ଶ୍ରୀରାମ ଚରିତ୍ର ମାନସ ପାରାୟଣ ଉଦ୍ୟାପିତ

 ତିର୍ତ୍ତୋଲ: ତିର୍ତ୍ତୋଲର ପ୍ରସିଦ୍ଧ ବେଲବଣ ପୀଠ ରେ ନବଦିନ ବ୍ୟାପୀ ଶ୍ରୀରାମ ଚରିତ୍ର ମାନସ ନବାହ୍ନ ପରାୟଣ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଛି । ପବିତ୍ର ସୀତା ନବମୀ ଠାରୁ ଆରମ୍ଭ ହୋଇ ଚନ୍ଦନ ପୁର୍ଣ୍ଣିମାରେ ଉଦ୍ୟାପିତ ହୋଇଛି । ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସମାଜ ସୁଧାରକ ଡ. ଅରୁଣ କୁମାର ପାଣି ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ଜୀବନରେ ରାମଙ୍କ ଗୁଣକୁ ପାଳନ କରିବା ଆବଶ୍ୟକ ଓ ମଦ୍ୟ ମାଦକତା ଠାରୁ ନିଜକୁ ଦୁରେଇ ରଖିଲେ ଶ୍ରୀରାମଙ୍କ କୃପା ଲାଭ ହେବ ବୋଲି କହିଥିଲେ । ସମ୍ମାନିତଅତିଥି ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ । ନବଦିନ ବ୍ୟାପି ପ୍ରବଚକ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ଦିବାକର ଦାସ ମହାରାଜ, ଅଧ୍ୟାପକ ଅରୁଣ ପଣ୍ଡା, କୃଷ୍ଣଚନ୍ଦ୍ର ନାୟକ, ଓ ବିରଜା କ୍ଷେତ୍ରର ପଣ୍ଡିତ ଅଶ୍ୱିନୀ ଦାଶ ପ୍ରଭୁତି ରାମକଥା ରଖିଥିଲେ । ପଣ୍ଡିତ ବଟଚରଣ ଦାଶଙ୍କ ତତ୍ତ୍ୱାବଧାନରେ ଆଚାର୍ଯ୍ୟ ପଣ୍ଡିତମାନଙ୍କ ଦ୍ୱାରା ପ୍ରତ୍ୟହ ସୂର୍ଯ୍ୟପୂଜା, ଗୋ-ପୁଜନ, ହବନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କର୍ତ୍ତାକର୍ତ୍ତୀ ଭାବେ ବଟଚରଣ ଦାଶ ଓ ଆରତୀ ଦାଶ ସମ୍ପାଦନ କରିଥିଲେ । ମଠଧୀଶ ଶ୍ୟାମ ଚରଣ ଦାଶ ମହାରାଜଙ୍କ ପରିଚାଳନାରେ ରାମ ଚରିତ୍ର ମାନସ କମିଟି ଓ ହନୁମାନଶ୍ରିତ ବ୍ରଜକିଶୋର ମହାନ୍ତି, ଯୋଗାଗୁରୁ ସ୍ମୃତିରଞ୍ଜନ ରାୟ ଓ ତିର୍ତ୍ତୋଲ ଗ୍ରାମବାସୀ ସହଯୋଗ କରିଥିଲେ ।