ଜିଲାପାଳଙ୍କ ମିଳିତ ଜନଶୁଣାଣି; ୮୮ ସମାଧାନ

 କୁଆଖିଆ: ରସୁଲପୁର ବ୍ଲକ୍ରେ ଜିଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ସତ୍ୟାନନ୍ଦ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିରରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଜିଲାପାଳ ପି. ଅନ୍ୱେଷା ରେଡ୍ଡି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ, ଗ୍ରାମଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ କୁମାର ବେହୁରିଆ,ଏଡିଏମ୍ ନବ କିଶୋର ଜେନା, ଉପ ଜିଲାପାଳ ଅଂଶୁମାନ ଶତପଥୀ, ସହକାରୀ ଜିଲାପାଳ ନିବେଦିତା ପ୍ରଧାନଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶିବିରରେ ମୋଟ ୨୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୧୦୪ଟି ବ୍ୟକ୍ତିଗତ ୮ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା ।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୮ଜଣଙ୍କୁ ସହାୟତା ପ୍ରଦାନ ପାଇଁ ସୁପାରିସ କରାଯାଇଥିବା ବେଳେ ମୋଟ ୮୮ଟି ଅଭିଯୋଗର ତକôାଳ ସମାଧାନ କରାଯାଇଥିଲା । ଏତଦବ୍ୟତୀତ ବ୍ରାହ୍ମଣୀ ନଦୀ ପଠାରୁ ବାଲି ମାଫିଆମାନେ ବାଲି ତାଡି ନେଉଥିବାରୁ ଏହାକୁ ରୋକିବାକୁ ପ୍ରଥମାଖଣ୍ଡ ପଂଚାୟତର ଜନସାଧାରଣ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ସେହିପରି କଲଣ ପଂଚାୟତ ଶୁଳିଆ ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ କହିଥିଲେ । ଏଥିସହିତ ରସୁଲପୁର ବ୍ଲକ୍ର ଧାନ ଚାଷୀମାନେ ମଣ୍ଡିରେ ନାଲି ଧାନ ବିକ୍ରୀ କରିବା ସମସ୍ୟା ନେଇ ଉପୁଜିଥିବା ସମସ୍ୟା ସଂପର୍କରେ ଜିଲାପାଳଙ୍କୁ ଅଭିଯୋଗ ହୋଇଥିବାବେଳେ ଯଦି କୌଣସି ସ୍ଥାନରେ ମିଲର କିମ୍ବା ଅନ୍ୟ କେହି କଟନିଛଟନି କରୁଥାଏ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କହିଥିଲେ । ବଜାରରେ ଜଳଖିଆ ଦୋକାନୀ ବ୍ୟବହାର କରୁଥିବା କୁତ୍ରିମ ଶୋଲ ପ୍ଲେଟ୍ ଯାହା ଗ୍ରାହକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ହେଉଛି । ଏହାକୁ ବନ୍ଦ କରିବା ପାଇଁ ସାମ୍ବାଦିକ ସଞ୍ଜିବ ସାହୁ ଜିଲାପାଳଙ୍କୁ ଅଭିଯୋଗ କରିଥିବାବେଳେ ଏସମ୍ପର୍କରେ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍ କରାଯାଇ ଚଢାଉ କରାଯାଇ ବନ୍ଦ କରିବାକୁ କହିଥିଲେ । ଏଥିରେ ଅତିରିକ୍ତ ବିଡ଼ିଓ ଦିବ୍ୟକାନ୍ତି ମିଶ୍ର, ନିର୍ବାହୀ ଯନ୍ତ୍ରୀ ସୋନାଳି ଧଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।