ବଢୁଛି ଶରଣାର୍ଥୀ ସମସ୍ୟା

  ଗୋପାଳ  ମହାପାତ୍ର : ଶରଣାର୍ଥୀ ପ୍ରସଙ୍ଗରେ ଭାରତ ସର୍ବଦା ଉଦାର ମାନସିକତା ପ୍ରଦର୍ଶନ କରିଆସିଛି । କିନ୍ତୁ ଶରଣାର୍ଥୀ ସମସ୍ୟା ଭାରତ ପାଇଁ ସଙ୍କଟ ଜନକ ପରିସ୍ଥିତି ସୃଷ୍ଟି କରିଛି । ଏହା ମଧ୍ୟ ଏକ ଚିନ୍ତାର ବିଶୟ । କିଛି ଦିନ ତଳେ ମାନ୍ୟବର ସୁପ୍ରିମ୍କୋର୍ଟ ଶରଣାର୍ଥୀଙ୍କ ପ୍ରସଙ୍ଗରେ କଡ଼ା ମାନସିକତା ଦେଖାଇ କହିଛନ୍ତି ଯେ “ଭାରତ ଏକ ଧର୍ମଶାଳା ନୁହେଁ । ସାରା ଦୁନିଆରୁ ଆସୁଥିବା ଲୋକଙ୍କୁ ଶରଣ ଦେବାର କୌଣସି କାରଣ ନାହିଁ, ଭାରତ ଏମିତି ଲୋକଙ୍କ ଶରଣ ଦେଉଛି କାହିଁକି?” ଶ୍ରୀଲଙ୍କାରୁ ଆସିଥିବା ତାମିଲ ଶରଣାର୍ଥୀଙ୍କ ଆବେଦନକୁ ବିଚାର କରି ମାନ୍ୟବର ସୁପ୍ରିମ୍କୋର୍ଟ ଏକଥା ସ୍ପଷ୍ଟ ଭାବେ କହିଛନ୍ତି । ମାନ୍ୟବର କୋର୍ଟ କହିଛନ୍ତି ଯେ ଭାରତର ଜନ ସଂଖ୍ୟା ଏବେ ୧୪୦ କୋଟି ଟପିଲାଣି  । ଦେଶ ଉପରେ ଏତେ ଲୋକଙ୍କର ବୋଝ ରହିଛି ଏଣୁ ଅନେକ ସମସ୍ୟା ବି ରହିଛି । ଏଣୁ ସବୁ ଜାଗାରୁ ଆସୁଥିବା ଶରଣାର୍ଥୀଙ୍କୁ ଶରଣ ଦେବା ସମ୍ଭବ ନୁହେଁ । ସୁପ୍ରିମକୋର୍ଟର ବିଚାରପତି ଦୀପାଙ୍କର ଦତ୍ତା ଏବଂ ବିଚାରପତି ବିନୋଦ ଚନ୍ଦନଙ୍କ ପୀଠ ଶ୍ରୀଲଙ୍କା ଶରଣାର୍ଥୀଙ୍କୁ ଜେଲକୁ ପଠାଯିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ମନା କରି ଦେଉଥିଲେ । ଶରଣାର୍ଥୀଙ୍କୁ ଶରଣ ପ୍ରଦାନ ସମ୍ପର୍କରେ ମାମଲା ଦାଏର କରିଥିବା ଆବେଦନକାରୀ ଓ ଅନ୍ୟ ଦୁଇଜଣଙ୍କୁ ୨୦୧୫ରେ ଶ୍ରୀଲଙ୍କା ପ୍ରତିବନ୍ଧିତ ସଂଗଠନ ଲିଟେ ସହ ବଡିତ ଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ଗିରଫ ଶ୍ରୀଲଙ୍କା ନାଗରିକଙ୍କ ପକ୍ଷରୁ ଭାରତରେ ସେମାନଙ୍କୁ ଶରଣ ପ୍ରଦାନ କରାଯିବା ପାଇଁ ସୁପ୍ରିମ୍କୋର୍ଟରେ ମାମଲା ଦାଏର କରାଯାଇଥିଲା ।
ଆବେଦନକାରୀଙ୍କ ଓକିଲ କୋର୍ଟରେ ଦର୍ଶାଇଥିଲେ ଯେ ଆବେଦନକାରୀ ଓ ଅନ୍ୟ ଦୁଇଜଣ ଶ୍ରୀଲଙ୍କାର ନାଗରିକ ଓ ଏମାନେ ଭିସାରେ ଭାରତ ଆସିଥିଲେ । ଶ୍ରୀଲଙ୍କାରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏମାନଙ୍କ ବିରୁଦ୍ଧରେ ନିର୍ବାସନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ଓ ଏମାନେ ପାଖାପାଖି ୩ବର୍ଷ ହେବ ନଜରବନ୍ଦ ଅଛନ୍ତି । ସଂପୃକ୍ତ ଓକିଲଙ୍କ ଏହି ଯୁକ୍ତ ଶୁଣିବା ପରେ ବିଚାରପତି ଦତ୍ତା ପ୍ରଶ୍ନ କରିଥିଲେ ଯେ ଭାରତରେ ରହିବା ପାଇଁ ଏମାନଙ୍କର କ’ଣ ଅଧିକାର ରହିଛି? ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇ କହିଥିଲେ ଯେ ଏମାନେ ଶରଣାର୍ଥୀ ଅଟନ୍ତି । ଏକଥା ଶୁଣି ବିଚାରପତି ଦତ୍ତା କହିଥିଲେ ଭାରତରେ ଦୁନିଆର ଯେ କୌଣସି ଦେଶରୁ ଶରଣାର୍ଥୀ ଆସି ବସବାସ କରିପାରିବେ ନାହିଁ । ଏଥି ପୂର୍ବରୁ ପ୍ରଧାନ ବିଚାରପତି ଡ଼ିଓ୍ୟାଇ ଚନ୍ଦ୍ରଚୂଡ଼ ଏଭଳି ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ଶରଣାର୍ଥୀ ମାନେ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପତ୍ତି ସୃଷ୍ଟି କରି ପାରନ୍ତି ଏବଂ ଭାରତର ସୀମିତ ସଂସାଧନକୁ ଦୃଷ୍ଟିରେ ରଖି ଶରଣାର୍ଥୀ ପ୍ରସଙ୍ଗ ଉପରେ ଅଧିକ ତର୍ଜମା ଆବଶ୍ୟକ । ଭାରତ ପୁର୍ବରୁ ଅନେକ ଦେଶର ଶରଣାର୍ଥୀଙ୍କୁ ଶରଣ ଦେଇଛି କିନ୍ତୁ ଏହା ଏବେ ସମ୍ଭବ ନୁହେଁ । ଭାରତକୁ ତିବ୍ଦତ, ଶ୍ରୀଲଙ୍କା, ମ୍ୟାମାର, ଆଫଗାନିସ୍ଥାନ, ପାଲେଷ୍ଟାଇନ ଓ ସୋମାଲିଆରୁ ଶରଣାର୍ଥୀ ଆସୁଛନ୍ତି । ଶରଣାର୍ଥୀ ସଙ୍କଟକୁ ମାନବୀୟ ମାନସିକତା, ରାଷ୍ଟ୍ରୀୟ ସୁରକ୍ଷା ଏବଂ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାର ଉପଯୋଗ କରି ସମାଧାନ କରାଯାଇପାରେ । ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ କୌଣସି ଦେଶର ନାଗରିକଙ୍କୁ ତାଙ୍କ ଦେଶରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ସେତେବେଳେ ବାଧ୍ୟ ହୋଇ ତାଙ୍କୁ ଅନ୍ୟ ଦେଶରେ ଶରଣ ନେବାକୁ ପଡିଥାଏ । ଶରଣାର୍ଥୀ ସେଇମାନଙ୍କୁ କୁହାଯାଏ ଯେଉଁମାନେ ଜାତି, ଧର୍ମ, ରାଷ୍ଟ୍ରୀୟତା, କୌଣସି ବିଶେଷ ସାମାଜିକ ବା ରାଜନୈତିକ ଗୋଷ୍ଠୀର ସଂଘର୍ଷ ଏବଂ ସର୍ବଜନିକ ବ୍ୟବସ୍ଥାକୁ ଗୁରୁତର ଭାବେ ବାଧିତ କଲାଭଳି ଘଟଣା କାରଣରୁ ନିର୍ଯାତିତ ହୋଇ ଅନ୍ତର୍ଜାତୀୟ ସୀମା ପାରକରି ଅନ୍ୟ ଦେଶକୁ ଆସିଥାନ୍ତି । ଶରଣାର୍ଥୀ ସମସ୍ୟା ବିଗତ ଏକ ଶତାବ୍ଦୀ ହେବ ବିଶ୍ୱପାଇଁ ଏକ ବଡ଼ ସମସ୍ୟାରେ ପରିରତ ହୋଇଛି । ବିଭିନ୍ନ ପ୍ରାକୃତିକ ଏବଂ ମାନବୀୟ ଆପଦ ଯଥା – ଭୂକମ୍ପ, ସମୁଦ୍ରର ଜଳସ୍ତର ବୃଦ୍ଧି, ମରୁଡ଼ି, ଦାରିଦ୍ର୍ୟ, ଗୃହଯୁଦ୍ଧ, ଆତଙ୍କବାଦ ଏବଂ ଯୁଦ୍ଧ ଭଳି ପରିସ୍ଥିତିରେ ବିସ୍ଥାପନ ବଢ଼ୁଛି । ଦାରିଦ୍ର୍ୟ ଗୃହଯୁଦ୍ଧ ଏବଂ ଆଭ୍ୟନ୍ତରୀଣ ସଂଘର୍ଷ କାରଣରୁ ଲୋବାନନ ସିରିଆ ଏବଂ ଲିବ୍ୟାରୁ ବହୁସଂଖ୍ୟାକ ଲୋକ ୟୁରୋପୀୟ ଦେଶ ମାନଙ୍କୁ ପଳାୟନ କରୁଛନ୍ତି ।ଜାତିସଂଘର ଗ୍ଲୋବାଲ ଟ୍ରେଣ୍ଡ ରିପୋର୍ଟ ୨୦୨୪ ଅନୁସାରେ ୨୦୨୩ର ଶେଷ ବେଳକୁ ବିଶ୍ୱର ୧୧.୭ କୋଟି ଲୋକ ବିସ୍ଥାପିତ ହୋଇଥିଲେ । ବିଶ୍ୱର ପ୍ରତି ୬୯ ଜଣରେ ଜଣେ ବ୍ୟକ୍ତିଙ୍କୁୁ ବିସ୍ଥାପିତ ହେବାକୁ ପଡୁଛି । ଭାରତକୁ ପାକିସ୍ଥାନ ଓ ବଙ୍ଗଳାଦେଶକୁ ଅଧିକ ଶରଣାର୍ଥୀ ଆସୁଛନ୍ତି । ଭାରତ ହେଉଛି ବିଶ୍ୱର ଅନ୍ତର୍ଜାତୀୟ ପ୍ରବାସୀଙ୍କ ପାଇଁ ଏକ ବଡ଼ ଠିକଣା, ୨୦୧୫ ସୁଦ୍ଧା ୫୩ଲକ୍ଷ ଅପ୍ରବାସୀ ଭାରତରେ ରହୁଥିଲେ । ଏମାନଙ୍କ ମଧ୍ୟରୁ ୩୨ଲକ୍ଷ ବଙ୍ଗଳାଦେଶର, ୧୧ଲକ୍ଷ ପାକିସ୍ଥାନର, ୫ଲକ୍ଷ ୪୦ହଜାର ନେପାଳର ଏବଂ ୧୧ଲକ୍ଷ ୬୦ହଜାର ଶ୍ରୀଲଙ୍କାର ଥିଲେ । ଅନୁମାନ ଅନୁସାରେ ୨୦୨୪ ବେଳକୁ ଏହି ସଂଖ୍ୟା ୪୯ଲକ୍ଷ ଥିଲା । ଏହା ଭାରତର ସମୁଦାୟ ଜନସଂଖ୍ୟାର ୦.୪ ପ୍ରତିଶତ ଅଟେ । ଏଣୁ ଭାରତ ସରକାରଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ଯେମିତି ଦେଶର ନାଗରିକଙ୍କ ଅଧିକାର ପ୍ରଭାବିତ ନହେବ । କେନ୍ଦ୍ର ସରକାର ଶରଣାର୍ଥୀଙ୍କ ପାଇଁ ଉଦାରଭାବ ଦେଖାଇବା ପରିବର୍ତ୍ତେ ତାର୍କିକ ଏବଂ କଠୋର ମାନସିକତା ଅପଣେଇବା ଆବଶ୍ୟକ ଅନ୍ୟଥା ଦେଶରେ ଶରଣାର୍ଥୀ ସମସ୍ୟା ଭୟଙ୍କର ରୂପ ନେଇପାରେ ।
ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪