ଜିଲ୍ଲାସ୍ତରୀୟ ବିକାଶ ମେଳା
ବାଲେଶ୍ୱର: ସ୍ଥାନୀୟ ରିଜର୍ଭ ପୁଲିସ ଲାଇନ ପଡିଆ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିବାବେଳେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ମେଳାରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଅତିଥି ପରିଚୟ ଏବଂ ସ୍ୱାଗତ କରିବା ପରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାର ସଫଳତା ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ପରେ ବିଧାୟକଗଣ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ବିକାଶ ମେଳାରେ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଧାନର ସହାୟକ ମୂଲ୍ୟ ହେଉ କିମ୍ବା ଜଗନ୍ନାଥ ଧାମର ଚାରି ଦ୍ୱାର ଖୋଲିବା, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଯୋଜନାର ସରକାରଙ୍କ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିଜ ବକ୍ତବ୍ୟରେ ଉପନ୍ୟାସକାର ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ରେବତୀର ଉଦାହରଣ ଦେଇ ମହିଳାମାନଙ୍କ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି, ସଶକ୍ତିକରଣ, ଅଧିକାର ମୂଳଦୁଆ ଥାପିବା ସମ୍ପର୍କରେ ଅବିହିତ କରିଥିଲେ । ବିକଶିତ ଓଡ଼ିଶା ୨୦୩୬ ବିକଶିତ ଭାରତ ୨୦୪୭ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ସମୃଦ୍ଧ ଭାରତ ବିଷୟରେ ପ୍ରକାଶ କରିଥିଲେ । ଶେଷରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବରେଣ୍ୟ ଅତିଥି ବୃନ୍ଦ ମିଶନ ଶକ୍ତି ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ପାଇଁ ଶ୍ରେଷ୍ଠ ଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ପୁରସ୍କୃତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ହେମନ୍ତ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।