ଅଧାରେ ଅଟକିଛି ରଗଦା ଡ୍ୟାମ୍ ପଙ୍କୋଦ୍ଧାର କାର୍ଯ୍ୟ 

 କାଳିଆପାଣି: ଯାଜପୁର-ଢେଙ୍କାନାଳ ଜିଲ୍ଲାକୁ ସଂଯୋଗ କରୁଛି ରଗଦା ଡ୍ୟାମ୍ । ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଭୁକ୍ତ ରଗଦା ଡ୍ୟାମଟି ସୁକିନ୍ଦା ବ୍ଲକର ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତ ଏବଂ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ମରୁଆବିଲି ପଞ୍ଚାୟତ ରଗଦା ଠାରେ ଏହା ଦୁଇଟି ପାହାଡକୁ ସଂଯୋଗ କରି ନର୍ମାଣ କରାଯାଇଛି । ଏହା ୧୯୭୦ମସିହାରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିଲା । ଏହାର ବାମ ଏବଂ ଦକ୍ଷିଣ ପାର୍ଶ୍ୱରେ ଥିବା ଦୁଇଟି କେନାଲ ଦୁଇ ଜିଲ୍ଲାର ପ୍ରାୟ ହଜାରେ ହେକ୍ଟର ଜମିକୁ ଜଳସେଚନ କରିଥାଏ । ହେଲେ ଏହାର ଜଳ ଧାରଣ କ୍ଷମତା ଧୀରେ ଧୀରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗତ ୨ବର୍ଷ ତଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହି ଡ୍ୟାମର ଜଳ ଧାରଣ କ୍ଷମତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ କିସ୍ତିରେ ପ୍ରାୟ ୫କୋଟି ଏବଂ ଗତବର୍ଷ ଦ୍ୱତୀୟ କିସ୍ତିରେ ୭୦ଲକ୍ଷ ଟଙ୍କାର ଟେଣ୍ଡର ଦିଆଯାଇଥିଲା । ମାତ୍ର ବିଡମ୍ବନାର ବିଷୟ ଇତି ମଧ୍ୟରେ ୨ବର୍ଷ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ଡ୍ୟାମରୁ ପଙ୍କ ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇ ପାରିନାହିଁ । ସମ୍ପୃକ୍ତ ବିଭାଗର ଯନ୍ତ୍ରୀ, ଏସଡ଼ିଓ, ନିର୍ବାହୀଯନ୍ତ୍ରୀ ଏବଂ ଠିକାଦାରଙ୍କ ଅବହେଳା ଓ ପ୍ରିୟାପ୍ରିତି ନିତି ଯୋଗୁଁ  ପଙ୍କ ଉଦ୍ଧାର କାର୍ଯ୍ୟ ଆଜି ଅଧାରେ ଅଟକି ପଡିଛି । ଗତବର୍ଷ ଠିକାଦାରଙ୍କ ମନମାନି ଯୋଗୁଁ ଏହି ଡ୍ୟାମର ଦକ୍ଷିଣ ପାର୍ଶ୍ୱରେ ଥିବା ପାହାଡ଼ର ପାଦଦେଶକୁ ଖୋଳି ଦିଆଯାଇଥିଲା । ଡ୍ୟାମର ପଙ୍କ ଉଦ୍ଧାର ପରିବର୍ତ୍ତେ ଡ୍ୟାମକୁ ସଂଯୋଗ କରୁଥିବା ଦୁଇ ପାହାଡ଼ର ପାଦଦେଶକୁ ଖୋଳି ଏହାର ମାଟିକୁ ଅନ୍ୟତ୍ର ବିକ୍ରିକରି ଦିଆଯାଇଥିବାର ଅଭିଯୋଗ ଆସିଥିଲା । ଚଳିତ ବର୍ଷ ମଧ୍ୟ ଏହି ଡ୍ୟାମର ବାମ ପାର୍ଶ୍ୱରେ ଥିବା ସମତକ ଭୂଇଁକୁ ଖୋଳି ଦିଆଯାଇଛି । ମାତ୍ର ଡ୍ୟାମର ଜଳ ଧାରଣ ସ୍ଥାନ ଅର୍ଥାତ ଏହାର ମଧ୍ୟ ଭାଗକୁ ଛାଡି ଦିଆଯାଇଥିଲା । ଯାହାଫଳରେ ଯେଉଁଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦେଇଥିଲେ ତାହା ନ କରି କେବଳ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ପକେଟ ଗରମ କରିବାର ବାଟ ବାହାର କରାଯାଇଥିଲା । ଏବେ ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଏହି ଡ୍ୟାମରେ ଏଯାଏଁ ଉପଯୁକ୍ତ ପରିମାଣର ପାଣି ନାହିଁ । ତେଣୁ ଦୁଇ ଜିଲ୍ଲାର ଶହ ଶହ ଚାଷୀ ଜଳସେଚନ ପାଇଁ ଭଗବାନଙ୍କ ଭରସାରେ ରହିବାକୁ ପଡିବ ।