ଜିଲ୍ଲାସ୍ତରୀୟ ପାଲା ସମ୍ମିଳନୀ ଉଦ୍ଘାଟିତ: ‘ପାଲା ପାଇଁ ଓଡ଼ିଆ ସାହିତ୍ୟ ଘରେ ଘରେ ପରିଚିତ’
ନୂଆପଡା : ନୂଆପଡା ଜିଲ୍ଲା ପାଲା ପରିଷଦ ତରଫରୁ ନୂଆପଡ଼ା ଜିଲ୍ଲାସ୍ତରୀୟ ପାଲା ସମ୍ମିଳନୀ ଖଡ଼ିଆଳ ସ୍ଥିତ ଗାୟତ୍ରୀ ନଗର ଠାରେ ଉଦ୍ଘାଟିତ ହୋଇଯାଇଛି । ପରିଷଦର ସଭାପତି ଅମୂଲ୍ୟ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ପାଲା ପାଇଁ ଓଡ଼ିଆ ସାହିତ୍ୟ ଘରେ ଘରେ ପରିଚିତ ହୋଇ ପାରିଛି ବୋଲି କହିଥିଲେ । ବିଶିଷ୍ଟ ଅତିଥି ଖଡ଼ିଆଳ ବିଡ଼ିଓ ନରସିଂହ ଗଦବା ଯୋଗଦେଇ ସମ୍ମିଳନୀ ପାଇଁ ଏ ଅଞ୍ଚଳରେ ପାଲାର ପ୍ରଚାର ପ୍ରସାର ଆହୁରି ଘଟି ପାରିବ ବୋଲି ମତ ଦେଇଥିଲେ । ବରିଷ୍ଠ ସାମ୍ବାଦିକ କୁନୁ କରୁଆଁ ଓଡ଼ିଶା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ପାଲା ଗାୟକମାନଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଗାୟକ ପଶ୍ଚିମ କେଶରୀ ଅର୍ଜୁନ ଛତ୍ରିଆ ପାଲାର କ୍ରମ ବିକାଶ ଉପରେ ଆଲୋକପାତ କରି ପାଲା ପାଇଁ ସେ କରିଥିବା ସଂଘର୍ଷ ଉପରେ ସୂଚନା ଦେଇଥିଲେ ଓ ଜଣେ ଭଲ ଗାୟକ ହେବା ପାଇଁ ଅଧ୍ୟବସାୟୀ ହେବାକୁ ଆହ୍ୱାନ ଦେଇଥିଲେ । ଏ ଅବସରରେ ବର୍ଷୀୟାନ ପାଲା ଗାୟକ ଶିବ ପ୍ରସାଦ ଅଗସ୍ତି, ହରିହର ନାୟକ, ଜଣାଶୁଣା କଳାକାର ଦ୍ୱାରିକା ନାଥ ବେହେରା ଓ କୈଳାସ ପଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୁନାଲ ଚରଣ ବେହେରା ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗାୟକ ଗୋଲାପ ସାହୁ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।