ଗେଙ୍ଗୁଟି ନଦୀ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର
ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡିଅଙ୍ଗ ଠାରେ ଗେଙ୍ଗୁଟି ନଦୀରେ ମହିଳାଙ୍କ ଶବ ଉଦ୍ଧାର କରିଛି ବାଲିଚନ୍ଦ୍ରପୁର ପୁଲିସ । ନଦୀକୁ ମଙ୍ଗଳବାର ସକାଳେ ମାଛ ଧରିବାକୁ ଯାଇଥିବା ଲୋକମାନେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଏସମ୍ପର୍କରେ ଗ୍ରାମବାସୀ ବାଲିଚନ୍ଦ୍ରପୁର ଥାନାକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ପରେ ମୃତ ମହିଳାଙ୍କ ପରିଚୟ ମିଳିଥିଲା । ମୃତ ମହିଳା ଜଣଙ୍କ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ବାଜପୁରା ପଞ୍ଚାୟତ ଗୋପାଳପୁର ଗ୍ରାମର କାଞ୍ଚନବଳା ସାହୁ (୫୮) । ମୃତା ମହିଳାଙ୍କ ଭାଇ ଖଗେଶ୍ୱର ସାହୁ ଶବ ଚିହ୍ନଟ କରିବା ପରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଗ୍ରହଣ କରି ୧୭/୨୪ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ତେବେ ମୃତା ମହିଳା ଜଣକ ଗତ ୩ ତାରିଖରୁ ନିଖୋଜ ଥିଲେ । ସେ ଦୀର୍ଘ ବର୍ଷ ଧରି ଆସି ବାପ ଘରେ ରହୁଥିଲେ । ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଆସି ନିଖୋଜ ହୋଇଯାଇଥିଲେ । ବାଲିଚନ୍ଦ୍ରପୁର ପୁଲିସ ପ୍ରଥମେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ସହଯୋଗରେ ମହିଳାଙ୍କ ଶବ ଉଦ୍ଧାର କରିଥିଲେ ।