ଟିପିସିଓଡିଏଲ୍ ପକ୍ଷରୁ ପିପିଲି-ଡେଲାଙ୍ଗରେ ବିଦୁ୍ୟତ୍ ସୁଦୃଢ଼ିକରଣ: ୨୬ ହଜାରରୁ ଅଧିକ ଗ୍ରାହକ ହେବେ ଉପକୃତ

 ଭୁବନେଶ୍ୱର  : ପିପିଲି-ଡେଲାଙ୍ଗ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣରେ ଉନ୍ନତି ଆଣିବା ଦିଗରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଓଡିଏସ୍ଏସ୍ପି ଫେଜ୍-୪ ଅଭିଯାନ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି  । ଓଡିଏସ୍ଏସ୍ପି ଫେଜ୍-୪ ହେଉଛି ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ଏକ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମାଚଂଳରେ ବିଦ୍ୟୁତ୍ ବଣ୍ଟନ ର ଗୁଣାତ୍ମକ ମାନ ଓ ଭରସାଯୋଗ୍ୟତାରେ ଉନ୍ନତି ଆଣିବା  । ଟିପିସିଓଡିଏଲ୍ ପକ୍ଷରୁ ଦୁଇଟି ୩୩ କେଭି ଫିଡର୍ ଲାଇନ୍କୁ କାର୍ଯ୍ୟକ୍ଷମ କରାଯାଇଛି  । ଏହାକୁ ପିପିଲି-ଡେଲାଙ୍ଗର ବିଧାୟକ ଆଶ୍ରିତ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଯଥାକ୍ରମେ ୬.୬ କୋଟି ଟଙ୍କା ଓ ୬.୧୩୫ କୋଟି ଟଙ୍କାର ନିବେଶ ସହିତ ଏହି ନୂଆ ଲାଇନ୍ ସାତଶଙ୍ଖ ଗ୍ରିଡ୍ ସବ୍ଷ୍ଟେସନ୍ (ଜିଏସ୍ଏସ୍)କୁ କୁମାରେଶ୍ୱର ପ୍ରାଥମିକ ସବ୍ଷ୍ଟେସନ୍ (ପିଏସ୍ଏସ୍) ଓ ପଟ୍ଟନାୟକ ଛକ ସହ ଯୋଡ଼ିବ  । ସମୁଦାୟ ୧୦.୨ ସିକେଏମ୍ ଫିଡର୍ ଲମ୍ବ ସହିତ ଭିତ୍ତିଭୂମିରେ ଏହି ଉନ୍ନତି ଏହି ଅଂଚଳରେ ବିଦ୍ୟୁତ୍ ଯୋଗାଣର ଗୁଣାତ୍ମକ ମାନ ଓ ଭରସା ଯୋଗ୍ୟତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ । ଏହି ଉନ୍ନତ ନେଟ୍ୱର୍କ ଦ୍ୱାରା ସାକ୍ଷୀଗୋପାଳର ପ୍ରାୟ ୧୪,୦୦୦ ଗ୍ରାହକ ଏବଂ ସାତଶଙ୍ଖର ୧୨,୦୦୦ ଗ୍ରାହକ ଉପକୃତ ହେବା ଆଶା କରାଯାଉଛି  । ଏହା ଏହି ଅଂଚଳର ଦୀର୍ଘଦୀନର ଭୋଲଟେଜ୍ ସମସ୍ୟା ଏବଂ ନିୟମିତ ବ୍ୟବଧାନରେ ହେଉଥିବା ବିଦ୍ୟୁତ୍ ବିଭ୍ରାଟ ସମସ୍ୟାର ସମାଧାନ କରିବା ସହ ଭବିଷ୍ୟତର ଲୋଡ୍ ବୃଦ୍ଧିର ମୁକାବିଲାରେ ସହାୟକ ହେବ । ଏହି ଅବସରରେ ବିଧାୟକ କହିଛନ୍ତି ଏହି ପ୍ରକଳ୍ପ ପିପିଲି, ସାକ୍ଷୀଗୋପାଳ ଓ ସାତଶଙ୍ଖର ଲୋକମାନଙ୍କୁ ଭରସାଯୋଗ୍ୟ ଓ ଦୃଢ଼ ବିଦ୍ୟୁତ୍ ଭିତ୍ତିଭୂମି ପ୍ରଦାନ କରିବା ପାଇଁ ସରକାର ଏବଂ ଟିପିସିଓଡିଏଲ୍ର ପ୍ରତିବଦ୍ଧତାକୁ ଦୋହରାଉଛି ।