, ଏନଟିପିସି, ନାଲକୋ, ଟାଟା ସମସ୍ତ ଅଧିକାରୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସମବେଦନା ଜଣାଇଥିଲେ । ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଶ୍ରମିକ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ସାମାଜିଜ ସଂଗଠନ ଓ ବ୍ୟକ୍ତି ବିଶେଷ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ।