ଘଣ୍ଟେଶ୍ୱର ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା
ଚାନ୍ଦବାଲି : ଗତ ୨୦୨୪ ପାଖରୁ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଘଣ୍ଟେଶ୍ୱର ଅଞ୍ଚଳରେ ଭୁଶୁଡିଛି ଆଇନ ଶୃଙ୍ଖଳା । ନିଶା କାରବାର ଠାରୁ ଆରମ୍ଭ କରି ଚୋରି ଡକାୟତି ସବୁ ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଲୋକ ଏବଂ ପଥଚାରୀମାନେ ଆକ୍ରମଣର ଶିକାର ହେଉଛନ୍ତି । ଏହାକୁ ନେଇ ଭୟଭୀତ ଘଣ୍ଟେଶ୍ୱର ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀମାନେ । ଏ ନେଇ ଘଣ୍ଟେଶ୍ୱର ଆଞ୍ଚଳିକ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଭିନ୍ନ ଅଞ୍ଚଳରୁ ଘଣ୍ଟେଶ୍ୱର ବ୍ୟାଙ୍କକୁ ଆସୁଥିବା ମହିଳାମାନେ ନିଶାସକ୍ତ ଯୁବକଙ୍କ ଆକ୍ରୋଶର ଶିକାର ହେଉଥିବା ନେଇ ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ଘଣ୍ଟେଶ୍ୱର ଅଞ୍ଚଳର ଗୋପିନାଥପୁର, ତୋଟାପଡା, ଖଦାଳପୋଖରୀ ଓ ବଜରାପୁର ପଞ୍ଚାୟତରେ ସାଧାରଣ ଜନତା ଭୟଭୀତ ଅବସ୍ଥାରେ ଅଛନ୍ତି । ସାଧାରଣ ଲୋକେ ପୁଲିସ ପାଖକୁ ସୁରକ୍ଷା ପାଇଁ ଦୌଡୁଥିବା ବେଳେ ପୁଲିସ ଆସାମୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ । ଫଳରେ ଚୋରାମଦ, ଗଞ୍ଜେଇ, ବ୍ରାଉନ ସୁଗାର, କୋଇଲା ବେପାରୀମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି । ଗତ ଦୁଇଦିନ ତଳେ ଘଣ୍ଟେଶ୍ୱର ଅଞ୍ଚଳର ଜଣେ ସୁନାବେପାରୀଙ୍କୁ ଦୁର୍ବୁତ୍ତମାନେ ଛୁରା ମାଡ଼ କରିବା ସହ ତାଙ୍କ ଠାରୁ ସୁନା, ରୂପା ଓ ଟଙ୍କା ଛଡାଇ ନେଇଥିଲେ । ତେଣୁ ଘଣ୍ଟେଶ୍ୱର ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଦାବିରେ ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମହାସଂଘ ପକ୍ଷରୁ ଆସନ୍ତା ୨୦ ତାରିଖରେ ଗାରଡପୁର ତିନିଛକି ବିଶ୍ରାମଗାର ନିକଟରେ ଏକ ଗଣଧାରଣା ଦିଆଯିବା ସହ ୨୧ ତାରିଖ ସକାଳ ୧୦ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବାଂଶଡା ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ବିରିଆଡିଆ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ଅଞ୍ଜନ ଦାସ, ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମହାସଂଘର ସମ୍ପାଦକ ଆଇନଜୀବୀ ବିକାଶ ନାଥ, ମହାସଂଘର ଉପଦେଷ୍ଟା ଚାଷୀ ନେତା ଚକ୍ରଧର ଦାସ, ଶ୍ରୀନାଥ ଦାସ, ପୁର୍ଣ୍ଣଚନ୍ଦ୍ର ଦାସ, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।