ରାଜନଗରରେ ଚାଲିଛି ସରପଞ୍ଚ ହଟାଅ ଅଭିଯାନ:  ବିଜେଡି ଡଙ୍ଗାରେ ବସିଥିବା ସରପଞ୍ଚ ସୁରକ୍ଷିତ ତ! 

 ରାଜନଗର: ରାଜନଗର ନିର୍ବାଚନ ମଣ୍ଡଳୀର ରାଜନୀତିରେ ସରପଞ୍ଚ ହଟାଅ ଅଭିଯାନ ଆରମ୍ଭ ହୋଇଯାଇଛି । ଅଳ୍ପଦିନ ପୂର୍ବେ ରାଜନଗର ବ୍ଲକ୍ ବେଲପାଳ ସରପଞ୍ଚଙ୍କୁ ଅନାସ୍ଥା ଭୋଟରେ ହଟାଇବା ପରେ ଏବେ ପଖ ପଞ୍ଚାୟତ ବାଲିସାହିପାଟଣାରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ନେଇ ଚର୍ଚ୍ଚା ଜୋର ଧରିଛି । ବେଲପାଳରେ ବିଜେଡିରେ ବିଦ୍ରୋହ କରି ସରପଞ୍ଚ ହୋଇଥିବା ତିଳୋତମା ବରାଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୁ ଜନତାଦଳ ଛାଡି ବିଜେପି ଡଙ୍ଗାରେ ବସିଥିଲେ । ବିଜୁ ଜନତାଦଳ ସମର୍ଥନରେ ଜିତିଥିବା ୱାର୍ଡ ସଦସ୍ୟମାନେ ସରପଞ୍ଚ ଶ୍ରୀମତୀ ବରାଳଙ୍କ ବିରୁଦ୍ଧରେ ଅନାସ୍ଥା ଆଣି ତାଙ୍କୁ ପଦବୀରୁ ହଟାଇ ଦେଇଥିଲେ । ବାଲିସାହିପାଟଣା ପଞ୍ଚାୟତ ୧୧ଟି ୱାର୍ଡକୁ ନେଇ ଗଠିତ । ବିଜେପି ସମର୍ଥିତ ସରପଞ୍ଚ ଭାବେ କୈ÷ଳାସ କୁମାର ପରିଡା ନିର୍ବାଚିତ ହୋଇଥିଲେ । ତାଙ୍କ ସମର୍ଥନରେ ଜଣେ ମାତ୍ର ୱାର୍ଡ ସଭ୍ୟ ବିଜୟୀ ହୋଇଥିଲେ । କଂଗ୍ରେସ ସମର୍ଥନରେ ଦୁଇଜଣ ୱାର୍ଡ ଜିତିଥିବା ବେଳେ, ବିଜୁ ଜନତାଦଳ ସମର୍ଥନରେ ଆଠଜଣ ୱାର୍ଡ ସଭ୍ୟଙ୍କ ସହ ସମିତି ସଭ୍ୟ ଜିତିଥିଲେ । ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି ବିଜୁ ଜନତାଦଳରେ ସାମିଲ ହେବା ପରେ କଂଗ୍ରେସ ସମର୍ଥନରେ ଜିତିଥିବା ଦୁଇଜଣ ୱାର୍ଡସଭ୍ୟ ବିଜୁ ଜନତାଦଳରେ ସାମିଲ ହୋଇଥିଲେ । ସବୁଠାରୁ ବଡକଥା ହେଲା, ସରପଞ୍ଚ ଶ୍ରୀ ପରିଡା ନିଜ ପଦବୀକୁ ସୁରକ୍ଷା ଦେବା ପାଇଁ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଦଳ ଛାଡି ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ହାତ ଧରିଥିଲେ । ଏବେ ସ୍ଥିତି ତାଙ୍କ ପାଇଁ ଅଣାୟତ ହେବାରେ  ଲାଗିଛି । ସରପଞ୍ଚ ଶ୍ରୀ ପରିଡାଙ୍କ ବିରୁଦ୍ଧରେ ୱାର୍ଡ ସଭ୍ୟ ସଭ୍ୟା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଡିସେମ୍ବର ୩୦ତାରିଖ ଦିନ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ଭେଟି ନଅ ଜଣ ୱାର୍ଡ ସଭ୍ୟ ସଭ୍ୟା ଅନାସ୍ଥା ପାଇଁ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି । ବିଜେପି ଛାଡି ବିଜେଡି ଡଙ୍ଗାରେ ବସିଥିବା ସରପଞ୍ଚ ଶ୍ରୀ ପରିଡା ନିଜ ଚୌକିକୁ ସୁରକ୍ଷିତ ରଖିପାରିବେ ତ ? ଏହି ପଞ୍ଚାୟତରେ ବିଜେଡି ୱାର୍ଡ ସଭ୍ୟସଭ୍ୟା ସଂଖ୍ୟାଧିକ ଥିବା ବେଳେ ଦଳୀୟ ସମର୍ଥୀତ ସରପଞ୍ଚ ଶ୍ରୀ ପରିଡାଙ୍କ ବିରୁଦ୍ଧରେ ଅନାସ୍ଥା ପାଇଁ କିଏ ପ୍ରୋତ୍ସାହନ ଦେଉଛି । ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ପରିଲକ୍ଷିତ ହେଉଛି ।