ଚାଷ ଶିଖାଉଛନ୍ତି ଆନ୍ଧ୍ର ଚାଷୀ, କିଣୁଛନ୍ତି ଜମି
ସୋନପୁର : ସୋନପୁର-ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ଏକର ଚାଷ ଜମି ଏବେ ଆନ୍ଧ୍ର ଚାଷୀଙ୍କ କବଜାକୁ ଚାଲିଯାଇଛି । ଏମାନେ କଠିନ ପରିଶ୍ରମ ସହ ଆଧୁନିକ ଆନ୍ଧ୍ର ଢାଞ୍ଚାରେ ଚାଷ କରୁଛନ୍ତି । ତେଣୁ ଚାଷ ଜମିମାନେ ଆନ୍ଧ୍ରଙ୍କ ହାତକୁ ଚାଲି ଯାଉଛି । ଏମାନେ ଜିଲ୍ଲାରେ ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକ୍ ଅଞ୍ଚଳରେ ଧାନ ଚାଷ କରୁଥିବା ବେଳେ, ବୀରମହାରାଜପୁର, ଉଲୁଣ୍ଡା ତରଭା ଏବଂ ସୋନପୁର ବ୍ଲକ୍ରେ ଧାନ ସହିତ କପା, ପାମ୍ ଏବଂ ମାଛ ଛାଷ କରୁଛନ୍ତି । ୩୦ବର୍ଷ ତଳୁ ଆନ୍ଧ୍ର ଚାଷୀ ଏ ଅଞ୍ଚଳକୁ ଆସିବା ଆରମ୍ଭ କରିଥିଲେ । ସରକାରୀ କଳ ଓ ବିଭାଗୀୟ ଉଦାସୀନତା ନେଇ ଚାଷୀମାନେ ବି ଆନ୍ଧ୍ର ଚାଷୀଙ୍କ ଚାଷ ପଦ୍ଧତିକୁ ଆପଣେଇ ନେଲେ । ଡୁଙ୍ଗୁରିପାଲି ବ୍ଲକ୍ର ଭାଟବାହାଲି, କପାଶିରା, ଡୁଙ୍ଗୁରିପାଲି, ରାମପୁର, ପଣ୍ଡକିଟାଲ, ସାଲେପାଲି, ବିନିକା ବ୍ଲକ୍ର ବାଙ୍କି ଘିର୍ଡି, ସିଂଘି ଯୁବା, ସାରଙ୍ଗ ପାଲି, ହୁତୁମା, ବାବୁ ପାଳିଫୁଲ ମୁଠି, ଉର୍ଲ୍ଲେ, ଘଣ୍ଟପାଲି, ବାଉଁଶୁଣୀ, ଜୁଲୁଣ୍ଡା , ଅମାମୁଣ୍ଡା , ଟିକା ପାଲି ,ତରଭା ବ୍ଳକର କୁମ୍ଭାରମୁଣ୍ଡା ,କର୍ଲା ମୁହାଣ , ବ୍ରାହ୍ମଣୀ ,ଭୁରାଡ ,ଚାର ଭଟା, ବାଲିଖମାର, କମସରା ସୋନପୁର ବ୍ଲକ୍ର ବସଲାଟ, ରେଙ୍ଗାଲି, ମାଝିମୁଣ୍ଡା, ଖଇରା ଟିକିରା, ରୁଗୁଡିପାଲି, ବାଲପୁର ବୀରମହାରାଜପୁର ବ୍ଲକ୍ର ସୁବଳୟା, ଆନନ୍ଦପୁର, ସାଲଟିକିର, ମୂର୍ଷଣ୍ଡୀ, କର୍ଡାପାଲ, ବାରବର ,ରଥପୁର , ତେଲି ପାଳି ,ଟିଠି ପାଲି ଆଦି ଗ୍ରାମରେ ଗତ କିଛି ବର୍ଷ ହେବ ଆନ୍ଧ୍ର ଚାଷୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ବୀରମହାରାଜପୁର ଓ ଉଲୁଣ୍ଡାରେ ଆନ୍ଧ୍ର ଚାଷୀମାନେ ଜମି ଲିଜ ନେଇ କପା ଚାଷ କଲେ । ପରେ ଏହି ଅଞ୍ଚଳର ଚାଷୀମାନେ ଆନ୍ଧ୍ର ଚାଷୀ ଓ ଚାଷରେ ପ୍ରଭାବିତ ହୋଇ ନିଜର ଜମିରେ କପା ଚାଷ ଆରମ୍ଭ କଲେ । ଆଜିର ଦିନରେ ସୁବର୍ଣ୍ଣପୁର ଜିଲ୍ଲାରେ ୪୩ ହଜାର କୁଣ୍ଟାଲ କପା ସଂଗ୍ରହ ହେଉଥିବାର ସରକାରୀ ରିପୋର୍ଟ କହୁଛି ।କିନ୍ତୁ ବାସ୍ତବିକ ଅଧିକା କପା ଆମଦାନୀ ହେଉଛି । ଏଥିପାଇଁ ମଣ୍ଡିର ବ୍ୟବସ୍ଥା ହେଲାଣି । ।ଅଶୀ ଦଶକ ସମୟରୁ ସୂତାକଳ ଥିଲେ ମଧ୍ୟ କପା ଚାଷ ହେଉ ନ ଥିଲା । କିନ୍ତୁ ଏବେ କପା ଚାଷ ବୃଦ୍ଧି ହେବାରେ ଆନ୍ଧ୍ର ଚାଷୀମାନଙ୍କ ପ୍ରଛନ୍ନ ହାତ ରହିଛି ବୋଲି ଜଣାପଡିଛି । ସେମିତି ମାଛ ଚାଷରେ ଆନ୍ଧ୍ର ଚାଷୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ଏକଦା ଜିଲ୍ଲାରେ ମାଛ ଚାଷ ପ୍ରତି ଚାଷୀ ମୁହଁ ଫେରାଇ ଆଣୁ ଥିଲେ । ଏବେ ଜିଲ୍ଲାରେ ମାଛ ଚାଷୀମାନେ ଆନ୍ଧ୍ର ଚାଷୀମାନଙ୍କ ଧାରାରେ ଚାଷ କରି ବେଶ ରୋଜଗାର କରୁଛନ୍ତି ।ଶହ ଶହ ଏକର ଜମି ଆନ୍ଧ୍ର ଚାଷୀମାନେ ଅକ୍ତିଆର କରି ନୂତନ ଭାବରେ ପାମ ଚାଷ ଆରମ୍ଭ କଲେଣି । ଜିଲ୍ଲାରେ ସ୍ଥାନୀୟ ଚାଷୀଙ୍କ ଆବଶ୍ୟକ ଜ୍ଞାନ କୋଶଳ ଅଭାବରୁ ଚାଷରେ ବିଭିନ୍ନ ସମୟରେ କ୍ଷତି ସହୁଛନ୍ତି । କିନ୍ତୁ ଅନ୍ୟପକ୍ଷରେ ଆନ୍ଧ୍ର ଚାଷୀମାନେ ଚାଷ କରି ବେଶି ରୋଜଗାର କରୁଛନ୍ତି । ଫଳରେ ଆନ୍ଧ୍ର ଚାଷୀଙ୍କ ଦ୍ୱାରା ସ୍ଥାନୀୟ ଚାଷୀମାନେ ପ୍ରଭାବିତ ହେଉଛନ୍ତି । ସୋନପୁର ଦେଶୀ ମୁଗ ସମେତ ଅନ୍ୟ ଡାଲି ପର୍ଯ୍ୟାକ୍ତ ପରିମାଣ ହେଉଥିଲା । କିନ୍ତୁ ୩୨ ବର୍ଷ ଜିଲ୍ଲାର ଆତ୍ମପ୍ରକାଶ ହେଲା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଷରେ ଆଶାନୁରୂପ ଭାବରେ ବିକାଶ ହେଉ ନାହିଁ । ଏଠାରେ ବିକ୍ରି ହେଉଥିବା ଚିନା ବାଦାମ ରାଜସ୍ଥାନ ରାଜ୍ୟରୁ ଆସୁଛି । ରାଜସ୍ଥାନୀ ଚିନା ବାଦାମ ବେଶ୍ ଚାହିଦା ହେଲାଣି । ପୂର୍ବେ ପାରମ୍ପରିକ ଜଳ ଉତ୍ସ ନେଇ ଗତାନୁଗତି ପଦ୍ଧତି ଚାଷ କରୁଥିଲେ । ଏବେ କିନ୍ତୁ ବହୁ କାରଣରୁ ଚାଷୀ ଚାଷରୁ ମୁହଁ ଫେରାଇଛନ୍ତି । ଚାଷୀ ଆଧୁନିକ ଧାରାରେ ଚାଷ କରି ପାରୁ ନାହାଁନ୍ତି । ଜଳସେଚନ ବ୍ୟବସ୍ଥା ଅଭାବ ଓ ଚାଷରେ ଖର୍ଚ୍ଚ ଅଧିକା ଆୟ କମ୍, ମାର୍କେଟିଂ ଅଭାବ ନେଇ ଚାଷୀମାନେ ଦାଦନ ହୋଇ ସହର ମୁହାଁ ହେଉଛନ୍ତି । ତେଣୁ ଆନ୍ଧ୍ର ଚାଷୀ ଦ୍ୱାରା ସ୍ଥାନୀୟ ଚାଷୀ ପ୍ରଭାବିତ ହେଉଛନ୍ତି । ନ ହେଲେ ଆନ୍ଧ୍ର ଚାଷୀକୁ ଜମି ବିକ୍ରି କିମ୍ବା ଲିଜ୍ ଦେଉଛନ୍ତି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରୀ, ପାର୍ବତୀପୁରମ, ଶ୍ରୀକାକୁଲମ୍ ଏବଂ ଇଷ୍ଟ ଗୋଦାବରୀ ଆଦି ସ୍ଥାନରୁ ଆନ୍ଧ୍ର ଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲାକୁ ଆସି ଚାଷ କରୁଛନ୍ତି । ଜମି କିଣାବିକାରେ ସେମିତି କିଛି କଟକଣା ନ ଥିବାରୁ ଗରିବ ଚାଷୀଙ୍କ ଠାରୁ ଚାଷ ଜମି କିଣି ଚାଷ କରନ୍ତି । ପରେ ଚାଷରେ ଦୁଇ ପଇସା ରୋଜଗାର କରି ଅନ୍ୟ ଜମି କିଣି ଥାଆନ୍ତି । କେତେକ ଗ୍ରାମରେ ସେମାନେ ସରକାରୀ, ଗୋଚର, ଜଙ୍ଗଲ ଜମିକୁ ମଧ୍ୟ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ଏବେ ଚାଷରେ ସଫଳ ହୋଇ ଗ୍ରାମାଞ୍ଚଳରେ ଆନ୍ଧ୍ରପଡ଼ା, ଆନ୍ଧ୍ର ଡେରା, ଆନ୍ଧ୍ର କଲୋନୀ ମଧ୍ୟ ଦେଖିବାକୁ ମିଳୁଛି । ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ କରି କୃଷି ବଜେଟ ହେଉଛି । ଚାଷ ଓ ଚାଷୀ ବିକାଶ କଥା କୁହା ହେଉଛି । କିନ୍ତୁ ଅନ୍ୟ ଭୌଗୋଳିକ ଆସୁ ଥିବାରେ ଆନ୍ଧ୍ର ଚାଷୀ ଉତ୍ସାହିତ ହୋଇ ଆଧୁନିକ ଆନ୍ଧ୍ର ଢାଞ୍ଚାରେ ଚାଷ କରି ସଫଳ ହେଉଛନ୍ତି । କିନ୍ତୁ ସ୍ଥାନୀୟ ଚାଷୀ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଏହି ଅଞ୍ଚଳର ଚାଷୀଙ୍କ ଚାଷ ଜମି କମି କମି ଯାଉଛି । ଯାହା ଚିନ୍ତାର ବିଷୟ ହୋଇଛି । ଏହିପରି ଚାଷ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ, ରାଜନୈତିକ ନେତୃତ୍ୱ ପ୍ରତି ନୂତନ ଆହ୍ୱାନ ସୃଷ୍ଟି କରିଛି ।