ପଲ୍ଲୀଜୀବନର ରୂପକାର ନନ୍ଦକିଶୋର

“ମେଘ ବରଷଇ ଟପର ଟପର କେଶୁର ମାଇଲା ଗଜା
କେଉଁ ରାଇଜରେ ରହିଲେ ରଜା ଗୋ ତେଲିଙ୍ଗି ବାଇଦ ବଜା” 


ହିମାଂଶୁ ଶେଖର ଆଚାର୍ଯ୍ୟ : ଉକ୍ରଳର ଘରେ ଘରେ ଊଣା ଅଧିକେ ସମସ୍ତେ ଏହି କବିତାଂଶଟି ସହିତ ପରିଚିତ। ଏହି କବିତାଂଶଟି ପଲ୍ଲୀକବି ନନ୍ଦକିଶୋର ବଳଙ୍କ “ନିର୍ଝରିଣୀ”ର “ନବବର୍ଷା ଭାବନା” କବିତାରେ ଉଲ୍ଲେଖ କରିଛନ୍ତି । ସେହିପରି “ଡାମରା କାଉ” କବିତାରେ - ଡାମରା କାଉରେ ଡାମରା କାଉ, ଉଚ୍ଚପରବତେ ବୋବାଉଥାଉ “ କବିତା ପଂକ୍ତି ତାଙ୍କ ସାରସ୍ୱତ ପ୍ରତିଭାର କଥାକହେ । ତାଙ୍କର ସୃଜନଶୀଳତା ଏ ମାଟିର ପଲ୍ଲୀ ଜୀବନକୁ ବେଶ୍‌ ସରସ ସୁନ୍ଦର କରିପାରିଛି । ଯଥାର୍ଥରେ ସେ ଥିଲେ ପଲ୍ଲୀକବି । ତାଙ୍କର କାଳଜୟୀ ସୃଷ୍ଟିରେ ପଲ୍ଲୀ ଚିତ୍ର  ଓ ଗ୍ରାମ୍ୟ ଜୀବନର ବର୍ଣ୍ଣନା ଏତେ କମନୀୟ ହୋଇଉଠିଛି ଯେ ଏକଥା ଯେ କେହି ପାଠକ ନିଃସନ୍ଦେହରେ ସ୍ୱୀକାର କରିବେ ।     

                


    ୧୮୭୫ ମସିହା ଡିସେମ୍ବର ୨୨ତାରିଖରେ ନନ୍ଦକିଶୋର କଟକ ଜିଲ୍ଲା କୁସୁପୁର ଗ୍ରାମରେ ପିତା ଭଜନାନନ୍ଦ ଜେନା ଓ ମାତା ହିରଣ୍ମୟୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ବାଲ୍ୟକାଳରୁ ତାଙ୍କ ପ୍ରତିଭାର ଉନ୍ମେଷ ଘଟିଥିଲା । ସେ କୁସୁପୁର ପ୍ରାଥମିକ ବିଦ୍ୟାଳୟ, କଟକ ଟାଉନ୍‌ ସ୍କୁଲ୍‌, ରେଭେନ୍ସା କଲିଜିଏଟ୍‌ ସ୍କୁଲ୍‌ ଓ କେନ୍ଦ୍ରାପଡା ହାଇସ୍କୁଲରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଲାଭକରି ପରେ ରେଭେନ୍ସା କଲେଜରୁ ସ୍ନାତକ ଶିକ୍ଷା ଲାଭ କରିଥିଲେ । ପ୍ରଥମେ ଶିକ୍ଷକତାରୁ ନିଜର କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ ସେ । ପରବର୍ତ୍ତୀ ସମୟରେ ନିଜର କାର୍ଯ୍ୟକୁଶଳତା ଯୋଗୁଁ ୧୯୦୩ ମସିହାରେ କଟକ ଜିଲ୍ଲା ବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍ସପେକ୍ଟର, ୧୯୧୧ ମସିହାରେ ସମ୍ବଲପୁର ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ, ୧୯୧୫ ମସିହାରେ ଡେପୁଟି ଇନ୍ସପେକ୍ଟର ଭାବେ କାର୍ଯ୍ୟ ସେ ତାଙ୍କର ପାରଦର୍ଶିତାର ପ୍ରମାଣ ଦେଇଥିଲେ । ଏସବୁ ଥିଲା ତାଙ୍କ ପାଇଁ ଗୋଟିଏ ଗୋଟିଏ ଅଗ୍ନି ପରୀକ୍ଷା । ସବୁ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ନନ୍ଦକିଶୋର । ତାଙ୍କ ଦକ୍ଷତା ଓ କୃତିତ୍ୱକୁ ସ୍ୱୀକୃତି ଜଣାଇ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କୁ “ରାୟ ବାହାଦୁର” ଉପାଧି ପ୍ରଦାନ କରିଥିଲେ । କର୍ମମୟ ଜୀବନରେ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇଥିଲେ ବି ସାହିତ୍ୟ ସାଧନାରୁ ବିରତ ହୋଇନଥିଲେ ନନ୍ଦକିଶୋର । ସେ ଚିହ୍ନିଥିଲେ ମାଆକୁ,ମାଟିକୁ ଓ ମାତୃଭାଷାକୁ । ପଲ୍ଲୀଜୀବନର ଜଣେ ସାର୍ଥକ ରୂପକାର ଥିଲେ ନନ୍ଦକିଶୋର ବଳ । ତାଙ୍କ ଲେଖନୀରେ ଭରି ରହିଥିଲା ପଲ୍ଲୀଜୀବନର କଥା-ବ୍ୟଥା ବେଦନା-ଯନ୍ତ୍ରଣା,ସୁଖ-ଦୁଃଖ ଓ ସବୁକିଛି । ତାଙ୍କ ରଚିତ ‘ପଲ୍ଲୀଚିତ୍ର’, “ନିର୍ଝରିଣୀ”, ‘ବସନ୍ତ କୋକିଳ’, “ତରଙ୍ଗିଣୀ”,”ଚାରୁଚିତ୍ର”, “ଶର୍ମିଷ୍ଠା”, “ଜନ୍ମଭୂମି”,  “ନିର୍ମାଲ୍ୟ” ଓ “ନାନାବାୟା ଗୀତ” ପ୍ରଭୃତି କାବ୍ୟକୁଞ୍ଜ ଓଡିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ । ଏଥିସହିତ ରୋମାଣ୍ଟିକ ଓ ଐତିହାସିକ କବିତା ଲେଖିବାରେ ମଧ୍ୟ ଧୁରନ୍ଧର ଥିଲେ ସେ । ସେହିପରି ଐତିହାସିକ କାବ୍ୟ “କୃଷ୍ଣା କାବେରୀ” ରେ ତାଙ୍କ କବିତ୍ୱର ଛିଟା ସ୍ପଷ୍ଟ ବାରି ହୋଇପଡେ । ଏଥିସହିତ ରାଶି ରାଶି ଚତୁର୍ଦ୍ଦଶୀ ପଦୀ କବିତା ମଧ୍ୟ ସେ ଲେଖିଯାଇଛନ୍ତି । 


    ନନ୍ଦ କିଶୋର ଜଣେ କାବ୍ୟକାର ଓ ପଲ୍ଲୀକବି ଭାବରେ ଯେପରି ପ୍ରତିଷ୍ଠିତ,ଜଣେ ଦକ୍ଷ ଗଦ୍ୟଶିଳ୍ପୀ ଭାବେ ମଧ୍ୟ ସେପରି ପ୍ରତିଷ୍ଠିତ । ତାଙ୍କର ପ୍ରବନ୍ଧ ଓ ଜୀବନୀ  ଗଦ୍ୟ ସାହିତ୍ୟରେ ତାଙ୍କ  କୃତିତ୍ୱର ପ୍ରମାଣ ଦିଏ । କର୍ମ,ସଂଗ୍ରାମ ଓ ଜୀବନ ଏବଂ ଉତ୍କଳ ସାହିତ୍ୟ ଇତ୍ୟାଦି ତାଙ୍କର ତତ୍ତ୍ୱନିଷ୍ଠ ପ୍ରବନ୍ଧ । ରାୟ ମଧୁସୂଦନ ରାଓ ,ଉତ୍କଳ କବି ଫକୀର ମୋହନ,ମହାରାଜ ଚନ୍ଦ୍ରଗୁପ୍ତ ତାଙ୍କର ଗୋଟିଏ ଗୋଟିଏ ଜୀବନୀ ମୂଳକ ପ୍ରବନ୍ଧ । ଭାରତର ଭବିଷ୍ୟତ ଭାଷା ପ୍ରବନ୍ଧ ତାଙ୍କ ସଫଳ ସୃଷ୍ଟିର ଆଉ ଏକ ନମୁନା । ଏଥିରୁ ଭାରତ ବର୍ଷର ଏକତା ପାଇଁ ତାଙ୍କର ଭବିଷ୍ୟତ ଦୃଷ୍ଟି ଯେ କେତେ ବାସ୍ତବ ତାହା ଏଇ ପ୍ରବନ୍ଧରୁ ସୂଚୀତ ହୁଏ । ସେହିପରି କନକଲତା ଉପନ୍ୟାସ ଓ ଲକ୍ଷ୍ମୀ ଗଳ୍ପ ତାଙ୍କ ସାହିତ୍ୟ କୃତିର ପରିଚୟ ଦିଏ । ଯେଉଁଥିପାଇଁ କନକଲତା ଉପନ୍ୟାସକୁ ବାଗ୍ମୀ ବିଶ୍ୱନାଥ କର ଫକୀର ମୋହନଙ୍କ ଛଅମାଣ ଆଠ ଗୁଣ୍ଠ ପରେ ଖାଣ୍ଟି ଓଡିଆ ଉପନ୍ୟାସ ଭାବେ ଗ୍ରହଣ କରିଛନ୍ତି । ପ୍ରକୃତରେ କହିବାକୁ ଗଲେ ପଲ୍ଲୀକବି ନନ୍ଦକିଶୋରଙ୍କ ସୃଷ୍ଟି ବିପୁଳ ଓ ବିବିଧ । କବି ରାଧାନାଥ ଓ ତଦୀୟ କବିତା ନନ୍ଦକିଶୋରଙ୍କ ଏକ ଉକ୍ରୃଷ୍ଟ ସମାଲୋଚନା । ତୁଳନାତ୍ମକ ଦୃଷ୍ଟିକୋଣରୁ ସେ କବିବର ରାଧାନାଥଙ୍କ କାବ୍ୟର ବିଚାର କରି ତାଙ୍କ ଦୋଷ ଓ ଗୁଣକୁ ସଠିକ ଭାବରେ ଦର୍ଶାଇଛନ୍ତି । ସେହିପରି ଭକ୍ତକବି ମଧୁସୂଦନଙ୍କର ଛାନ୍ଦମାଳା ୧ମ ଭାଗ ଓ ଛାନ୍ଦମାଳା ୨ୟ ଭାଗର ସମାଲୋଚନା ତାଙ୍କ ପାଣ୍ଡିତ୍ୟର ପରିଚୟ ଦେଇଥାଏ । “ଚିଠିର ଉତ୍ତର” ମଧ୍ୟ ତାଙ୍କ ସମାଲୋଚନାତ୍ମକ ଦୃଷ୍ଟିଭଙ୍ଗୀର ନିଚ୍ଛକ ଉଦାହରଣ । ସେ ଯେଉଁସବୁ ଚିଠି କବିବର ରାଧାନାଥ, ଗଙ୍ଗାଧର ମେହେର, ଶଶୀଭୂଷଣ ରାୟ,ପଦ୍ମଚରଣ ପଟ୍ଟନାୟକ ପ୍ରମୁଖଙ୍କ ନିକଟକୁ ଲେଖିଥିଲେ ସେଗୁଡିକ ଗୋଟିଏ ଗୋଟିଏ ଅମୂଲ୍ୟ ସମ୍ପଦ । ସେସବୁ ଚିଠିରେ ସାହିତ୍ୟିକ ମୂଲ୍ୟାୟନ ସହିତ ବ୍ୟକ୍ତିତ୍ୱର ମଧ୍ୟ ତୁଳନା ହୋଇଅଛି । 

                 

ସେଥିପାଇଁ ସେ ଲେଖିଥିଲେ-
“ ଓଡିଆଙ୍କ ପାଇଁ ଓଡିଆ -ପ୍ରଦେଶ
ପ୍ରବର୍ତ୍ତିତ ହେଉ ଏ ନ୍ୟାୟ ନୀତି
ଗାଇବ ଉତ୍କଳ ଯାବତ୍‌ ଚନ୍ଦ୍ରାର୍କ
ବ୍ରିଟିଶ ରାଜାଙ୍କ ନ୍ୟାୟ- କୀରତି”

  ଶୋକ କବିତା ଲେଖିବାରେ ମାହିର ଥିଲେ ନନ୍ଦକିଶୋର । ସରଳ, ସାବଲୀଳ ଭାଷା ଓ ମନୋରମ ଶଦ୍ଦ ସଂଯୋଜନା ତାଙ୍କ ଶୋକ କବିତାର ମୁଖ୍ୟ ବୈଶିଷ୍ଟ୍ୟ ଥିଲା । ଭକ୍ତକବି ମଧୁସୂଦନଙ୍କ ମୃତ୍ୟୁରେ ସେ ଲେଖିଥିଲେ “କାହିଁ ଗଲେ ଆହେ ଶ୍ରୀ ମଧୁସୂଦନ/ତେଜି କର୍ମମୟ ଧରଣୀ/ତୁମ୍ଭ ବିଚ୍ଛେଦରେ ବିଷାଦ କାତରେ /କାନ୍ଦନ୍ତି ଉତ୍କଳ ଜନନୀ/କାଳରେ ! କି ଦାରୁଣ ତୋ ଏ ବିଧି/କହ କହ କାଳ ଲୁଚାଇଲୁ କାହିଁ/ଅମୂଲ୍ୟ ସମ୍ପଦ  ନିଧି” ?/ସେହିପରି କବିବର ରାଧାନାଥ ରାୟଙ୍କ ସ୍ମୃତିରେ ସେ ଲେଖିଛନ୍ତି -/“ ସତେ କି ହେ କବିବର/ମଧୁ ମୁରତି ତୁମ୍ଭର/ଚିରକାଳକୁ ଲୁଚିଲା ଧରଣୀ ତଳୁ/ସେ ସୌମ୍ୟ ସୁନ୍ଦରାନନ/ଦେଖିବ ନାହିଁ ନୟନ/ଆଉ ଏ ଜୀବନେ ଆହା ଅଭାଗ୍ୟ ବଳୁଁ  ! ଉତ୍କଳମାତାର ଏହି ପ୍ରତିଭାଦୀପ୍ତ ମଣିଷ ଆଜି ଆମ ଗହଣରେ ନାହାଁନ୍ତି । ୧୯୨୮ ମସିହା ଜୁଲାଇ ୧ତାରିଖ ରେ ତାଙ୍କର ଦେହାନ୍ତ ହୋଇଯାଇଛିଁ । ହେଲେ ତାଙ୍କ ସାରସ୍ୱତ ସାଧନା ପାଇଁ ସେ ଚିରକାଳ ସ୍ମରଣୀୟ ହୋଇ ରହିବେ । ତାଙ୍କରି ଭାଷାରେ -/“ଜାଣେ ମୁଁ ମୋର ଏ ଲେଖନୀ/ମୃତ୍ୟୁ ପରେ ମୋତେ/ମନେ ରଖିବ/କିଛିଦିନ ଏ ଧରଣୀ”। ଆଜି ତାଙ୍କ ୧୪୬ତମ ଜୟନ୍ତୀ ପାଳନ ଅବସରରେ ସାରସ୍ୱତ ପରିଷଦ ପରିବାର ତରଫରୁ ତାଙ୍କୁ ବିଶେଷ ଶ୍ରଦ୍ଧା ନିବେଦନ ।            

ମୋ-୯୯୩୭୧୫୧୦୫୨