ହାଟକୁ ନେଇ ସରିଲା ନାଟ: ରବିବାର ଠାରୁ ଖୋଲିବ ବିରଜା ହାଟ
ଯାଜପୁର ଟାଉନ: ବହୁ ବାଦ ବିବାଦ ପରେ ଆସନ୍ତା ରବିବାର ଠାରୁ ବିରଜା ହାଟ ପୂର୍ବ ସ୍ଥାନରେ ଖୋଲିବ ବୋଲି ସ୍ଥିର ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଜିଲାପାଳଙ୍କ ସୂଚନା ଅନୁଯାୟୀ ବିରଜା ମନ୍ଦିରର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯିବା ସହ ହାଟ ପାଇଁ ଜମି ରହିଛି । ଆବଶ୍ୟକ ପଡିଲେ ହାଟ ପାଇଁ ଆଉ କିଛି ଜମି ଅଧିଗ୍ରହଣ କରାଯିବ । ବିରଜା ମନ୍ଦିର ଓ ବିରଜା ହାଟ ମଧ୍ୟରେ ଏକ ପାର୍କିଂ ସ୍ଥାନ ରଖାଯିବ । ଉକ୍ତ ସ୍ଥାନରେ ମନ୍ଦିରକୁ ଆସୁଥିବା ଯାତ୍ରୀ ନିଜ ନିଜର ଗାଡି ରଖିବା ସହ ହାଟକୁ ଆସୁଥିବା ଲୋକ ଓ ବ୍ୟବସ୍ଥାୟୀ ସେମାନଙ୍କର ଗାଡି ରଖିବେ । ଆଗାମୀ ଦିନରେ ଉକ୍ତ ସ୍ଥାନରେ ଏକ ହାଇଟେକ ହାଟ ନିର୍ମାଣ କରାଯିବ । ହାଟକୁ ଆସୁଥିବା ଚାଷୀ ଓ ଅନ୍ୟ ବ୍ୟବସାୟୀଙ୍କ ସୁବିଧା ପାଇଁ ସେଠାରେ ପିଣ୍ଡି, ଘର ଓ ଶୌଚାଳୟ ନିର୍ମାଣ କରାଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ହେବ ବିରଜା ହାଟଟି ସ୍ଥାନୀୟ ସନ୍ଥ ମାଧବ ଛକ ନିକଟକୁ ସ୍ଥାନାନ୍ତର କରାଯାଇ ପୂର୍ବରୁ ହାଟ ଚାଲିଥିବା ସ୍ଥାନରେ ବିରଜା ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବ୍ୟବସ୍ଥାୟୀ ଏହାକୁ ବିରୋଧ କରିବା ସହ ପୂର୍ବ ସ୍ଥାନରେ ହାଟ ଚାଲିବା ପାଇଁ ଜିଦ୍ ଧରି ବସିଥିଲେ । ଫଳରେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ ଯଦି ପୁରୁଣା ସ୍ଥାନରେ ହାଟ ଚାଲିବ ତେବେ ବିରଜା ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ତେଣୁ ସନ୍ଥମାଧବ ଛକରେ ହାଟ ଖୋଲିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଏପରିକି କିଛି ଦିନ ଏହି ହାଟ ସନ୍ଥମାଧବ ଛକରେ ଚାଲିଥିଲେ ମଧ୍ୟ ଅଧିକାଂଶ ବ୍ୟବସ୍ଥାୟୀ ସନ୍ଥମାଧବ ଛକ ନିକଟରେ ଖୋଲାଯାଇଥିବା ହାଟକୁ ନଯାଇ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ନଭେମ୍ବର ୨୧ତାରିଖ ଦିନ ପୂର୍ବରୁ ଚାଲିଥିବା ସ୍ଥାନରେ ହାଟ ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏପରିକି ଏହି ହାଟକୁ ନେଇ ଆପ୍ରିତିକର ପରିସ୍ଥିତ ସୃଷ୍ଟି ହେବା ସହ ଯାଜପୁର ଟାଉନ ଥାନାରେ ବିଭିନ୍ନ ମାମଲା ରୁଜୁ ହେବା ଏବଂ ରାସ୍ତାରୋକ ପର୍ଯ୍ୟନ୍ତ ହୋଇଥିଲା । ଶେଷରେ ହାଟ ବିବାଦ ରାଜନୈତିକ ହିଂସାର ରୂପ ନେଲା ଏବଂ ଏକାଧିକ ଗିରଫ ହୋଇ ଜେଲ ଗଲେ । ତେବେ ଯାହା ହେଉ ହାଟକୁ ନେଇ ଚାଲିଥିବା ନାଟ ଶେଷ ହେବ ବୋଲି ଆଶଙ୍କା କରାଯାଉଛି ।