ମହିଳାଙ୍କ ସୁରକ୍ଷାକୁ ନେଇ ସଚେତନତା
ନବରଙ୍ଗପୁର/ କୋଷାଗୁମୁଡା : କୋଡ଼ିଙ୍ଗା ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ରାଜୀବ ଜାଲ ଆଭ୍ୟନ୍ତରୀଣ କମିଟିର ସମସ୍ତ ସଭ୍ୟ ଓ ସଭ୍ୟାଙ୍କୁ ସ୍ୱାଗତ କରିବା ସହ ଏହି କମିଟିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ରାଜଚାଉଁ ରିୟା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅମିତା ରାୟ ନିଜ ବକ୍ତବ୍ୟରେ ଶକ୍ତି ଶ୍ରୀ ଯୋଜନାର ଆଭିମୁଖ୍ୟ ଓ ଭୂମିକା ବିଷୟରେ ସଚେତନ କରିଥିଲେ ଏବଂ ମହାବିଦ୍ୟାଳୟସ୍ତରରେ ଯଦି କୌଣସି ମହିଳାମାନଙ୍କ ପ୍ରତି ଅସଦାଚରଣ ହୁଏ, ତେବେ ଉକ୍ତ ମହିଳା ତୁରନ୍ତ କ’ଣ ପଦକ୍ଷେପ ନେବେ ସେ ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା ରେ କ’ଣ କ’ଣ ନାରୀ ସୁରକ୍ଷା ଆଇନ ଅଛି ଏବଂ ଏହାର ଉପଯୋଗ କିପରି କରାଯାଇ ପାରିବ, ସେ ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଆଭ୍ୟନ୍ତରୀଣ କମିଟିର ଉପଦୟେତା ସମ୍ପର୍କରେ ବୁଝିଥିଲେ । ଏହି କମିଟିର ଯେମିତି ଦୁରୁପଯୋଗ ନହୁଏ ଏବଂ ଏହାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଅଧ୍ୟାପିକା ବିଜୟଲକ୍ଷ୍ମୀ ଦିସାରୀ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଓ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ କମିଟିର ସଂଯୋଜିକା ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।