ମେଡିକାଲ ସଫେଇ କର୍ମଚାରୀଙ୍କ ଧାରଣା
ଯାଜପୁର ଟାଉନ: ଗୁରୁବାର ବକେୟା ଅର୍ଥ ଦାବୀ କରି ସଫେଇ କର୍ମଚାରୀ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିଥିଲେ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଏକ ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରୁଥିବାସଫେଇ କର୍ମଚାରୀ ଦୀର୍ଘମାସର ବକେୟା ଦରମା ପାଇବାରୁ ବଂଚିତ ହୋଇଛନ୍ତି । ଘଟଣାକୁ ନେଇ ସଫେଇ କର୍ମଚାରୀ ଏକାଧିବାର ମେଡିକାଲ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଉଥିବା ବେଳେ ଜିଲାପାଳଙ୍କ ନିଦେ୍ର୍ଦଶ କ୍ରମେ ସଂସ୍ଥା ଏହି ସଫେଇ କର୍ମଚାରୀଙ୍କୁ ଅର୍ଥ ପ୍ରଦାନ କରିଥାଏ । ୨/୪ମାସ ଅନ୍ତରରେ ଠିକା ସଂସ୍ଥା ପୁନର୍ବାର ସଫେଇ କର୍ମଚାରୀମାନଙ୍କୁ ହଇରାଣ କରିବାକୁ ପଛେଇ ନଥାଏ । ଏପରିକି ୩/୪ ମାସର ଇପିଏଫ ଅର୍ଥ ଜମା କରିନଥିବା ଅଭିଯୋଗ କରାଯାଇଛି । ସଫେଇ କର୍ମଚାରୀ ମାସ ମାସ ଧରି କାର୍ଯ୍ୟକରି ଆସୁଥିଲେ ମଧ୍ୟ ଅର୍ଥ ପ୍ରଦାନରେ ଠିକା ସଂସ୍ଥା ଟାଳଟୁଳ ନୀତି ଅବଲମ୍ବନ କରିଥାଏ । ଯାହାକୁ ନେଇ ସଫେଇ କର୍ମଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥାଏ । ସୂଚନା ଯୋଗ୍ୟ ଯେ ସଫେଇ ଦାୟୀତ୍ୱ ନେଇଥିବା ଠିକା ସଂସ୍ଥା ବାରମ୍ବାର ସଫେଇ କର୍ମଚାରୀଙ୍କୁ ଅର୍ଥ ପ୍ରଦାନ ନେଇ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ଠିକା ସଂସ୍ଥା ନିମନ୍ତେ ବିଜ୍ଞାପନ ମାଧ୍ୟମରେ ଠିକା ସଂସ୍ଥା ନିଯୁକ୍ତି ପ୍ରକି୍ରୟା ଆରମ୍ଭ କରାଯାଇଥିଲା । ନୂତନ ଠିକା ସଂସ୍ଥା ଚୟନ ହୋଇଥିବା ଜଣାପଡିଛି । ଖୁବ କମ୍ଦିନ ମଧ୍ୟରେ ନୂତନ ଠିକା ସଂସ୍ଥା ସଫେଇ ଦାୟୀତ୍ୱ ନେବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।