ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକୋତ୍ସବ

ବେତନଟୀ:  ମୟୂରଭଞ୍ଜ ଜିଲ୍ଲାର ଏକମାତ୍ର ଜବାହର ନବୋଦୟ ବିଦ୍ୟାଳୟ ବେତନଟୀ ବ୍ଲକ ଅଧିନସ୍ଥ ଶାଳବଣିର ବାର୍ଷିକୋତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଜୟରାମ ନାଏକ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ବଡସାହି ବିଧାୟକ ସନାତନ ବିଜୁଳି ଏବଂ ସମ୍ମାନିତ ଅତିଥିଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ବେତନଟୀ ତହସିଲଦାର ସୁରଥ ଚନ୍ଦ୍ର ରାଉତ ତଥା ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସମ୍ମାନିତ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ମୋହନ ଦାସ ଗିରି ଅତିଥିମାନଙ୍କୁ ସ୍ୱାଗତ ଜ୍ଞାପନ କରିବାପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଭାରତ ସରକାରଙ୍କ ପକ୍ଷରୁ ଏହି ଜବାହର ନବୋଦୟ ବିଦ୍ୟାଳୟ ଏକ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ପ୍ରତିଷ୍ଠା ହୋଇଥିବା ଏବଂ ଏହାର ଆଦର୍ଶ ଭିନ୍ନ ହୋଇଥିବା ହେତୁ ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଦେଶର ପ୍ରଶାସନିକ ଓ ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ପାରିନଥିବା ହେତୁ ଦେଶରୁ ଦାରିଦ୍ର, ନିରକ୍ଷରତା, ଦୁର୍ନୀତି, ଭ୍ରଷ୍ଟାଚାର, ମିଥ୍ୟା ପ୍ରତିଶ୍ରୁତିର ହ୍ରାସ ଘଟିବା ପରିବର୍ତ୍ତେ ଭୋଟରମାନଙ୍କୁ ପ୍ରଲୋଭିତ କରାଯାଇ ଗଣତନ୍ତ୍ର ନାମରେ ଗଣତନ୍ତ୍ରକୁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ହତ୍ୟାକରି ଚାଲିଥିବାର ଅତିଥିମାନେ ତାଙ୍କ ଅଭିଭାଷଣରେ ଆଗାମୀ ପିଢ଼ୀର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଶେଷରେ ସହକାରୀ ଅଧ୍ୟକ୍ଷ ମୋହନଦାସ ଗିରି ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀଙ୍କ ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।