ଜିଲ୍ଲାପାଳଙ୍କୁ ଭେଟିଲା କୃଷକ ସଂଘ 

 ଛତ୍ରପୁର : ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକୃତ ସକାଶେ ଆବଶ୍ୟକ ହେଉଥିବା ଜମିଜମା ମାଲିକାନା ସମ୍ବନ୍ଧୀୟ ତ୍ରୁଟି ବିଚୁ୍ୟତି ହେତୁ ଚାଷୀଙ୍କୁ କୋହଳ ନିୟମ କରି ପୂର୍ବ ପ୍ରଚଳିତ ନିୟମାନୁଯାୟୀ ପଞ୍ଜିକୃତ କରି ଚାଷୀଙ୍କ ଧାନ କିଣିବା ଦାବି ନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ପଂଚାୟତର ଶ୍ରୀ ଶ୍ରୀ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଏକ ଲିଖିତ ଦାବି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ମଧ୍ୟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ଯେଉଁ ପଞ୍ଜିକୃତ ବ୍ୟବସ୍ଥିତ ନିୟମ ପ୍ରଚଳନ କରାଯାଇଛି ତାହା ଚାଷୀ ପଞ୍ଜିକୃତ କରାଇବାରେ ଅସୁବିଧା ହେଉଛନ୍ତି, ଏହାର ବୃହତ୍ତ କାରଣ ହେଉଛି ଚାଷୀଙ୍କ ଜମିଜମା ପଟ୍ଟାର ନାମକରଣ, ପୂର୍ବଜ ତଥା ବିକ୍ରୟ ଦଳିଲର ସଂଶୋଧନ ଅଭାବରେ ଉକ୍ତ ସମସ୍ୟା ଉପୁଜିଛି । ଯାହାଫଳରେ ଶହ ଶହ ଚାଷୀ ପଞ୍ଜିକରଣରୁ ବାଦ ପଡିଛନ୍ତି । ତେଣୁ ଚାଷୀଙ୍କୁ ଏଥି ନିମନ୍ତେ କୋହଳ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି । ଏହାବ୍ୟତୀତ ଗତ ଲଗାଣ ବର୍ଷାରେ କ୍ଷତି ହୋଇଥିବା ଶସ୍ୟର ବୀମା ଅର୍ଥ ଏଯାବତ୍ ଶତକଡା ୨୦ ଭାଗ ଚାଷୀ ପାଇଛନ୍ତି । ବଳକା ଚାଷୀ କାହିଁକି ବୀମା ଅର୍ଥ ପାଇନାହାନ୍ତି ତାହାର ଉପରେ ତଦନ୍ତ କରି ସହାୟତା ପ୍ରଦାନ କରିବା ନିମନ୍ତେ କୃଷକ ସଂଘ ପକ୍ଷରୁ କୁହାଯାଇଛି । ଏହି ଦାବିପତ୍ର ପ୍ରଦାନବେଳେ ଶ୍ରୀ ଶ୍ରୀ ବାଣଲିଙ୍ଗେଶ୍ୱର କୃଷକ ସଂଘର ରାଜେନ୍ଦ୍ର ନାହାକ, ପ୍ରବାସୀ ପ୍ରଧାନ, ଗଣପତି ବାରିକ, ପୋଟଲାମପୁର ପଂଚାୟତ ର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁଙ୍କ ସମେତ ପଂଚାୟତର ବହୁ ଚାଷୀମାନେ ଉପସ୍ଥିତ ଥିଲେ ।