ଖତ ଖାଉଛି କମ୍ପୁ୍ୟଟର, ମିଳୁନି ଇ-ଶିକ୍ଷା
ବନ୍ତ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇସିଟି ଯୋଜନାରେ ୨୦୧୩ ମସିହାରେ ହାଇସ୍କୁଲ ସ୍ତରରେ ଆରମ୍ଭ ହୋଇଥିବା କମ୍ପୁ୍ୟଟର ଶିକ୍ଷା ୨୦୧୮ ମସିହାରୁ ଅଚଳ ହୋଇପଡ଼ିଛି । ରାଜ୍ୟରେ ୪ହଜାର ସ୍କୁଲରେ ଆଇସିଟି ଯୋଜନାରେ ନିର୍ମିତ ହୋଇଥିବା କମ୍ପୁ୍ୟଟର ଯୋଜନା ଅଚଳ ହୋଇପଡ଼ିବା ପରେ ସ୍କୁଲରେ କୌଣସି କମ୍ପୁ୍ୟଟର ଶିକ୍ଷକ ନଥିବାରୁ କଳା ଓ ବିଜ୍ଞାନ ଶିକ୍ଷକ ଏହି ଲ୍ୟାବର ଲାଭ ଉଠାଇପାରୁନାହାନ୍ତି । ଅପର ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ୟ ପର୍ଯ୍ୟାୟରେ ୨୦୧୬ ମସିହାରେ ୨୦୦୦ ଇ-ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଅଭିଯାନ ପକ୍ଷରୁ ୨୦୦୦ ଇ-ବିଦ୍ୟାଳୟ ପାଇଁ ୬ବର୍ଷ ହେଲାଣି ଟେଣ୍ଡର ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହୋଇଛି । ହେଲେ ଗଣଶିକ୍ଷା ବିଭାଗର ଆନ୍ତରିକତା ଅଭାବରୁ ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ । ପିଲାଙ୍କୁ ଇ-ବିଦ୍ୟାଳୟ ଯୋଜନାର ସୁଫଳ ମିଳୁନି । ଏହି ଯୋଜନା ପ୍ରତି ନୂତନ ସରକାରଙ୍କ ନଜର ପଡିବ କେବେ ବୋଲି ଅଭିଭାବକ ମହଲରେ ଦାବି କରିଛନ୍ତି । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ବିଚାରକୁ ନେଇ ଏହି କାର୍ଯ୍ୟକ୍ରମକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲେ ସୁଦ୍ଧା ଏହା ଆଜି ପର୍ଯ୍ୟନ୍ତ ପାଳିତ ହୋଇପାରିନାହିଁ । କମ୍ପୁ୍ୟଟର ଶିକ୍ଷା ଲାଭକରି ଆଗାମୀ ଦିନରେ ଡିଜିଟାଲ ଶିକ୍ଷା ଅଧ୍ୟୟନ ଜାରି ରଖ, ବୃଦ୍ଧି କର ଏବଂ ଅନଲାଇନ ସେବାରେ ନିଜର ପାରଦର୍ଶିତା ପଦର୍ଶନ କରିବାପାଇଁ ଆଶା ବାନ୍ଧି ଥିବା ପିଲାଙ୍କ ପାଇଁ ଏହା ଏବେ ସ୍ୱପ୍ନ ପାଲଟିଛି । ତେଣୁ ଓଡିଶା କେବେ ଡିଜିଟାଲ ହେବ ଓ ପ୍ରତ୍ୟେକ ଲୋକ ଘରେ ବସି କିପରି ଭାବରେ ଅନଲାଇନ ସେବା ପାଇପାରିବେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଇସିଟି ଯୋଜନାରେ ଓଡ଼ିଶା ସରକାର ୨୦୧୩ ମସିହାରେ ରାଜ୍ୟର ୪ହଜାର ହାଇସ୍କୁଲରେ କମ୍ପୁ୍ୟଟର ଶିକ୍ଷାର ଅଭିଯାନ ଆରମ୍ଭକରିଥିଲେ । ଏଥିପାଇଁ ୮୦୦କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା । ଏଥିରେ ୭୫ଭାଗ କେନ୍ଦ୍ରର ଓ ୨୫ ଭାଗ ରାଜ୍ୟର ଅବଦାନ ରହିବା ସହ ଅଭିଯାନକୁ ସଫଳ କରାଯିବାର ଲକ୍ଷ୍ୟ ରଖାଯାଇଥିଲା । ପରବର୍ତ୍ତୀ ମୁହୂର୍ତରେ ୨୦୧୪ ମସିହା ଫେବୃଆରୀ ମାସରେ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରିଥିଲେ । ଉକ୍ତ ଯୋଜନା ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ କମ୍ପୁ୍ୟଟର ଶିକ୍ଷାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା । ସେଥିପାଇଁ ଆଇଏଲଏଫଏସ ଓ ଟିସିଆଇଏଲ ସଂସ୍ଥାକୁ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ, ଓକେସିଏଲକୁ ଶିକ୍ଷକଙ୍କୁ ତାଲିମ ଦେବା ସହ ଇ-କଣ୍ଟେଣ୍ଟ ଡେଭଲପ କରିବା ସହ ତଦାରଖ ଦାୟିତ୍ୱ ଦିଆଯାଇଥିଲା । ଏବେ ଏହି ଯୋଜନା ଠପ ହୋଇଯାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଡିଜିଟାଲ ମାଧ୍ୟମରେ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲେ ସୁଦ୍ଧା ଏଥିନେଇ ଶିକ୍ଷକଙ୍କ ଜ୍ଞାନ କମ ଥିବାରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷରେ କୋଟି କୋଟି ଟଙ୍କାରେ କିଣାଯାଇଥିବା କମ୍ପୁ୍ୟଟର ବର୍ଷ ବର୍ଷ ଧରି ବ୍ୟବହାର ନହୋଇ ପଡ଼ି ରହିବା ଦ୍ୱାରା ଅଚଳ ହେବାରେ ଲାଗିଛି । ବିଭିନ୍ନ ପ୍ରକାର ପାରିପାର୍ଶିକ ପରିସ୍ଥିତିକୁ ଆଖ୍ୟାରେ ରଖି କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଡିଜିଟାଲ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ପିଲାମାନେ ଉକ୍ତ ସେବାରେ ଶିକ୍ଷା ଲାଭ କରିବା ପାଇଁ ବଞ୍ଚିତ ହେଉଛନ୍ତି । ତେଣୁ ନୂତନ ସରକାରଙ୍କ ଉକ୍ତ ଯୋଜନା ପ୍ରତି କେବେ ନଜର ପଡ଼ିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।