ଚୋରା ବାଲି ଚାଲାଣ ରୋକିବା ପାଇଁ ତହସିଲଦାରଙ୍କ ଘନ ଘନ ଚଢାଉ 

 ଆସିକା: ଆସିକା ତହସିଲଦାର ଚୋରା ବାଲି ଚାଲାଣ ରୋକିବା ନେଇ ଘନ ଘନ ବିଭିନ୍ନ ରାସ୍ତା, ଘାଟ, ନଈ କୂଳରେ ଚଢ଼ାଉ ଜାରି ରଖିଛନ୍ତି  । ଚୋରା ବାଲି ଚାଲାଣ ଯେଉଁ ଠି ହେଉଥିଲେ ମଧ୍ୟ ସରକାରଙ୍କ ରାଜସ୍ୱ କ୍ଷତି ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ତହସିଲଦାର ସଂଗୀତା ସେନ ପ୍ରକାଶ କରିଛନ୍ତି  । 
ଦୀର୍ଘଦିନର ନୀରବତା ପରେ ଆକ୍ସନ ମୁଡରେ ଆସିକା ତହସିଲଦାର  । ଗତ କିଛି ବର୍ଷ ହେବ ଆସିକାର ଲାଇଫ ଲାଇନ କୁହାଯାଉଥିବା ଋଷିକୂଲ୍ୟା ଓ ବଡ ନଦୀକୁ ବାଲି ମାଫିଆମାନେ ବେଧଡକ ଭାବେ ବିଭିନ୍ନ ସ୍ଥାନରେ ନଦୀ ହୁଡା କାଟି ବାଲି ଲୁଟି ଚାଲିଛନ୍ତି । ବାଲି ଚୋରା ଚାଲାଣକୁ ରୋକିବା ପାଇଁ ନିକଟ ଅତୀତରେ ବଡଖୋଲି, ରିଷିପୁର, ପଥରା, ଚଢେଆପଲ୍ଲୀ, ପଢାଳ, କେନ୍ଦୁପଦର ଆଦି ଅନେକ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯିବାର ନଜିର ରହିଛି ।  ଗଣମାଧ୍ୟମରେ ଚୋରା ବାଲି ଚାଲାଣ ରୋକିବାକୁ ଖବର ପ୍ରକାଶିତ ହେବା ପରେ ମଧ୍ୟ ଆସିକା ତହସିଲ, ଲଘୁ ଖଣିଜ ବିଭାଗ, ପକ୍ଷରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନଥିଲା । ସେ ଗତ କିଛିଦିନ ହେବ ଋଷିକୂଲ୍ୟା ଓ ବଡ଼ନଦୀର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ବେଆଇନ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଓ ହାଇୱାକୁ ଜବତ କରୁଛନ୍ତି । ଆଜି ଆସିକା କଇଁଫୁଲିଆ ଛକ ନିକଟରୁ ଆସିକା ତହସିଲଦାରହାଇୱାକୁ ଜବତ କରି ଆସିକା ତହସିଲ ଠାରେ ଅଟକ ରଖି ଖଣି ବିଭାଗକୁ ହସ୍ତାନ୍ତର କରିଥିବା ତହସିଲଦାର ପ୍ରକାଶ କରିଛନ୍ତି । ଆସିକା ତହସିଲଦାରଙ୍କ ଏହିପରି ବାଲି ଚୋରା ଗାଡି ଜବତକୁ ନେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ତହସିଲଦାରଙ୍କ ଏହି ପରି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।