ଚିନ୍ମୟୀ ଶକ୍ତି ମା’ ସାରଦା

ପ୍ରବାସିନୀ ମହାନ୍ତି : ଆଧୁନିକ ଯୁଗରେ ବିଜ୍ଞାନ ଯେତେ ଉନ୍ନତ ଓ ସାଫଲ୍ୟ ଦେବାରେ ଗୌରବ ପ୍ରଦାନ କଲେ ମଧ୍ୟ ଦିବ୍ୟଜ୍ଞାନପ୍ରାପ୍ତ ଧର୍ମକୁ କେହି ଅସ୍ୱୀକାର କରିପାରିବେ ନାହିଁ, ବରଂ ସମାଜର ବିକଶିତ ଜୀବନଧାରାକୁ ଅନେକ ସଫଳତା ଓ ସ୍ଥିରତା ପ୍ରଦାନ କରେ । ଆଧ୍ୟାତ୍ମିକଚେତନା ଫଳରେ ଦେବାଂଶୀ ବ୍ୟକ୍ତିମାନେ, ସାମାଜିକ ପରିବେଶରେ ରହି, ଅସତ୍‌ରୁ ସତ, ଅଧର୍ମରୁ ଧର୍ମ, ଅନ୍ୟାୟରୁ ନ୍ୟାୟ ମାର୍ଗରେ ଅନୁସରଣ କରିବାକୁ ପରାମର୍ଶ ଦେଇ ବ୍ୟକ୍ତି ଜୀବନକୁ ସଂସ୍କାରିତ କରନ୍ତି । ଏହା ବ୍ୟକ୍ତିରୁ ପରିବାର, ପରିବାରରୁ ସମାଜର ମୁଖ୍ୟସ୍ରୋତକୁ ଆସି ଏକ ସୁଦୃଢ଼ ସଂସ୍କୃତିସଂପନ୍ନ, ମଂଗଳଦାୟକ  ସମାଜ ସୃଷ୍ଟିକରେ । ମହାମାୟା, ଆଦିଶକ୍ତି, ଯେତେବେଳେ ଅନୁଭବ କରନ୍ତି  ଯେ, ଆସୁରିକ ଶକ୍ତି ଦ୍ୱାରା  ମନୁଷ୍ୟ କବଳିତ ଓ ପ୍ରପୀଡ଼ିତ ହୋଇ ଧ୍ୱଂସ ମୁଖୀ ହେବାକୁଯାଉଛି, ସେତେବେଳେ ସମାଜକୁ ସତ୍‌ ଜ୍ଞାନ, ଭଗବତ୍‌ ବିଶ୍ୱାସ ମାର୍ଗରେ ନେଇଯିବାକୁ ସ୍ୱୟଂ ନିଜ ଲୀଳା ସହଚରୀମାନଙ୍କୁ ଧରି ଏହି ମରଲୋକରେ ମାନବଦେହ ଧାରଣ ପୂର୍ବକ ଅବତରଣ କରନ୍ତି । ଅତୀତରେ ଧର୍ମ ସଂକଟ ଓ ଜାତୀୟ ସଂପଦ ଅତ୍ୟନ୍ତ ବିପର୍ଯ୍ୟୟ ସମ୍ମୁଖୀନର ଘଡ଼ିସନ୍ଧି ମୁହୂର୍ତ୍ତରେ, ଯୁଗ ପ୍ରବର୍ତ୍ତକ ଅବତାର ବରିଷ୍ଠ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସ ଏବଂ ମା ସାରଦା ଦେବୀଙ୍କର ଆବିର୍ଭାବ ଘଟିଛି । ଠାକୁର ରାମକୃଷ୍ଣ ଆଦ୍ୟାଶକ୍ତି ମା’କାଳୀଙ୍କର ମୃଣ୍ମୟୀ ମୂତ୍ତିକୁ ନିଜର ସାଧନା, ବିଶ୍ୱାସ ଓ ଭକ୍ତି ନିଷ୍ଠା ଦ୍ୱାରା ଚିନ୍ମୟୀ ଶକ୍ତିରେ ପରିଣତ କରିଦେଇଥିଲେ । ସେ ମା, ବୋଲି ଡାକିଦେଲେ ମା’ କାଳୀ ତତ୍‌କ୍ଷଣାତ୍‌ ପ୍ରତ୍ୟୁତ୍ତର ଦେଉଥିଲେ । ଆଉ ମା’ସାରଦା ତ୍ରିଗୁଣ ଭେଦରେ ମହାଲକ୍ଷ୍ମୀ, ମହାସରସ୍ୱତୀ ଓ ମହାକାଳୀ ଠାକୁରଙ୍କର ମହତ୍‌କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜନ୍ମ ନେଇଥିଲେ । ଦେବାଂଶୀ, ପବିତ୍ରା, ପତିବ୍ରତା, ମହିୟସୀ ନାରୀ ଦିବ୍ୟ ଦୃଷ୍ଟି ସଂପନ୍ନ ହୋଇ ଆଦର୍ଶ ପତ୍ନୀ ଓ ବିଶ୍ୱ ମାତୃତ୍ୱର ଏକ ଅମ୍ଳାନ ମାତୃସତ୍ତା ଚିନ୍ମୟୀ ଶକ୍ତି ଅଟନ୍ତ ମା’ସାରଦା ଦେବୀ । ୧୨୬୦ସାଲ୍‌, ପୌଷମାସ ୨୨ ଡିସେମ୍ବର ୧୮୫୩ ମସିହା, ଗୁରୁବାର ଦିନ ମା’ ଜନ୍ମ ନେଇଥିଲେ ଏହି ମର୍ତ୍ତ୍ୟାଲୋକରେ । 
    “ତୁଳସୀ ଦୁଇପତ୍ରରୁ ବାସିଲା” ଭଳି ଅଳ୍ପବୟସରୁ ମା’ଙ୍କର ଆଧ୍ୟାତ୍ମଚିନ୍ତାଧାରା ଓ ଦିବ୍ୟଜ୍ଞାନ ସମସ୍ତଙ୍କୁ ଚକିତ କରୁଥିଲା ।  ତାଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ନଥିଲେ ବି, ସେ ପୁରାଣ ରାମାୟଣ, ଭାଗବତ, ଶାସ୍ତ୍ରରୁ ଶୁଣି ଶୁଣି ଜ୍ଞାନ ଆହରଣ କରିଥିଲେ । ସେ ଥିଲେ ସଂପୂର୍ଣ୍ଣ ନିରକ୍ଷର ପଲ୍ଲୀବାଳା । ଅତି ଶୈଶବ କାଳରେ, ମାତ୍ର ପାଞ୍ଚବର୍ଷ ବୟସରେ ସେ ତେଇଶ ବର୍ଷ ବୟସ୍କ ଶ୍ରୀ ରାମକୃଷ୍ଣଙ୍କୁ ବିବାହ କରିଥିଲେ । ଏହାଥିଲା ବିଧିର ବିଧାନ । ସତେ ଯେପରି ଶିବ ପାର୍ବତୀଙ୍କର ମହାମିଳନ । ସୀତା, ସାବିତ୍ରୀଙ୍କର ପ୍ରତିବିମ୍ବ ତାଙ୍କର ଶିଶୁ ସୁଲଭ ବାଳିକା  ପ୍ରାଣକୁ ଆବୋରିଥିଲା ।  କୌଣସି ପ୍ରକାର ଟାହି ଟାପରାକୁ ଭ୍ରୁକ୍ଷେପ ନକରି ମା’ସାରଦା ସ୍ୱାମୀଙ୍କ ପ୍ରତି ଅଚଳ ଭକ୍ତି, ବିଶ୍ୱାସ ଓ କର୍ତ୍ତବ୍ୟ ନିଷ୍ଠା ଦ୍ୱାରା ଜୀବନ ସଂଗ୍ରାମରେ ଆଗେଇ ଚାଲିଥିଲେ । ଏହା ଥିଲା  ଜଗତ୍‌ଜନନୀଙ୍କର ଜନ୍ମଗତ ଚରିତ୍ର । ଦୁଃଖୀ, ଦରିଦ୍ର, ପତିତ, ଦୀନହୀନଙ୍କ ପାଇଁ ତାଙ୍କ ହୃଦୟ କାନ୍ଦି ଉଠୁଥିଲା । ତାଙ୍କ ଭିତରେ ସାଂସାରିକ ଲୋଭ ମୋହ କାମନା, ବାସନା, ଭୋଗ ବିଳାସ ଆଦୌ ନଥିଲା । ଠାକୁରୁ ରାମକୃଷ୍ଣଙ୍କର ହିତୋପଦେଶ ଥିଲା “ଜୀବନର ମୂଳ ଲକ୍ଷ୍ୟ ଭଗବତ୍‌ ଉପଲବଧି” ତାଙ୍କର ସତ୍‌ସଂଗ ଓ ଦିବ୍ୟାନୁଭବ ପାଇଁ ମା’ଙ୍କର ଅନ୍ତର ଦିବ୍ୟ ଚେତନାରେ ପ୍ଲାବିତ ହୋଇଥିଲା । କ୍ରମେ ବୟସ ବଢ଼ି ଷୋହଳ ବର୍ଷରେ ସେ ଉପନୀତ ହେଲେ । ଠାକୁର ସେତେବେଳେ ଚଉତିରିଶ ବର୍ଷର ଯୁବକ । ଯୌବନର ପ୍ରଥମ ପାହଚରେ ମା, ଦଣ୍ଡାୟମାନ  ହୋଇ ସୁଦ୍ଧା ଆତ୍ମସଂଯମ ପୂର୍ବକ ବାସ୍ତବତାକୁ ଧ୍ୟେୟ କରି ସ୍ୱାମୀଙ୍କଠାରୁ ପାଇଥିଲେ ଈଶ୍ୱର ଲାଭର ମହାନ୍‌ ମାର୍ଗ । ମାନବ ସେବା ହିଁ ମାଧବ ସେବା ଓ ବସୁଧୈବ କୁଟୁମ୍ବକମ୍‌ରେ ଅନୁପ୍ରାରିତ ହୋଇ ବିଶ୍ୱମାତୃତ୍ୱକୁ ସାର୍ଥକ କରିଥିଲେ ମା’ ସାରଦା । ଶ୍ରୀ ଶ୍ରୀ ଠାକୁର ଏକଥା ଜାଣି, କହୁଥିଲେ, “ଯେଉଁ ସ୍ତ୍ରୀ ସ୍ୱୀମୀ ସହ ଏକତ୍ର ବାସକରି ମଧ୍ୟ ବ୍ରହ୍ମଚାରିଣୀ, ତାଙ୍କୁ  କେବେ ହେୟ ଜ୍ଞାନ କରିବନି, ତାଙ୍କୁ ଭବତାରିଣୀ ଜଗନ୍ମାତାଙ୍କର ପୂର୍ଣ୍ଣ ଅଂଶ ଓ ଦେବୀ ଅବତାର ବୋଲି ଜାଣିବ ।
    ଦିନେ ଏକାନ୍ତରେ ଠାକୁର ମା’ଙ୍କୁ ପ·ରିଲେ ତୁମେ କ’ଣ ମୋତେ ସଂସାର ପଥକୁ ଟାଣି ନେବାକୁ ଆସିଛ? ସଂଗେ ସଂଗେ ମା’ କହିଲେ- ନା, କଦାଚିତ୍‌ ନୁହେଁ । ତୁମକୁ ଇଷ୍ଟ ପଥରେ ସାହାଯ୍ୟ କରିବାକୁ ମୁଁ ଆସିଛି ।” ତା’ପରେ ମା’ ପ·ରିଲେ ଠାକୁରଙ୍କୁ “ମୋତେ ତୁମେ କ’ଣ ଭାବ ? ରାମକୃଷ୍ଣ କହିଲେ  ମନ୍ଦିରରେ ଯେଉଁ ଭବ ତାରିଣୀ ମା’ ମୋତେ ଧାରଣ କରିଥିଲେ ସେହି ମା’ ଆଜି ମୋର ପଦସେବା କରୁଛନ୍ତି । ମୁଁ ତୁମକୁ ସାକ୍ଷାତ ଜଗଦମ୍ବା ବୋଲି ମନେକରେ।” ପବିତ୍ର ଜୀବନ, ଉତ୍ତମ ସଂସ୍କାର, ଶୁଦ୍ଧବୁଦ୍ଧି, ଲାଭ କରିବା ଥିଲା, ଠାକୁରଙ୍କର ସାଧନା । ଏହା ହିଁ ମହାମାୟାଙ୍କର ଦୟା । ଦେବୀ କବଚର ଶକ୍ତି । ଅବତାରୀମାନେ  ତପଶ୍ଚାରଣ କରି ନିଜର ସାଧନାଦ୍ୱାରା ଶୁଦ୍ଧ ଆଚରଣ ପୂର୍ବକ  ସମାଜକୁ  ସତ୍‌ପଥ ଓ ଧର୍ମ ମାର୍ଗରେ ପରିଚାଳିତ ହେବାକୁ ଉପଦେଶ ଦେଇଥାନ୍ତି । ଠାକୁର ଶ୍ରୀଶ୍ରୀରାମକୃଷ୍ଣ ପରମହଂସ ନାରୀମାନଙ୍କୁ ସର୍ବଦା ମାତୃ ଜ୍ଞାନରେ ଦେଖିବାକୁ କହୁଥିଲେ । ସେଥିପାଇଁ ସେ ସାରଦା ମା’ଙ୍କୁ ଷୋଡ଼ଶ ବୟସରେ ଷୋଡ଼ଶୀ ପୂଜାର  ଅନୁଷ୍ଠାନ କରି ଜଗତର ମଙ୍ଗଳ ନିମନ୍ତେ  ମା’ଙ୍କ ଭିତରେ ଦେବୀତ୍ୱକୁ ଆବାହନ କରିଥିଲେ । ଶୁଦ୍ଧ, ଦେହ, ମନରେ ମହାଶକ୍ତିଙ୍କର ଜାଗ୍ରତ ଘଟେ । ଠାକୁର ଜାଣିଥିଲେ, ତାଙ୍କର ଅବର୍ତ୍ତମାନରେ ତାଙ୍କର ଅଧୁରା ଲୀଳାକୁ କେବଳ ମା’ ସାରଦା ହିଁ ସଂପୂର୍ଣ୍ଣ କରିପାରିବେ । 
     ୧୮୭୨ ଖ୍ରୀଷ୍ଟାବ୍ଦ ଜୁନ୍‌ ମାସ ୫ ତାରିଖ, ଅମାବାସ୍ୟା ତିଥିରେ ଦକ୍ଷିଣେଶ୍ୱର ମନ୍ଦିରରେ  ଫଳହାରିଣୀ କାଳୀପୂଜାର ଆୟୋଜନ ଚାଲିଥାଏ । ଠାକୁରଙ୍କର  ସେହି ରାତ୍ରୀରେ, ମା’ଜଗଦମ୍ବାଙ୍କୁ ତ୍ରିପୁରା ସୁନ୍ଦରୀ ରୂପରେ ଆରାଧନା କରିବାକୁ ମନରେ ଜାଗ୍ରତ ହେଲା । ସେ ମା’ସାରଦାଙ୍କୁ ପୂଜା ସମୟରେ ଉପସ୍ଥିତ ରହିବାକୁ  ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଠାକୁର ମନ୍ତ୍ରୋଚାରଣ କରି ମା’ଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ବସିବାକୁ ଇଙ୍ଗିତ ଦେଲେ । ସାରଦା ଦେବୀଙ୍କୁ ଠାକୁର ଅଳତା, ସିନ୍ଦୂର, ନୂତନବସ୍ତ୍ର ଓ ନୈବେଦ୍ୟ  ଦେଇ ମନ୍ତ୍ରପୂତ ଜଳଦ୍ୱାରା ଅଭିଷେକ କରିଲେ । ପାଦ୍ୟ, ଅର୍ଘ୍ୟ, ଆଚମନ, ସ୍ନାନ, ବସ୍ତ୍ର, ଆଭୂଷଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ତାମ୍ବୁଳ, ଆବାହନୀ ସ୍ତବପାଠ, ତର୍ପଣ, ନମସ୍କାର ପ୍ରଭୃତି ବିଧିପୂର୍ବକ ପୂଜା ଅନୁଷ୍ଠାନ ସଂପନ୍ନ କଲେ । ତା’ପରେ ପ୍ରାର୍ଥନା କଲେ- ହେ ମାତା! ହେ ଷୋଡ଼ଶୀ ତ୍ରିପୁରା ସୁନ୍ଦରୀ, ସିଦ୍ଧିର ଦ୍ୱାର ଉନ୍ମୁକ୍ତ କର । ମା’ଜଗତ୍‌ ଜନନୀ ସାରଦାଙ୍କ ଠାରେ  ଆବିର୍ଭୂତ ହୁଅ ଓ ସର୍ବକଲ୍ୟାଣ ସାଧନ କର । ତା’ପରେ ସେ, ଦେବୀଙ୍କୁ ଆତ୍ମ ନିବେଦନକରି ନିଜ ସାଧନାର ଫଳ ଓ ଜପମାଳା ପ୍ରଭୃତି ସର୍ବସ୍ୱ ଶ୍ରୀଚରଣରେ ଚିରଦିନ ପାଇଁ ବିସର୍ଜ୍ଜନ କଲେ । ମା’ଙ୍କୁ ପ୍ରଣାମ କରି କହିଲେ, ହେ ମଙ୍ଗଳ ସ୍ୱରୂପା! ହେ ଶରଣ ଦାୟିନୀ! ହେ ତ୍ରିନୟନୀ! ହେ ନାରାୟଣୀ! ହେ ଭୁବନେଶ୍ୱରୀ! ତୁମକୁ ମୋର ଶତ ଶତ ପ୍ରଣାମ । ଏହା ଫଳରେ ମାନବୀ ସାରଦା ମା’ଙ୍କର ଦେବୀତ୍ୱର ପୂର୍ଣ୍ଣ ବିକାଶ ହେଲା । ରାମକୃଷ୍ଣ ପରମହଂସ ମା’ଙ୍କ  ଆତ୍ମାରେ ଦେବୀତ୍ୱର ସନ୍ଧାନ ପାଇଁ, ତାଙ୍କୁ ଚିନ୍ମୟୀ ମା’ରୂପେ  ଅନୁବନ୍ଧିତ କଲେ । ସର୍ବସିଦ୍ଧି ଅଧିକାରଣୀ, ମା’ଙ୍କ ଅଲୌକିକ ଭାବଧାରା ତାଙ୍କୁ ବିଶ୍ୱଜନନୀ ରୂପେ ଅବିହିତ କଲା । 
   ମା’ କହୁଥିଲେ ମନ ସବୁବେଳେ ଅସ୍ଥିର, ଚଞ୍ଚଳ ବେଶୀ ଖରାପ ଦିଗକୁ ଦୌଡେ଼ । ଏହା ମନର ସ୍ୱାଭାବିକ ପ୍ରକ୍ରିୟା । ତେଣୁ ମଣିଷ ନ୍ୟାୟ ଧର୍ମ ଆଡ଼କୁ ଯିବାକୁ ହେଲେ ଭଗବାନଙ୍କୁ ଅହରହ ପ୍ରାର୍ଥନା  ଧ୍ୟାନ, ସ୍ମରଣ, ମନନ, ଜପ କରିବାକୁ ହେବ । ଶୁଦ୍ଧ ଆଚରଣ ଦ୍ୱାରା ସିଦ୍ଧିଲାଭର ସହଜ, ସୁଗମ,  ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ ହୁଏ । ସେ ସମାଜକୁ ଓ ସଂସାର ବାସୀଙ୍କୁ  ଶିକ୍ଷା ଦେଇଥିଲେ, ମନକୁ ନିୟନ୍ତ୍ରଣ, ଅନ୍ୟର ଦୋଷକୁ ନ ଧରି ନିଜର ଦୋଷର ସମୀକ୍ଷା, ସାଧନା କରିବା, ଖାଦ୍ୟ ଗ୍ରହଣ ପୂର୍ବରୁ ଭଗବାନ୍‌ଙ୍କ ଉଦ୍ଦେଶ୍ୟରେ  ଖାଦ୍ୟ ସମର୍ପଣ କରିବ । ଅନ୍ୟର  ପାପ ଓ ଦୋଷକୁ କ୍ଷମା ଦେବା, ସମସ୍ତଙ୍କୁ ଭଲ ପାଇବା, ସ୍ୱାମୀଙ୍କ ସହ ଧର୍ମ ଆଚରଣ କରିବା, ସବୁବେଳେ ସକାରାତ୍ମକ ଚିନ୍ତାକରିବା, ଶୃଙ୍ଖଳିତ ଭାବେ ଜୀବନ ଯାପନ କରିବା, ଠାକୁରଙ୍କର ନାମ ନେବା, ତାଙ୍କ ପାଖରେ ନିଜକୁ ସମର୍ପଣ କରିବା, କୁସଂସ୍କାର ତ୍ୟାଗ କରିବା । ବିଶେଷତଃ ସ୍ତ୍ରୀ ଲୋକମାନେ, ସେବା କରିବା, ଧୈର୍ଯ୍ୟ ରଖିବା, ଶାନ୍ତ ରହି, ହିଂସା, ରାଗ, କୁଚିନ୍ତା ପରିହାର କରିବା ଏହାହିଁ ଥିଲା ମଣିଷ ସମାଜକୁ ଶିକ୍ଷାଦାନ । 
   “ଅନନ୍ତକୋଟି ବ୍ରହ୍ମାଣ୍ଡ ମା’ଙ୍କର ଲୋମ କୂପରେ ରହିଛି । ଆମେ ସେହି ମହାମାୟା ମହାଶକ୍ତିଙ୍କୁ ଜୀବଜଗତ ଓ ପ୍ରକୃତିରୂପେ ଦେଖୁଛୁ । ଯଦିଓ ସେ ଗୋଟିଏ ଛୋଟଘରେ ରହି ସର୍ବଦା ସ୍ୱାମୀ ରାମକୃଷ୍ଣଙ୍କର ସେବାରେ ରହୁଥିଲେ ।” ପରମହଂସଙ୍କର ଶିଷ୍ୟ ଶିରୋମଣି, ବିବେକାନନ୍ଦ ଠାକୁରଙ୍କ ଅପେକ୍ଷା ମା’ଙ୍କୁ ବେଶୀ ଗୁରୁତ୍ୱ ଦେଉଥିଲେ । କହୁଥିଲେ, “ଠାକୁରଙ୍କ କଥା ଯଦି ରଖି ନପାରିବ ତେବେ ରକ୍ଷା ଅଛି କିନ୍ତୁ ମା’ଙ୍କ କଥାକୁ ଅବମାନନା କରିବା ସାହସ ଆମର ନାହିଁ ।” ଆଜି ବଙ୍ଗ ପ୍ରଦେଶର ଜୟରାମବାଟୀ ଅଗଣିତ ନରନାରୀଙ୍କର ପୁଣ୍ୟତୀର୍ଥରେ ପରିଣତ ହୋଇଛି । ଯେଉଁଘରେ ଜୈନକ ବ୍ରାହ୍ମଣ ରାମଚନ୍ଦ୍ର ମୁଖୋପାଧ୍ୟାୟ ଓ ତାଙ୍କ ସହଧର୍ମିଣୀ ଶ୍ୟାମା ସୁନ୍ଦରୀଙ୍କର ଜ୍ୟୋଷ୍ଠକନ୍ୟା ରୂପେ, ଲକ୍ଷ୍ମୀ ଠାକୁରାଣୀ ସ୍ୱୟଂ ଆବିର୍ଭୂତା ହୋଇଥିଲେ । ଭୂମିଷ୍ଠ ହେବା ପୂର୍ବରୁ, ମା’ସାରଦା ତାଙ୍କ  ପିତା ମାତାଙ୍କୁ ସ୍ୱପ୍ନରେ ଦେଖାଦେଇ  କହିଥିଲେ, “ମୁଁ ତୁମ ଘର ଅଗଣାକୁ ଆସିଗଲି ।” ମଫସଲ ଗା’ର ନିରକ୍ଷରା ଝିଅଟିଏ । ସେ ସମୟରେ ଠାକୁର ପରମହଂସଙ୍କର ଶିଷ୍ୟ, ସନ୍ତାନ ମାନଙ୍କୁ କେବଳ  ରାନ୍ଧିବାଢ଼ି ଖାଇବାକୁ ଦେବା ଥିଲା ତାଙ୍କର ପ୍ରଧାନ କର୍ତ୍ତବ୍ୟ । କିନ୍ତୁ ପରବର୍ତ୍ତୀ ସମୟରେ, ମହାଜ୍ଞାନୀ, ବୈଜ୍ଞାନିକ ଓ ବିଦେଶୀ ଭକ୍ତମାନେ ଆସି  ମା’ଙ୍କର ଚରଣରେ ମଥାନତ କରି  ବାରମ୍ବାର ପ୍ରଣାମ କରୁଥିଲେ । ଏବେବି ତାଙ୍କର ଫଟୋଚିତ୍ରରେ ସାରା ପୃଥିବୀର ସାଧୁ, ସନ୍ଥ , ଜ୍ଞାନୀ ଲୋକମାନେ ପୁଷ୍ପ ଅର୍ପଣ କରୁଛନ୍ତି ।  ମାତ୍ର ପ·ଶବର୍ଷ ଶ୍ରୀରାମକୃଷ୍ଣ ଦେବ ଏହି ଧରାଧାମରେ ରହି ଅଳ୍ପାୟୁରେ ଇହଲୀଳା ସମ୍ବରଣ କରିଥିଲେ । କିନ୍ତୁ ଏହି ଲୀଳାମୟୀ ମା’, ମାନବ ଶରୀର ଧାରଣ କରି  ଅଗଣିତ ମନୁଷ୍ୟଙ୍କୁ  ଠାକୁରଙ୍କ ପ୍ରଦତ୍ତ ଜ୍ଞାନ ବାଣ୍ଟି ଦେଉଥିଲେ, ତାହା ଚିନ୍ତାକଲେ ଆଶ୍ଚର୍ଯ୍ୟ ଲାଗେ । 
   ଆଦର୍ଶ କନ୍ୟା, ଭଗ୍ନୀ, ଜାୟା, ପ୍ରତିବେଶିନୀ ରୂପେ , ମାତା ଓ ଗୁରୁ ରୂପେ ଦୟା, କରୁଣା, ସେବା, ସ୍ନେହ, ମମତା, ଭକ୍ତି, ମୁକ୍ତି ଓ କ୍ଷମା ରୂପେ ଶ୍ରୀ ମା ସାରଦାଦେବୀଙ୍କୁ ଏ ଯୁଗରେ ଜଗତ ପାଇଅଛି । ଜାତି, ଧର୍ମ ନିର୍ବିଶେଷରେ ଏହି ଐଶୀମାତୃତ୍ୱ ନିକଟରେ ଧନୀ, ନିର୍ଦ୍ଧନ, ପଣ୍ଡିତ, ମୁର୍ଖ , ସନ୍ନ୍ୟାସୀ, ଗୃହସ୍ଥ, ହିନ୍ଦୁ, ମୁସଲମାନ୍‌, ଏପରିକି ସଜ୍ଜନ, ଦୁର୍ଜ୍ଜନର ଭେଦ ବି·ର ନଥିଲା । ଯିଏ ଥରେ ତାଙ୍କୁ , ମା’ବୋଲି ଡାକିଛି ସେ ତାକୁ ଅଭୟ କୋଳରେ ସ୍ଥାନ ଦେଇଛନ୍ତି । ଦୁର୍ଦ୍ଦାନ୍ତ, ଖୁନୀ, ଡକାୟତ, ଚୋର ଓ ପତିତମାନେ ମା’ଙ୍କ କୃପା ପାଇ ନିଜ ଜୀବନକୁ ପରିବର୍ତ୍ତନ କରିଥିଲେ ଓ ମା’ଙ୍କ ଦିବ୍ୟମନ୍ତ୍ର ପାଇ ଘୃଣ୍ୟ ପେସା ଛାଡ଼ି ଭକ୍ତ ହୋଇଯାଇଥିଲେ । ଶ୍ରୀଶ୍ରୀ ମା’ ସେହି ତାରକ-ବ୍ରହ୍ମ-ମହାମନ୍ତ୍ର ଶୁଣାଇ କହିଥିଲେ “ମୋର ସନ୍ତାନ ଯଦି ଧୂଳି, କାଦୁଅ ବୋଳିହୋଇଥାଏ ମୋତେ ତ ପୁଣି ତାକୁ ଧୋଇ ସଫାକରି କୋଳକୁ ନେବାକୁ ପଡ଼ିବ ।” ଥରେ ଭଗିନୀ ନିବେଦିତା ମା’ଙ୍କୁ ପ·ରିଥିଲେ- କିଏ ତୁମେ ମା’ ? ମୋର ପ୍ରାର୍ଥନା ବେଳେ ମେରୀଙ୍କ ସ୍ଥାନରେ ତୁମେ ଉଭାହୁଅ କିପରି ? ମା’ ସାରଦା ଦେବୀଙ୍କ ମଧ୍ୟରେ ମାନବୀ ଓ ଦେବୀ ଭାବର ଅପୂର୍ବ ମିଶ୍ରଣ ଦେଖିବାକୁ ମିଳେ ।  ସେ ଥିଲେ ‘ପୁରାତନ’ର ଶେଷ ଅଭିବ୍ୟକ୍ତି ଓ ‘ନୂତନ’ର ସାର୍ଥକ ପ୍ରତୀକ ।
ମୋ-୮୯୨୬୧୪୭୦୩୪