ଗୋରୁ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ

ତିହିଡ଼ି, ୨୬ା୯ : ପୀରହାଟ ଥାନା ପୁରୁଣାବଜାର ଅଞ୍ଚଳରେ ଆଜି ଏକ ବେଆଇନ ଗୋରୁ ଚାଲାଣ ପିକଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି  । ଏଥିରେ ଅତି ନୃଶଂସ ଓ ଅମାନୁଷିକ ଭାବେ ବୋଝେଇ କରି ନିଆଯାଉଥିବା ୧୦ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ପୁଲିସ ଗାଡି ଚାଳକକୁ ଅଟକ ରଖିଛି । ପ୍ରକାଶ ଯେ, ଆଜି ସକାଳେ ଏକ ଗୋରୁ ବୋଝେଇ ଗାଡି ଚାନ୍ଦବାଲି ଆଡୁ ଭଦ୍ରକ ଅଭିମୁଖେ ଯାଉଥିଲା  । ତେବେ କୌଣସି କାରଣରୁ ତିହିଡି ବଜାର ନିକଟରୁ ଏହା ପୁଣି ଚାନ୍ଦବାଲି ଆଡକୁ ଅତି ଦ୍ରୁତଗତିରେ ଫେରୁଥିଲା ବେଳେ ପୀରହାଟ ପୁରୁଣାବଜାର ନିକଟରେ ରାସ୍ତା ପାଶ୍ୱର୍ସ୍ଥ ଏକ ଗ୍ୟାରେଜରେ ମରାମତି ପାଇଁ ରହିଥିବା ଏକ କାରକୁ ଧକ୍କା ଦେଇଥିଲା  । ଫଳରେ କାରଟି ଭାଙ୍ଗିରୁଜି ଯାଇଥିବା ବେଳେ ଉକ୍ତ ଗାଡି ଧକ୍କାରେ ସ୍ଥାନୀୟ ଜଣେ ଛାତ୍ର ଗୁରୁତର ହୋଇଥିବା ଜଣାଯାଇଛି  ।