କମ ମଦ ଧରି ଅଧିକ ଦେଖାଇବା ଘଟଣା
- ରାଜନଗର ଓକିଲ ସଂଘର ସାମ୍ବାଦିକ ସମ୍ମିଳନୀ
ରାଜନଗର : ରାଜନଗର ପୁଲିସ ଆଇନ ବ୍ୟବସ୍ଥାକୁ ସମ୍ମାନ ଦେବା ପରିବର୍ତ୍ତେ ଲୋକଙ୍କୁ ମିଛ ମାମଲାରେ କୋର୍ଟ ଚାଲାଣ କରିବା ଘଟଣା ଏବେ ସବୁ ମହଲରେ ବିତର୍କ ସୃଷ୍ଟି କରିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନାର ଆଇଆଇଆସି ନରେଶ କୁମାର ସାହୁ ଖୋଲା ସଭାରେ କିପରି ଆଇନରେ ବ୍ୟବସ୍ଥା ନଥାଇ ମଧ୍ୟ ଲୋକଙ୍କୁ କୋର୍ଟ ଚାଲାଣ କରନ୍ତି ତାର ପୋଲ ଖୋଲିବା ପରେ ସବୁ ମହଲରେ କାର୍ଯ୍ୟନୁଷ୍ଟାନ ପାଇଁ ସ୍ୱର ଉଠିଲାଣି । ଆଜି ରାଜନଗର ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଆଇଆଇସିଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରାଯିବା ସହିତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଟାନ ଦାବି କରାଯାଇଛି । ରାଜନଗର ଓକିଲ ସଂଘ ଗୃହରେ ସଭାପତି ଉମେଶ ଚନ୍ଦ୍ର ଦାସ, ସମ୍ପାଦକ ଭଜକୃଷ୍ଣ ମିଶ୍ର, ବରିଷ୍ଟ ଆଇନଜୀବୀ ଲକ୍ଷ୍ମଣ କୁମାର ରାଉତ, ସରୋଜ କୁମାର ମହାନ୍ତି, ମନ୍ମଥ କୁମାର ରାଉତ, ବିଶ୍ୱନାଥ ବାରିକ, ପ୍ରଦୀପ କୁମାର ଦାସ, ଜନ୍ମଜୟ ବେହେରା, ଦେବଦତ୍ତ ସେଠୀ ପ୍ରମୁଖ ଆଇନଜୀବୀମାନେ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ନିନ୍ଦା କରିଛନ୍ତି । ଚଳିତ ମାସ ୨୨ ତାରିଖ ଦିନ ଥାନା ପରିସରରେ ପୁଲିସ ପକ୍ଷରୁ ଶାରଦୀୟ ଦୂର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ବୈଠକ ଡକାଯାଇଥିଲା । ବୈଠକରେ ଆଇଆଇସି ନରେଶ କୁମାର ସାହୁ ମଦ ନବାହାରିଲେ ମଧ୍ୟ ଅଧିକ ମଦ ଜବତ କରିଥିବା ଦର୍ଶାଇ ଜେଲ ପଠାଉଛୁ । ଗତ ଦୁଇ ଦିନ ଭିତରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛୁ । ୧୦ ଲିଟରରୁ କମ ମଦ ଜବତ କରି କୋର୍ଟ ଚାଲାଣ କଲେ ମାଜିଷ୍ଟ୍ରେଟ ଆମ ଉପରେ ବିଗୁଡୁଛନ୍ତି । ଫରୱାର୍ଡ ନକରିବା ପାଇଁ କହି ବେଲ ଦେଇ ଦେଉଛନ୍ତିପ୍ରୋଭିଜନ ଅନୁଯାୟୀ । ସେଥିପାଇଁ ମଦ ନବାହାରିଲେ ମଧ୍ୟ ଅଧିକ ମଦ ଦେଖାଇ କୋର୍ଟ ଚାଲାଣ କରୁଛୁ ବୋଲି ଆଇଆଇସି ଖୋଲା ବୈଠକରେ କହିବା ଓ ଏହାର ଭିଡିଓ ଭାଇରାଲ ହେବା ଘଟଣାକୁ ଦୃଢ ନିନ୍ଦା କରାଯାଇଛି ।