ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟକରଣ ସମୀକ୍ଷା ବୈଠକ:  ଅସ୍ଥାୟୀ ବ୍ୟବସାୟୀ ହେବେ ଥଇଥାନ

କୋଣାର୍କ : କୋଣାର୍କ ଡାକବଙ୍ଗଳାରେ ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟକରଣକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚନ୍ଦ୍ରଭାଗା ବଜାର କମିଟି କର୍ମକର୍ତ୍ତା ଯୋଗଦେଇଥିଲେ । ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ବ୍ୟବସାୟୀମାନଙ୍କ ସହିତ ଆଲୋଚନା ହୋଇଥିଲା । ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଅସ୍ଥାୟୀ ହସ୍ତଶିଳ୍ପ ବ୍ୟବସାୟ ଦୋକାନ ଓ ସ୍ଥାୟୀ ଦୋକାନ ଗୁଡିକୁ ଉଛେଦ କରାଯିବ । ଉଛେଦ ବ୍ୟବସାୟୀଙ୍କୁ ମେଳାପଡିଆରେ ପ୍ରଥମେ ଅସ୍ଥାୟୀ ଭାବେ ଥଇଥାନ କରାଯିବ । ୨ ବର୍ଷରେ ସୌନ୍ଦର୍ଯ୍ୟକରଣ ଶେଷ ହେଲେ ଜୟଦେବ ବାଟିକା ନିକଟରେ ବ୍ୟବସାୟଙ୍କୁ ସ୍ଥାୟୀ ଥଇଥାନ କରାଯିବ ବୋଲି  ଉପଜିଲ୍ଲାପାଳ ଶ୍ରୀଜେନା କହିଥିଲେ । ପ୍ରଥମେ ପ୍ରଶାସନ ଆମ ସହିତ ଆଲୋଚନା ନକରି ମେଳା ପଡିଆରେ ଅସ୍ଥାୟୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି, ଯାହା ବ୍ୟବସାୟ ଉପଯୋଗୀ ନୁହେଁ  । ତେଣୁ ଯଦି ସେ ଅସ୍ଥାୟୀ ଦୋକାନଗୁଡିକ ସଠିକ ଭାବରେ କରାଗଲେ ଆମେ ସଠାକୁ ଯିବୁ ବୋଲି ଚନ୍ଦ୍ରଭାଗା ବଜାର କମିଟିର ସଭାପତି ଅଜୟ ବେହେରା ପ୍ରକାଶ କରିଛନ୍ତି  । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜୟଦେବ ବାଟିକାରେ ଥଇଥାନ କରାଯାଉ ବୋଲି ବଜାର କମିଟି କହିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅନିଲ କୁମାର ମହାନ୍ତି, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ଏନଏସି ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ, ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ, ମେରାଇନ ଥାନା ଆଇଆଇସି ପ୍ରତିମା ସାହୁ, ଚନ୍ଦ୍ରଭାଗା ବଜାର କମିଟି ସଭାପତି ଅଜୟ ବେହେରା, ସମ୍ପାଦକ ବାନାମ୍ବର ବେହେରା, ଭାଗିରଥି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ମେରାଇନ ଥାନା ସମ୍ମୁଖ ପର୍ଯ୍ୟନ୍ତ ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ ବେଞ୍ଚ, ଖେଳକୁଦ, ଲନ, ଛତା, ମୋଡୁଲାର ଶୌଚାଳୟ, ଲାଇଫ ଗାର୍ଡ, ଆଲୋକ ବ୍ୟବସ୍ଥା ଆଦି ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡିଛି  ।