ଜମିବାଡ଼ି ଟଙ୍କା ଦବା ନବା କାରବାରରୁ ହତ୍ୟାକାଣ୍ଡ: ଜଙ୍ଗଲରୁ ଶବ ଉଦ୍ଧାର, ୭ ଅଟକ

 ବାରିପଦା: ଜମି ବିକ୍ରିବଟାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ୫ ଦିନ ଧରି ବାରିପଦର ସହରରୁ ନିଖୋଜ ରହିଥିବା ସାଲଖୁ ମାରାଣ୍ଡିଙ୍କର ଶବ ବେତନଟୀ ଥାନା କେସିପୁର ଫାଣ୍ଡି ଅଧିନସ୍ଥ ଜାମଶୋଳି ଜଙ୍ଗଲ ସୁବର୍ଣ୍ଣରେଖା କେନାଲ ନିକଟରୁ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜମି ବ୍ୟବସାୟୀଙ୍କ ମୃତଦେହକୁ ଉଦ୍ଧାର କରିଛି ଭଞ୍ଜପୁର ଥାନା ପୁଲିସ । ମୃତକ ଜଣଙ୍କ ହେଉଛନ୍ତି ବାରିପଦା ସହର ୧୯ ନମ୍ବର ୱାର୍ଡ ବଢ଼େଇସାହି ଅଞ୍ଚଳର ସାଲଖୁ ମାରାଣ୍ଡି । ହତ୍ୟା ପରେ ଚିହ୍ନିନପାରିବା ପାଇଁ ମୁଁହରେ ଏସିଡ୍ ଢାଳି ନଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃର୍ତ୍ତ । ଉକ୍ତ ଘଟଣାରେ ୭ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ଘଟଣା ନେଇ ଭଞ୍ଜପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 
ଶାନ୍ତ ବାରିପଦାକୁ ଅଶାନ୍ତ କରୁଛି ଜମି କିଣାବିକା କାରବାର । ଏହି ରିଏଲ ଇଷ୍ଟେଟ୍ ବ୍ୟବସାୟରେ ଏବେ ଝାଡଖଣ୍ଡି ଅପରାଧୀଙ୍କ ଅର୍ନ୍ତଭୁକ୍ତି ରହିଥିବାରୁ ସହରରେ ଅପରାଧକୁ ବଳ ଯୋଗାଉଛି ଏହି ବ୍ୟବସାୟ ବୋଲି ଚର୍ଚ୍ଚା ହେଉଛି । ଜମି ବିକ୍ରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପରେ ଅପହରଣ ହୋଇଥିବା କୁହାଯାଉଛି । ଘଟଣାରେ ସାଲଖୁ ମାରାଣ୍ଡି ନାମକ ଜଣେ ଯୁବକଙ୍କ ଖୋଜ ଖବର ମିଳୁ ନ ଥିବାବେଳେ ଭଞ୍ଜପୁର ପୁଲିସ ତାଙ୍କୁ ଖୋଜିବାକୁ ଜୋର ଲଗାଇ ଦେଇଥିଲା । ଏନେଇ ଅଭିଯୋଗକ୍ରମେ ଭଞ୍ଜପୁର ଥାନା ପୁଲିସ ପକ୍ଷରୁ ୭ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଥିବାବେଳେ ଏଥିରେ ୪ ଜଣ ଝାଡଖଣ୍ଡି ଅପରାଧୀଙ୍କ ସମ୍ପୃ୍କ୍ତି ରହିଥିବା କୁହାଯାଇଛି । ସୂଚନା ଅନୁଯାୟୀ, ବାଘରାରୋଡର ବଢ଼େଇ ସାହି ଅଞ୍ଚଳରେ ସାଲଖୁ ମାଣ୍ଡି ଭଡା ସୂତ୍ରରେ ରହୁଥିଲେ । ସେ ସ୍ଥାନୀୟ କିଛି ଲୋକଙ୍କ ସମେତ ମିଶି ଜମି କିଣାବିକା ବେପାର କରୁଥିଲେ । ତେବେ ଏକ ଜମି ବିକ୍ରି ଟଙ୍କା ବାଣ୍ଟକୁଣ୍ଟକୁ ନେଇ ଅପର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ନିଖୋଜ ହୋଇଯାଇଥିବା ସାଲୁଖକୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ  ତାଙ୍କର ଖୋଜ ଖବର ନପାଇ ଥାନାର ଦ୍ୱାରସ୍ତ ହୋଇଥିଲେ । ତାଙ୍କ ପନôୀ ଭଞ୍ଜପୁର ଥାନାରେ ସ୍ୱାମୀ ସାଲଖୁ ମାଣ୍ଡି ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଜୈନିକ ବ୍ୟକ୍ତି ତାଙ୍କୁ ବାରମ୍ବାର ୨୫ଲକ୍ଷ ଟଙ୍କା ମାଗିଥିବା ବେଳେ ଉକ୍ତ ବ୍ୟକ୍ତି ଅପହରଣ କରି ନେଇଥିବାର ସନେ୍ଦହ ପ୍ରକାଶ କରିଥିଲେ । ଯାହାକୁ ନେଇ ପୁଲିସ ସାଲଖୁଙ୍କ ସହଯୋଗୀଙ୍କ ଘରେ ଖୋଲତାଡ଼ କରିବା ସହ ପଚରା ଉଚୁରା କରିଥିଲେ । ଘଟଣାରେ ସମ୍ପୃକ୍ତି ଥିବାର ସନେ୍ଦହ କରି ୭ଜଣକୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ସେଥି ମଧ୍ୟରେ ଝାରଖଣ୍ଡ ରାଜ୍ୟର ବହଡାଗୋଡ଼ା ଥାନା ଅଞ୍ଚଳର ୪ଜଣ ରହିଛନ୍ତି ବୋଲି ସୂଚନା ମିଳିଛି । ପୁଲିସ ଅଟକଙ୍କୁ ନେଇ ବେତନଟୀ ଥାନା ଅଞ୍ଚଳରେ ଖୋଳତାଡ଼ ଜାରି ରଖିଛନ୍ତି ।