ଚେକ୍ଡ୍ୟାମ୍ ନିର୍ମାଣ ନିମ୍ନମାନର, ତଦନ୍ତ ଦାବି
ନୂଆପଡା : ଚାଷୀମାନଙ୍କ ଜମିରେ ଜଳସେଚନର ସୁବିଧା ପାଇଁ ସରକାର ସ୍ଥାନେ ସ୍ଥାନେ ଚେକଡ୍ୟାମ୍ ନିର୍ମାଣ କରୁଛନ୍ତି । କିନ୍ତୁ ଅନେକ ସ୍ଥାନରେ ଚେକଡ୍ୟାମ୍ ନିର୍ମାଣ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଲିଟିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋକପଦର ଗ୍ରାମ ନିକଟରେ ପଞ୍ଚମ ଏସଏଫସି ୨୦୨୪-୨୫ ପାଣ୍ଠିରୁ ଛଅ ଲକ୍ଷ ପଚାଶ ହଜାର ଏବଂ କେବିକେ ୨୦୨୫-୨୬ ପାଣ୍ଠିରୁ ଆଠ ଲକ୍ଷ ଚାରି ହଜାର ଟଙ୍କାର ବ୍ୟୟ ଅଟକଳରେ ଏକ ଚେକଡ୍ୟାମ୍ ନିର୍ମାଣ କାର୍ଯ୍ୟ ହେଉଛି । ହେଲେ ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଚାଷୀମାନେ ସଙ୍ଗୀନ ଅଭିଯୋଗ ଆଣୁଛନ୍ତି । ସେମାନେ କହିବା ଅନୁସାରେ ଚେକଡ୍ୟାମ୍ ନିର୍ମାଣ କରୁଥିବା ଠିକାଦାର ସରକାରୀ ନିୟମକୁ ଉଲ୍ଲଂଘନ କରି କାମରେ କିଛି ନା କିଛି ବ୍ୟତିକ୍ରମ ଘଟାଉଛନ୍ତି । ଯେପରି ଚେକଡ୍ୟାମ୍ର କଂକ୍ରିଟ କାମ କେବଳ ଚିପସ୍, ବାଲି ଓ ଉପଯୁକ୍ତ ସିମେଣ୍ଟ ଦେଇ କାମ କରିବା ବଦଳରେ ବଡ ବଡ ମେଟାଲ ମିଶ୍ରଣ କରି ଏହି କଂକ୍ରିଟ କାମ କରିବା ନଜରକୁ ଆସୁଛି । ଯାହାଫଳରେ ଏହି ଚେକଡ୍ୟାମ୍ ବହୁତ ଶୀଘ୍ର ଦୁର୍ବଳ ହୋଇ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହୁଛି । ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଉକ୍ତ ଗ୍ରାମର ଅନେକ ଲୋକ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ବୋଲି ସୂଚନା ଆସୁଛି । ଏହା ସହିତ ଆଉ ଏକ ସାଂଘାତିକ ଅଭିଯୋଗ ଆସୁଛି ଯେ, ପ୍ରଶାସନ ଦାଦନ ମୁକ୍ତ କରିବା ପାଇଁ ପ୍ରତି ଗାଁରେ କାମ ଯୋଗାଇ ଦେଉଥିବାବେଳେ ଚେକଡ୍ୟାମ୍ କାମରେ ସଂପୃକ୍ତ ଥିବା ଠିକାଦାର ଅନ୍ୟ ଗ୍ରାମ ପଞ୍ଚାୟତରୁ ଶ୍ରମିକ ଆଣି କାମ କରୁଛନ୍ତି । ଯାହାକି ଏହି ଅଞ୍ଚଳର ଶ୍ରମିକମାନଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ଏହି କାର୍ଯ୍ୟର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉକ୍ତ କାମର ପାଉଣା ବନ୍ଦ କରି ଏହି ଚେକ୍ଡ୍ୟାମ୍କୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବା ପାଇଁ ସ୍ଥାନୀୟ ଚାଷୀ ମହଲରେ ଦାବି ଉଠୁଛି ।