ଟାସ୍କଫୋର୍ସ ଗଠନ ନାଁକୁ ମାତ୍ର ବିଛାଖଣ୍ଡି : ମୌଜାରୁ କଳାପଥର ଲୁଟ୍ ପାଇଁ ଚାଲିଛି ପ୍ରତିଯୋଗିତା 

 ଯାଜପୁର : ଯାଜପୁର ଖଣି ଉପନିଦେ୍ର୍ଦଶ କାର୍ଯ୍ୟାଳୟ ଅଧୀନ ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜାରେ ରହିଥିବା କଳାପଥର ଖଣି(ଗ୍ରାନାଇଟ)ଲୁଟ ପାଇଁ ଏକ ପ୍ରକାର ଅଘୋଷିତ ପ୍ରତିଯୋଗୀତା ଚାଲିଛି । କିଛି ଦିନର ବିରତି ପରେ ଉକ୍ତ ଅଞ୍ଚଳରେ ଚେଇଁ ଉଠିଛନ୍ତି ମାଫିଆ । ଜିଲାରେ ବ୍ୟାପକ ପରିମାଣର କଳାପଥର ବାଲି, ମାଟି ସମେତ ଅନ୍ୟ ଲଘୁ ଖଣିଜ ଦ୍ରବ୍ୟ ଚୋରାରେ ଉତୋଳନ କରାଯାଇ ଚାଲାଣ କରାଯାଉଛି । ମାଫିଆ, ଲିଜଧାରୀ ଏବଂ ଅସାଧୁ ପ୍ରଶାସନିକ ଅଧିକାରୀମାନଙ୍କ କୋଳାକୋଳିରେ ପ୍ରତିଦିନ ଉଚ୍ଚ କ୍ଷମତାସମ୍ପନ ମେସିନ ଏବଂ ହାଇବା ସାହାଯ୍ୟରେ ବେଆଇନ ବ୍ଲାଷ୍ଟିଙ୍ଗ କରାଯାଇ ଶହଶହ ଟ୍ରିପ କଳାପଥର ଲୁଟ୍ ହେଉଛି ବୋଲି ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୁଏ । ଏକଦା ଧର୍ମଶାଳା ତହସିଲ ରାଜ୍ୟରେ ଲଘୁ ଖଣିଜରୁ ସବୁଠୁ ରାଜସ୍ୱ ଆଦାୟ ହେଉଥିଲା । ଏବେ ଖଣିଜ ସମ୍ପଦ ଲୁଟର ଚର୍ଚାରେ ରହିଆସିଛି ଏହି ତହସିଲ । ଲୁଟର ସବୁ ସୀମା ଟପିଯାଇଛି । କିଛି ଦିନର ବ୍ୟବଧାନ ପରେ ଲୁଟ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି । ବିଛାଖଣ୍ଡି ସତେ ଯେପରି ଲୁଟେରାଙ୍କ ଗନ୍ତାଘର ପାଲଟିଛି । ବିଛାଖଣ୍ଡି ମୌଜାରେ ଲଘୁଖଣି ବିଭାଗ ପକ୍ଷରୁ ୮ଗୋଟି ସୈରାତକୁ ଅନୁମତି ମିଳିଛି ସତ,ହେଲେ ଖଣି ଚଳାଇବା ପାଇଁ କେତେକ ନିୟମ ପାଳନ କରିବା ବାଧ୍ୟତା ମୂଳକ ରହିଛି । ପରିବେଶ ଆଇନକୁ ଫାଙ୍କି ଲିଜଧାରୀ ବେଶ ମୁନାଫା ନେବାରେ ବ୍ୟସ୍ତ । ଏପରି ବେଆଇନ ଭାବରେ ବିସ୍ପୋରକ ବ୍ୟବହାର କରାଯାଉଥିବାରୁ ନିକଟସ୍ଥ ଅଂଚଳର ଜନସାଧାରଣଙ୍କ ପ୍ରତି ବିପଦ ମାଡି ଆସୁଛି ।
କିନ୍ତୁ ଲିଜ୍ଧାରୀ ବେଆଇନ ଭାବରେ ଖଣି ଚଳାଉ ଥିବାର ଅଭିଯୋଗ ଆସିଛି । ଦିନ ଠାରୁ ରାତି ପର୍ଯ୍ୟନ୍ତ ବେଆଇନ ଭାବେ କଳାପଥର ଚାଲାଣ ହେଉଥିବାରୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି । ମାଫିଆମାନେ ପ୍ରୋକଲିନ୍, ଜେସିବି, ଟ୍ରାକ୍ଟର ଓ ବିଭିନ୍ନ ବଡବଡ ମେସିନ୍ ଆଦି ବ୍ୟବହାର କରିବା ସହିତ ବେଆଇନ ବ୍ଲାଷ୍ଟି କରି ପଥର ଉତୋଳନ କରିବା ସହ କୋଟି କୋଟି ଟଙ୍କା ମୁନାଫା କମାଉଛନ୍ତି । ଉତୋଳନ ସ୍ଥାନରୁ କ୍ରସର ୟୁନିଟ ଦୂରତା ୨ଶହ ମିଟର ହୋଇଥିବାରୁ କୌଣସି ପରିବହନ ଯାନକୁ ଟ୍ରାଂଜିଟ ପାସ (ଟିପି)ଦିଆଯାଉନାହିଁ ବୋଲି ବୋଲି ଅଭିଯୋଗ ଆସିଛି । ବେଆଇନ ଭାବରେ କ୍ରସର ଗୁଡିକରେ କଳାପଥର ପରିବହନ ନିର୍ଭୟରେ ହୋଇପାରୁଛି । ଏଭଳି ଚୋରା କାରବାରକୁ ରୋକିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଏସ୍ପି, ଡିଏଫ୍ଓ, ପୁଲିସ୍ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଟାକ୍ସଫୋର୍ସ ଗଠନ କରାଯାଇଥିଲେ ହେଁ ବାସ୍ତବରେ ତାହା କାର୍ଯ୍ୟ କରୁନାହିଁ ।
ଜିଲ୍ଲା ପ୍ରଶାସନର କିଛି ଅସାଧୁ ଅଧିକାରୀଙ୍କ ସହଯୋଗରେ ମାଫିଆ ଦିନରାତି ଅଞ୍ଚଳରେ ଚୋରା ଖଣି ଖାଦାନ ଓ ଏହାର ଚାଲାଣ ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଯାଇଛି । ଏହି ଅଂଚଳରେ ଅନେକ ବେଆଇନ କ୍ରସରମାନ ଗଢିଉଠିଛି । ପୂର୍ବରୁ ଏହି ବେଆଇନ କ୍ରସରରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଥିଲା । ବ୍ୟବସାୟୀ ମାନେ ବେଆଇନ କ୍ରସରକୁ କିଛି ମାସ ବନ୍ଦ ରଖିଥିଲେ । ସମସ୍ତ ବେଆଇନ ଭାବରେ ହଜାର ହଜାର ଟ୍ରିପ କଳାପଥର ଗଛିତ ଉପରେ ଜରିମାନା କରାଯାଇଥିବା ପ୍ରଶାସନ ପକ୍ଷରୁ ଶୁଣିବାକୁ ମିଳେ । ବିଛାଖଣ୍ଡି ମୌଜାରେ ଶତାଧିକ ବେଆଇନ କ୍ରସରକୁ ସରକାରୀ ଅନୁମତି ଠାରୁ ଢେର ଗୁଣରେ କଳାପଥର ଗଛିତରଖି ଚିପ୍ସି, ମେଣ୍ଟାଲ ପରିବର୍ତନ କରାଯାଉଛି । ସରକାରଙ୍କ ସବୁ ନୀତିନିୟମକୁ ଭାଙ୍ଗି ମିଳିମିଶି ଲୁଟ କରାଯାଉଛି । କ୍ରସର ବ୍ୟବସାୟୀ ଚଢାଦରରେ ବିଭିନ୍ନ ଜିଲ୍ଲାକୁ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି । କ୍ରସର ବ୍ୟବସାୟୀ ପୂର୍ବରୁ ଆଇନ ଅନୁଯାୟୀ କ୍ରସର ୟୁନିଟ ଚଳାଇବା ପାଇଁ ପ୍ରଶାସନକୁ ଅନୁମତି ଲୋଡୁଥିଲେ । ପରବର୍ତୀ ସମୟରେ ଉକ୍ତ ଅଂଚଳରେ ବେଆଇନ ଭାବରେ କିପରି କ୍ରସର ୟୁନିଟ ଚାଲୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏସଂକ୍ରାନ୍ତରେ ମାଇନିଂ ଅଫିସର ଯସକେତନ ସେଠୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲ ଗ୍ରହଣ କରିନଥିଲେ । ଏହି ଅଂଚଳରେ ଚାଲୁଥିବା ବେଆଇନ ଖଣି ଏବଂ କ୍ରସର ୟୁନିଟ ଉପରେ ଜିଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।