ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ : ଥାନାରେ ପଞ୍ଜିକୃତ ହେବ ବାଲ୍ୟ ବିବାହ ଅଭିଯୋଗ

 ଯାଜପୁର : ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନାଙ୍କ ଅଧକ୍ଷତାରେ ବାଲ୍ୟବିବାହ ନିଷେଧ ଆଇନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାେଇଛି । ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଅଂଶୀଦାର ସମୂହଙ୍କ ସ୍ୱାଗତ କରିବାସହ ସମୀକ୍ଷା ବୈଠକର ଉଦେଶ୍ୟ ଉପରେ ଆଲୋକପାତ କରିବାସହ ଆଗାମୀ ଦିନରେ ଜିଲାକୁ ବାଲ୍ୟବିବାହ ମୁକ୍ତ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାପାଇଁ ମତାମତ ଲୋଡ଼ିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ, ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାର ମାଝି, ଜିଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରକାଶ ଚନ୍ଦ୍ର ବଳ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁକିନ୍ଦା ସୁଜାତା ମହାପାତ୍ର ଓ ଦାନଗଦୀ ସିଡିପିଓ ନନ୍ଦିନୀ ଲେଙ୍କା ପ୍ରମୁଖ ଯୋଗ ଦେଇ କାର୍ଯ୍ୟସୂଚୀ ଉପରେ ନିଜ ମତାମତ ରଖିଥିଲେ । ଅତିରିକ୍ତ ଜିଲପାଳ ଶ୍ରୀ ଜେନା କହିଲେ କି ବାଲ୍ୟ ବିବାହ ଶିଶୁମାନଙ୍କ ପାଇଁ ହିଂସା ସଦୃଶ ଏହା ଦ୍ୱାରା ଶିଶୁଟି ତାର ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଥାଏ ଓ ଅନେକ ଅସୁବିଧା ଜନକ ପରିସ୍ଥିତି ଦେଇ ଗତିକରିଥାଏ । ସ୍ୱାସ୍ଥ୍ୟଗତ ଓ ମାନସିକସ୍ତରରେ କ୍ଷତିଗ୍ରସ୍ତ ହୋଇଥାଏ । ତୃଣମୂଳସ୍ତରରୁ ଜିଲା ପର୍ଯ୍ୟନ୍ତ ସମସ୍ତ ଅଂଶୀଦାର ସମୂହ ଓ ବିଭିନ୍ନ କମିଟିର ବୈଠକ ଓ ଅଂଶୀଦାରଙ୍କ ମଧ୍ୟରେ ସମ୍ୱନନ୍ୱୟ ରଖି ଆମେ ଆମ ଲକ୍ଷସ୍ଥଳରେ ପହଁଚିପାରିବା । ଅଂଶୀଦାର ସମୂହ ନିଜ ଦାୟିତ୍ୱ ନିର୍ବାହକଲେ ଆମର ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିପାରିବା । ଯେଉଁମାନେ ବାଲ୍ୟବିବାହ ହେଉଛି ବୋଲି ଅବଗତ ଥାଇ ଉପରିସ୍ଥ ବାଲ୍ୟବିବାହରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ବିରୋଧରେ ନିକଟସ୍ଥ ପୁଲିସ ଥାନାରେ ଅଭିଯୋଗ ଦାଖଲ କରିବା ଆମର ଦାୟିତ୍ୱ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ ମତ ଦେଇଥିଲେ କି ପ୍ରତ୍ୟେକ ବିଦ୍ୟାଳୟରେ କିଶୋରୀ ମାନଙ୍କ ପାଇଁ ଉଚିତ ପରାମର୍ଶ ଦିଆଯାଉଛି । ଆବଶ୍ୟକ ସ୍ଥଳେ ଅଦବିକା କାର୍ଯ୍ୟକ୍ରମ ବିଷୟରେ ପିଲାମାନଙ୍କୁ ଅବଗତ କରାଯିବ ।.ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ପ୍ରକାଶ ଚନ୍ଦ୍ର ବଳ କହିଲେକି ଗାଁ କଲ୍ୟାଣ ସମିତିର ବୈଠକରେ ଶିଶୁ ସୁରକ୍ଷା ଓ ଅଧିକାର ଉପରେ ବିଶେଷ ଆଲୋଚନା ହେବ ଉକ୍ତ କାର୍ଯ୍ୟକ୍ରମରେ ପିଲା ପ୍ରତିନିଧି ଯୋଗଦାନ କରିବେ । ବୈଠକରେ ଆକ୍ସନ ଏଡ଼ର ରୋଜାଲିନ ପଣ୍ଡା, ଟାଟାଷ୍ଟିଲ ଫାଉଣ୍ଡେସନ ବିଶ୍ୱ ଭୂଷଣ ଦ୍ୱିବେଦୀ ଓ ଝୁନା ରାଣୀ ଦଳାଇ, ରୁଚିକା ସ୍ୱେଛାସେବୀ ସଂଗଠନର ଶୁଭସ୍ମିତା ମହାନ୍ତି, ଜିଲ୍ଲା ମଙ୍ଗଳ ବିଭାଗର ସୁଧାକର ପ୍ରଧାନ, ଜିଲ୍ଲା ମହିଳା ହବର ସଂଯୋଜକ ପ୍ରଭାତ ଘଡେଇ ଓ ଶ୍ରଦ୍ଧାଞ୍ଜଳି ଦାସ ପ୍ରମୁଖ ଯୋଗଦେଇ ବାଲ୍ୟବିବାହ ନିଷେଦ୍ଧ ସମ୍ପର୍କିତ ଆଲୋଚନା କରିଥିଲେ । ଶିଶୁ ସୁରକ୍ଷା ବିଭାଗର ପରାମର୍ଶ ଦାତା ଶିଶିର କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।