ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ: ବ୍ୟବସାୟୀ ମହଲରେ ଛନକା

ଜଟଣୀ:  ବର୍ତ୍ତମାନ ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ଯାଜପୁରରେ ହଇଜା ଓ ଝାଡାବାନ୍ତି ବ୍ୟାପିବା ସହିତ ଏହାର ପ୍ରଭାବ ପଡୋଶୀ ଜିଲ୍ଲାରେ ମଧ୍ୟ ଅନୁଭୂତ ହେଉଛି । ଯାହାକି ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର ପ୍ରମୁଖ କାରଣ ସାଜିଛି । ଏହି ପରିପ୍ରେକ୍ଷୀରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଜଟଣୀ ସହରରେ ବିଭିନ୍ନ ନାମିଦାମୀ ମିଠା ଦୋକାନ ଓ ଲସି ଦୋକାନ ଉପରେ ଚଢାଉ କରାଯାଇଛି । ତେବେ ଏହି ଚଢ଼ଉରେ କିଛି ଦୋକାନୀ ଆଗୁଆ ସୂଚନା ପାଇ ଦୋକାନ ଭିତର ପଟୁ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ବିଭାଗ ପକ୍ଷରୁ କିଛି ବାସି ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ, ଜଳଖିଆ ଦୋକାନ ଓ ଲସି ଦୋକାନରେ ବ୍ୟବହୃତ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିଆଯାଇଛି ।  ଏହି ଯାଞ୍ଚରେ ଖୋର୍ଦ୍ଧା ଜିଲ୍ଲା ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ଅଧିକାରୀ ନିବେଦିତା ଭଟ୍ଟ, ଟାଙ୍ଗୀ ଦାୟିତ୍ୱରେ ଥିବା ନିରାପତ୍ତା ଅଧିକାରୀ ଦେବାଶିଷ ବଳ, ଅନିଲ ମାଝୀ ଓ ସୁଶାନ୍ତ ସାମନ୍ତରାୟଙ୍କ ସମେତ ମୁ୍ୟନିସିପାଲଟିର କିଛି କର୍ମଚାରୀ ସାମିଲଥିଲେ । ତେବେ ଏଭଳି ଯାଞ୍ଚ ପ୍ରକ୍ରିୟା ଆଗକୁ କଡ଼ାକଡ଼ି କରାଯିବ । ଭାରତୀୟ ଖାଦ୍ୟ ସାମଗ୍ରୀର ଗୁଣବତ୍ତା, ସ୍ୱଚ୍ଛତା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ମାନବ ଅଧିନିୟମ, ୨୦୦୬ ପ୍ରଣୟନ କରାଯାଇଛି । ଏହି ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଭେଜାଲ ଦ୍ରବ୍ୟ ବିକ୍ରୟ କରୁଥିବା ଦେଖିବାକୁ ମିଳେ, ତାହା ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।