ଟ୍ରଲର ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ୯ରେ
ପାରାଦୀପ: ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) "ପାରାଦୀପ ଟଠ୍ରଲର ମାଲିକ ସଂଘ'ର କର୍ମକର୍ତ୍ତା ନିର୍ବାଚନ ଏପ୍ରିଲ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୯ଟି ପଦବୀ ପାଇଁ ଦୁଇଟି ପ୍ୟାନେଲର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି । ନିର୍ଦ୍ଧାରୀତ ତାରିଖରେ ନିର୍ବାଚନ ପରିଚାଳନା କମିଟିର ପ୍ରାର୍ଥୀପତ୍ର ଯାଞ୍ଚ କରି ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହିତ ଉଭୟ ପ୍ୟାନେଲର ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୩୧ ତାରିଖରେ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରାଯାଇଥିବା ଜଣାପଡିଛି । ଚଳିତ ନିର୍ବାଚନରେ ନିଜ ନିଜର ମତ ସାବ୍ୟସ୍ତ କରିବା ପାଇଁ ୪୯୪(ଚାରି ଶହ ଚଉରାନବେ) ଜଣ ଯୋଗ୍ୟ ବିବେଚିତ ଥିବା ନିର୍ବାଚନ ପରିଚାଳନା କମିଟି ସୂତ୍ରରୁ ଜଣାପଡିଛି । ସଂଘର ଉପଦେଷ୍ଟା ମଣ୍ଡଳୀ କେଶବ ଚନ୍ଦ୍ର ସେନାପତି, ବୈକୁଣ୍ଠ ନାରାୟଣ ଦାସ, ଆଦିକନ୍ଦ ମହାନ୍ତି, ସୁରେନ୍ଦ୍ର କୁମାର ବାରିକ, ନିରଞ୍ଜନ ଖଟୁଆ ଓ ବେଣୁଧର ନାୟକ ପ୍ରମୂଖ ନିର୍ବାଚନ ପରିଚାଳନା କରୁଥିବା ବେଳେ ଏପ୍ରିଲ ୯ ତାରିଖ (ବୁଧବାର) ପୂର୍ବାହ୍ନ ୮ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅଠରବାଙ୍କୀ ଲକପଡାସ୍ଥିତ ଓମ୍ଫା କାର୍ଯ୍ୟାଳୟ ପରିସରରେ ଭୋଟ ଗ୍ରହଣ କରାଯିବା ସହିତ ସେହିଦିନ ସଂଧ୍ୟାରେ ହିଁ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ପରିଚାଳନା କମିଟି ସୂତ୍ରରୁ ପ୍ରକାଶ । ତେବେ ନିର୍ବାଚନ ଅନୁଷ୍ଠିତ ହେବାକୁ ହାତରେ ମାତ୍ର ଗୋଟିଏ ସପ୍ତାହ ଥିବାରୁ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ସମସ୍ତ ପ୍ରକାର କଳ, ବଳ, କୌଶଳ ଖଟେଇ ଦେଇଥିବା ଦେଖିବାକୁ ମିଳୁଛି ।