ଝରଣା ପାଣିରେ ମେଣ୍ଟୁଛି ଶୋଷ, ଦୁର୍ଦ୍ଦିନରେ ଗ୍ରାମବାସୀ

ପାପଡାହାଣ୍ଡି : ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶା ଅନେକ, ଲୋକେ ଅଭିଶପ୍ତ ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି  । ଦୀର୍ଘଦିନରୁ ବସତି ସ୍ଥାପନ କରି ମଧ୍ୟ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ଗ୍ରାମବାସୀ  । ପଥୁରିଆ ପାଦ ଚଲା ରାସ୍ତା , ଝରଣା ପାଣି ବର୍ଷସାରା ପିଇ ରୋଗାକ୍ରାନ୍ତରେ ଗାଁ ବାସୀ , ଆଲୋକର ବ୍ୟବସ୍ଥା ନ ଥିବାରୁ  ଜଙ୍ଗଲିଆ ଅନ୍ଧାରରେ ଭୟରେ ଜୀବନ,ମେଡିକାଲ ଆଣିବାକୁ ହେଲେ ଷ୍ଟ୍ରକ୍ଚରରେ ୩ କିମି ବୋହିବାକୁ ପଡୁଛି  ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଶିରାଗୁଡା ଗ୍ରାମରେ ଏପରି ଦୃଶ୍ୟ  । ଶିରାଗୁଡା ଓ ଗୁରୁଣ୍ଡିଗୁଡା ଗ୍ରାମରେ ରୁହନ୍ତି ପ୍ରାୟ ୨୦୦ ଜନସଂଖ୍ୟାରେ  ୨୫ ପରିବାର  । ଜୀବିକା ହେଉଛି ଚାଷ ଓ ବନ୍ୟଦ୍ରବ୍ୟ ଜାତୀୟ ଫଳ ଆଣି ବଜାରରେ ବିକ୍ରି କରି ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି  । ଅପହଞ୍ଚ ଇଲାକା ହୋଇଥିବାରୁ କୌଣସି ସରକାରୀ ତଥା ଲୋକ ପ୍ରତିନିଧିଙ୍କ ଦେଖାନଥିବା କହିଛନ୍ତି ଗ୍ରାମବାସୀ । ଅନେକ ସମସ୍ୟା ଘେରରେ ଥାଇ ମଧ୍ୟ ଜୀବନ ବିତାଉଛନ୍ତି ଏହି ଦୁଇ ଗାଁ  ।  ଦୀର୍ଘ ୩୫ ବର୍ଷ ହେବ ବସତି ସ୍ଥାପନ କରି ଆସୁଥିବା ବେଳେ ନଳକୂପ ନ ଥିବାରୁ ଝରଣା ପାଣି ହିଁ ସାହା ଭରସା  । ଏକ ପଥରରୁ ପାଣି ବାହାରୁଥିବା ବେଳେ  ବର୍ଷାସାରା ଝରଣା ପାଣିରେ ହିଁ ଶୋଷ ମେଣ୍ଟୁଛି ଗାଁ ଲୋକଙ୍କ ଜୀବନ  । ସଦର ପଞ୍ଚାୟତ ମୈଦଲପୁର ୮ କିମି ଦୂର ହିଇଥିବା ବେଳେ ଗାଁ କୁ ଯିବାକୁ ହେଲେ ପ୍ରାୟ ୩ କିମି ପଥୁରିଆ ପାଦଚଲା ଯିବାକୁ ପଡୁଛି  । ଗମନାଗମନ ସୁବିଧା ନ ଥିବା ହେତୁ ବର୍ଷା ଋତୁରେ ଯାତାୟତରେ ବହୁତ ଅସୁବିଧା, ଯଦି କୌଣସି ସମୟରେ  ଲୋକଙ୍କ ଦେହ ଖରାପ ହୁଏ କିମ୍ବା ଗର୍ଭବତୀଙ୍କ ଦେହ ଅସୁସ୍ଥ ହୁଏ ତେବେ ମେଡିକାଲ ତରଫରୁ ଷ୍ଟ୍ରକଚର ଦିଆଯାଇଛି  । ଗାଁ ଠାରୁ ଗଣ୍ଡଭଟା ୩ କିମି ଦୂର ପର୍ଯ୍ୟନ୍ତ ବୋହି ଆଣି କୌଣସି ଏକ ଗାଡ଼ି କିମ୍ବା ଆମ୍ବୁଲାନ୍ସ ସାହାର୍ଯ୍ୟରେ ମୈଦଲପୁର ମେଡିକାଲ ଆଣିଥାନ୍ତି  ।  ସରକାରଙ୍କ ତରଫରୁ ମିଳୁଥିବା ଚାଉଳ ପାଇଁ ଖରା ବର୍ଷା ଶୀତରେ ମଧ୍ୟ ୮ କିମି ଦୂର ମୈଦଲପୁର ଆସି ନେବାକୁ ପଡୁଛି  । ଆଉ ଗୋଟେ ନଗ୍ନଚିତ୍ର ହେଉଛି ଦୁଇ ମାସ ହେବ ବିଦୁ୍ୟତ ବିଭାଗ ତରଫରୁ ଶିରାଗୁଡା ଓ ଗୁରୁଣ୍ଡିଗୁଡା ଠାରେ ଟ୍ରାନ୍ସଫର୍ମର ଲଗାଯାଇଛି କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ଜଙ୍ଗଲିଆ ଅଞ୍ଚଳରେ ମଧ୍ୟ ଅନ୍ଧାର ରାତିରେ କାଟିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି  ।  ପିଇବା ପାଣି ପାଇଁ ନଳକୂପ ଗୋଟେ , ଚାଲିବାକୁ ରାସ୍ତା ଖଣ୍ଡିଏ , ଆଲୋକର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି  ।