ଖଇରାକୁ ଏନ୍ଏସି ଘୋଷଣା ଦାବି : ଦ୍ୱିତୀୟ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଲେ ଅଞ୍ଚଳବାସୀ

ଖଇରା : ବାଲେଶ୍ୱର ଜିଲାର ଖଇରାକୁ ଏନଏସି ତାଲିକାରୁ ବାଦ ଦିଆଯିବା ପ୍ରତିବାଦରେ ଖଇରାବାସୀଙ୍କ ପ୍ରତିବାଦ ଓ ଆନେ୍ଦାଳନ ଅବ୍ୟାହତ ରହିଛି । ଖଇରା ସ୍ୱାଭିମାନ ମଞ୍ଚ ଆନୁକୂଲ୍ୟରେ ଖଇରା ବନ୍ଦ ପାଳନର ୨ଦିନ ପରେ ବିଜେଡି ପକ୍ଷରୁ ଶନିବାର ଖଇରା ବନ୍ଦକୁ ଖଇରାବାସୀ ପୂର୍ଣ୍ଣ ସମର୍ଥନ କରିଛନ୍ତି । ୬ଘଣ୍ଟାଧରି ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ସ୍କୁଲ କଲେଜ, ବ୍ଲକ, ତହସିଲ ବନ୍ଦ ରହିଥିଲା । ୪ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ପଥପ୍ରାନ୍ତ ସଭାରେ ବିଜେଡି ଜିଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନିଳିଗିରି ର ପ୍ରାକ୍ତନ ବିଧାୟକ ସୁକାନ୍ତ ନାୟକ, ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱରୁପ ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ବେହେରା ପ୍ରମୁଖ ଯୋଗଦେଇ ଖଇରାର ନ୍ୟାର୍ଯ୍ୟ ଦାବିକୁ ବିଜେପି ସରକାର ଛଡାଇ ନେଇଛନ୍ତି । ଏଣୁ ହକପାଇଁ ଲଢେଇ ଜାରି ରହିବା ଦରକାର । ବର୍ତ୍ତମାନ ସରକାରରେ ଥାନାରେ ଦଲାଲଗିରି ବେଳେ ଖଣି ଲୁଣ୍ଠନ ସୀମା ଲଙ୍ଘିଲାଣି  । ସୋର-କୁପାରୀ ଭଳି ପ୍ରମୁଖ ସଡକ ପଥ ସଜାଡିବାକୁ ଦୃଷ୍ଟି ଦିଆଯାଉନାହିଁ । କେବଳ ଏନଏସି ଦାବି ନୁହେଁ ସବୁ ଦୁର୍ନିତି ବିରୋଧରେ ବିଜେଡି ଲଢେଇ କରିବ ବୋଲି କହିଥିଲେ । ବିଭିନ୍ନ ପଞ୍ଚୟତର ଲୋକପ୍ରତିନିଧି ତଥା ଦଳୀୟ ନେତା ଜୟନ୍ତୀ ପତି, ରବିନ୍ଦ୍ର ବେହେରା, ବିଜୟ ବାରିକ, ମୁକେଶ ଜେନା, ରବିନ୍ଦ୍ର ମହାନ୍ତି, ଜିତେନ୍ଦ୍ର ବେହେରା, କମଳ ଲୋଚନ ଜେନା, ଟୁନି ଧିନ୍ଦା, ନାରାୟଣ ଦାସ, ଦମୟନ୍ତୀ ସିଂ ପ୍ରମୁଖ ଉପସ୍ଥିତ ରହି ପୁର୍ବରୁ ବିଜେଡି ସରକାରରେ ଏନଏସି ଭାବେ ଘୋଷିତ ଖଇରାର ଦାବିକୁ ବିଜେପି ସରକାର ପୁରଣ ନକଲେ ଏହାର ଜବାବ ଖଇରାବାସୀ ଦେବେ ବୋଲି ପ୍ରକାଶ କରିଥିଲେ ।