ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଧମକ ; ମାଲିକ ଗିରଫ

ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଧମକ ; ମାଲିକ ଗିରଫ

  •  ।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୧୬ା୮ : ହୋଟେଲକୁ ଖାଇବାକୁ ଆସୁଥିବା ଗ୍ରାହକ ମାନଙ୍କୁ ମନଇଛା ରେଟ୍ ବଢ଼ାଇ ଟଙ୍କା ଆଦାୟ କରୁଥିଲା ଓ ଜଦି କେହି ଦାମ ଉପରେ ପ୍ରତିବାଦ କରନ୍ତି ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିବା ଏକ ହୋଟେଲ ମାଲିକକୁ ପଡ଼ିଛି ମହଙ୍ଗା । ଖବର ପାଇ ଭରତପୁର ଥାନାର ପେଟ୍ରୋଲିଂ ଟିମ ହୋଟେଲରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଏକ ଦେଶୀ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ନୟାଗଡ଼ ଜିଲ୍ଲା ବାଉଂଶଗାଡିଆ ଗ୍ରାମର ବୁଲୁ ପାତ୍ର । ଏଠାରେ ସେ ଭରତପୁର ଅଞ୍ଚଳରେ ରହି ଭରତପୁର ପୁରୁଣା ଥାନା ନିକଟରେ ଏକ ଚାଳିଆ ଖାଇବା ହୋଟେଲ କରିଆସୁଥିଲା ।
     ସୂଚନା ଯୋଗ୍ୟଯେ, ଗତ କିଛି ବର୍ଷ ହେବ ଭରତପୁର ଛକ ପୁରୁଣା ଥାନା ୨୦୦ ଫୁଟିଆ ରାସ୍ତାରେ ଅଭିଯୁକ୍ତ ବୁଲୁ ପାତ୍ରର ରହିଛି ଏକ ଆନନ୍ଦ ନାମକ ଚାଳିଆ ହୋଟେଲ । ସେ ହୋଟେଲରେ ଗ୍ରାହକଙ୍କୁ ମନଇଛା ରେଟ୍ ଲଗାଇ ଖାଇବା ବିକ୍ରି କରିଆସୁଥିଲା । ଯଦି କେହି ଖାଇବା ଦର ଉପରେ ପଚାରେ ତାହା ହେଲେ ଅଭିଯୁକ୍ତ ଲୋକଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ଜୀବନରେ ମାରିଦେବାକୁ ଧମକ ଦେଉଥାଏ । ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ହୋଟେଲକୁ ଖାଇବାକୁ ଆସିଥିବା କିଛି ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଧମକାଉଥିବା ଖବର ଭରତପୁର ଥାନା ଅଧିକାରୀ ଜାଣିବାକୁ ପାଇଥିଲେ । ପରେ ଅଞ୍ଚଳରେ ପେଟ୍ରୋଲିଂ ଚଳାଉଥିବା ଟିମକୁ ଖବର ଦେଇ  ହୋଟେଲରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଟିମ ଅଭିଯୁକ୍ତ ଠାରୁ ଏକ ଦେଶୀ ବନ୍ଧୁକ ୨ଟି ଗୁଳି ଜବତ କରି ତାକୁ ଥାନାକୁ ନେଇଥିଲେ । ଥାନାରେ ପଚରା ଉଚରା ବେଳେ ଜଣା ପଡ଼ିଥିଲା ଅଭିଯୁକ୍ତ ଜଣେ ମଦୁଆ । ସେ ଏକ ବନ୍ଧୁକ ଚୋରାରେ ଆଣି ଏଭଳି ଗୁଣ୍ଡାଗର୍ଦି ଚଳାଉଥିଲା । ପରେ ମାମଲା ରୁଜୁକରି ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା କମିଶନରେଟ୍ ପୁଲିସ ସବୁଦିନ ପେଟ୍ରୋଲିଂ, ବ୍ଲକିଂ, ଚେକିଂ ସହ କମିଶନରେଟ୍ ପୁଲିସ ପକ୍ଷରୁ ସେଫ୍ ସିଟି ଅଭିଯାନ ଚାଲୁଛି । ରାଜଧାନୀରେ ଯେଉଁଠି ମଧ୍ୟ ଅପରାଧ ଘଟୁ କିମ୍ବା ଅପରାଧୀକ କାର୍ଯ୍ୟ କଳାପ ଦେଖାଯାଏ ତାହାହେଲେ ଡ଼ିସିପିଙ୍କ ଅଫିସ ପକ୍ଷରୁ ଦିଆଯାଇଥିବା ହେଲ୍ପ ଲାଇନ୍ ନମ୍ବରରେ କଲ କରିବାକୁ କୁହାଯାଉଛି । କିନ୍ତୁ ଜନଗହଳି ଓ ଭରତପୁର ପୁରୁଣା ଥାନା ନିକଟ ରାସ୍ତା କଡ଼ରେ ଜଣେ ଅସମାଜିକ ଯୁବକ ହୋଟେଲ କରି ପାଖରେ ବନ୍ଧୁକ ରଖି ଲୋକଙ୍କୁ ଧମକାଉଥିବା ଓ ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଆସୁଥିବା ଖବର ସ୍ଥାନୀୟ ପୁଲିସ ପାଖରେ କେମିତି ପହଞ୍ଚିଲା ନାହିଁ, ନାଁ ହୋଟେଲ ଚଳାଇଥିବା ଅଭିଯୁକ୍ତ କିଛି ତଳତଳିଆ କର୍ମଚାରୀ ଓ ପିସିଆର କର୍ମଚାରୀ ମାଗଣା ଖାଇବା ନେବା ସହ ହାତଗୁଞ୍ଜା ନେଇ ଚୁପ୍ ରହୁଥିଲେ ବୋଲି ପ୍ରଶ୍ନ ଉଠିଛି ।