ଗମ୍ଭୀରତାର ସହ ନେବେ କି ମୋହନ ସରକାର?
ାା ପ୍ରଭାନୁ୍ୟଜ ।ା ଯାଜପୁର : ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ୧୪ବର୍ଷ ଧରି ଗାଦିମାଡ଼ି ବସିଥିବା ବିଜେଡ଼ିକୁ ହଟାଇ ବିଜେପି କ୍ଷମତା ଅକ୍ତିଆର କରିଛି । ବିଜେପି ସରକାର ଲୋକଙ୍କ ସରକାର ହେବ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନିତି ଦୁର୍ନୀତିକୁ ପ୍ରୋସôାହିତ କରାଯିବନି ଏଭଳି ପ୍ରତିଶ୍ରୁତି ରଖିଛନ୍ତି ମୋହନ ସରକାର । କିନ୍ତୁ ବିଜେପି କ୍ଷମତାକୁ ଆସୁ ଆସୁ ଅନିତି ଉପାୟରେ କ୍ରସର ଚଲାଇବାକୁ ପ୍ରୋସôାହିତ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି ।
ଚଳିତ ନିର୍ବାଚନରେ ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢି ଅମାନତ ହରାଇଥିବା ପହି ଗଲାକାଲି ଖଣି ଅଧିକାରୀଙ୍କୁ ଯେଉଁ ଅଭିଯୋଗ କରିଛନ୍ତି ତାହା ଧର୍ମଶାଳାରେ କମ୍ପନ ସୃଷ୍ଟି କରିଛି । ଶ୍ରୀମତୀ ପହି ଯାଜପୁର ଟାଉନରେ ଥିବା ଜିଲା ଖଣି ଅଧିକାରୀଙ୍କୁ ଭେଟି ଯେଉଁ ଲିଖିତ ଅଭିଯୋଗ କରିଛନ୍ତି, ତାହାର ସାରମର୍ମ ହେଲା ଚାନ୍ଦା ନେଇ ଲୁଟେରା କ୍ରସର ମାଲିକଙ୍କୁ କ୍ରସର ଚଲାଇବାକୁ ପ୍ରୋସôାହିତ କରାଯାଉଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ବେଆଇନ କଳାପଥର କଞ୍ଚାମାଲକୁ କ୍ରସର ମାଲିକ ମାନେ ଲୁଟ୍ କରି ଗଚ୍ଛିତ ରଖିଥିବା ବେଳେ ଚାନ୍ଦା ନେଇ ସେମାନଙ୍କ କ୍ରସରକୁ ଚଲାଇବାକୁ ପ୍ରୋସôାହିତ ଦେଉଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଯାଉ । ଶ୍ରୀମତୀ ପହି ଲିଖିତ ଭାବେ ଏଭଳି ଅଭିଯୋଗ କରିବା ସହ ନିଜର ସୋସିଆଲ ସାଇଟ୍ରେ ମଧ୍ୟ ଏହାକୁ ପୋଷ୍ଟ କରିଛନ୍ତି । ଯାହା ଧର୍ମଶାଳାରେ କମ୍ପନ ସୃଷ୍ଟି କରିଛି । ଶ୍ରୀମତୀ ପହି ଦୀର୍ଘ ୧୦ବର୍ଷ ଧରି ଧର୍ମଶାଳା ରାଜନୀତିର ଓଃତପ୍ରୋତ ଭାବେ ଜଡ଼ିତ । କଂଗ୍ରେସ ଦଳରେ ଥିବା ବେଳେ ଶ୍ରୀମତୀ ପହି ମଧ୍ୟ ବେଆଇନ କଳାପଥର ଲୁଟ୍ କଥାକୁ କାଁ ଭାଁ କେତେ ବେଳେ ଉଠାଉଥିଲେ । କଂଗ୍ରେସ ଛାଡ଼ି ବିଜେପିକୁ ଆସିବା ପରେ କିନ୍ତୁ ସେଭଳି କିଛି ବଡ଼ ଧରଣର ପ୍ରତିବାଦ କରିନଥିଲେ । ହେଲେ ନିର୍ବାଚନ ପୂର୍ବରୁ ଶ୍ରୀମତୀ ପହି ପ୍ରଚାର ଅଭିଯାନରେ ଧର୍ମଶାଳାରେ ଚାଲିଥିବା ବେଆଇନ କଳାପଥର କାରବାର, କ୍ରସର ମାଲିକଙ୍କ ବେନିୟମ କାରବାର ଉପରେ ଅଙ୍ଗୁଳି ଉଠାଇ ବିଜେଡ଼ିକୁ ଟାର୍ଗେଟ କରିଥିଲେ । ହେଲେ ଏହା ଭୋଟରଙ୍କ ମନକୁ ଛୁଇଁ ପାରିଲାନି । ଭୋଟର ଶ୍ରୀମତୀ ପହିଙ୍କ ଅମାନତ ରଖିଲେନି । ଧର୍ମଶାଳାର କଳାପଥର କେଳେଙ୍କାରୀରୁ ଫାଇଦା ମାରିଲେ ସ୍ୱାଧୀନ ହିମାଂଶୁ ଶେଖର ସାହୁ ।
ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଶ୍ରୀମତୀ ପହି ଯେଉଁ ଅଭିଯୋଗଟି ଆଣିଛନ୍ତି, ତାହା କାହାକୁ ଇଙ୍ଗିତ କରି କରିଛନ୍ତି, ସ୍ପଷ୍ଟ କରିନଥିଲେ ହେଁ ଏକଥାକୁ କିନ୍ତୁ ସ୍ପଷ୍ଟ କରି ଦେଇଛନ୍ତି କି ବିଜେପି ସରକାର ଆସିଲେ ସୁଦ୍ଧା ଧର୍ମଶାଳା କପାଳରୁ କଳାପଥର କଳାକାରବାର ଛିଟା ଯିବନି । ଶାସନକୁ ଯିଏ ବି ଆସୁନା କାହିଁକି ଧର୍ମଶାଳାର କଳାପଥର କଳାକାରନାମା ଚାଲିବ ହିଁ ଚାଲିବ । ଧର୍ମଶାଳାର କଳାପଥର କାରନାମାକୁ ଲୋକ ଲୋଚନକୁ ଆଣିବାରେ ବିଜେପି ନେତା ତଥା ସୂଚନା କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅବଦାନକୁ କେହି ଭୂଲିବେନି । ଡ଼ଙ୍କାରୀରୁ କଳାପଥର ଲୁଟ୍ ହେଉ କି ବିଛାଖଣ୍ଡି ବା ଆରୁହା ଯେତେ କଳାପଥର ଖାଦାନ ରହିଛି, ସବୁଠି କଳାକାରବାର ଚାଲିଥିବା ପ୍ରମାଣିକ ଅଭିଯୋଗ କରି ବିଜେଡ଼ି ସରକାରକୁ ଅକଳରେ ପକାଇପାରିଛନ୍ତି । ସର୍ବେଶ୍ୱର ଏବେ ନିରବ ରହିଥିବା ବେଳେ ଶ୍ର୍ରୀମତୀ ପହି ଆଗକୁ ଆସି ଯେଉଁ ଅଭିଯୋଗଟି ଆଣିଛନ୍ତି, ତାହା ରାଜନୈତିକ ମହଲକୁ ବିଶ୍ମିତ କରିଛି । କ୍ଷମତାରେ ବିଜେପି ସରକାର ଥିବା ବେଳେ ବିଜେପି ନେତ୍ରୀ ଶ୍ରୀମତୀ ପହିଙ୍କ ଅଭିଯୋଗକୁ ନିଚା କରି ଦେଖି ହେବନି । ଶ୍ରୀମତୀ ପହି ଯେଉଁ ଅଭିଯୋଗ କରିଛନ୍ତି, ତାହା ତଦନ୍ତ ସାପେକ୍ଷ, କିନ୍ତୁ ଅଭିଯୋଗରେ ଯେଉଁ ଚାନ୍ଦା କଥା ଉଠାଇଛନ୍ତି, ସେହି ଚାନ୍ଦା କିଏ ନେଉଛି, ତାହାକୁ କିନ୍ତୁ ଅସ୍ପଷ୍ଟ ରଖିଛନ୍ତି । ବେଆଇନ କଳାପଥର ଗଚ୍ଛିତରଖିଥିବା କ୍ରସର ମାଲିକଙ୍କୁ କିଏ ଚାନ୍ଦା ନେଇ ପ୍ରୋସôାହିତ କରୁଛି, ତାହା ହିଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଯାହାଙ୍କ ଉପରେ ଖଣି ବିଭାଗ ଅଙ୍କୁଶ ଲଗାଇବାକୁ ଦାବି କରିଛନ୍ତି, ସେହି ବ୍ୟକ୍ତି ବିଶେଷଟି କିଏ ? ରାଜ୍ୟରେ ବିଜେପି ସରକାର ଥିବା ବେଳେ ଶ୍ରୀମତୀ ପହିଙ୍କ ଏଭଳି ଅଭିଯୋଗ ଭିତରେ ସାରୁ ଭିତରେ ମାରୁ ଥିବା କଥା ଜଣାପଡ଼ିଯାଉଛି । ତେବେ ଯାହା ବି ହେଉ ଶ୍ରୀମତୀ ପହି କରିଥିବା ଅଭିଯୋଗ ଉପରୁ ଖଣି ବିଭାଗ ପରଦା ଉଠାଇ ପାରିବ କି ନାହିଁ ତାହାତ ସମୟ କହିବ, ହେଲେ ସେ କିନ୍ତୁ ସ୍ପଷ୍ଟ କରି ଦେଇଛନ୍ତି ଯାହା ବିଜେଡ଼ି ଶାସନରେ ଚାଲୁଥିଲା, ତାହା ବିଜେପି ସରକାର ଅମଳରେ ଚାଲୁଛି । ରାଜ୍ୟ ନେତୃତ୍ୱ ଏହାକୁ କେତେଦୂର ଗମ୍ଭିରତାର ସହ ନେବେ ତାହା ଦେଖିବାର ଅଛି ।