ଟ୍ରାଫିକ ଥାନା କେବେ?
ପାଣିକୋଇଲି,: ଦୁଇଟି ଜାତୀୟ ରାଜପଥକୁ ସଂଯୋଗ କରୁଥିବାପାଣିକୋଇଲି ଭୈାଗଳିକ ଦୃଷ୍ଟି କୋଣରୁ ଗୁରୁତ୍ୱ ବହନ କରେ । ପ୍ରତ୍ୟହ ହଜାର ହଜାର ସଂଖ୍ୟାର ଗାଡି ପାଣିକୋଇଲି ଦେଇ ଅତିକ୍ରମ କରି ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟତ କରିଥାଏ । ଏଠାରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ନଥିବାରୁ ସମସ୍ୟା ସୃଷ୍ଟି ହୋଇଥାଏ । ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ବସ ଗୁଡିକ ରାଜପଥ ସଂଯୋଗୀକରଣ ରାସ୍ତାରେ ଛିଡା ହେବା ହେଉ କି ଘରୋଇ ଗାଡି ଗୁଡିକ ରାସ୍ତା ଉପରେ ରଖି ଜଳପାନ କରିବା ଦ୍ୱାରା ଅନେକାଂଶରେ ଟ୍ରାଫିକ ସମସ୍ୟା ଉପୁଜିବାରେ ଲାଗିଛି । ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଘଣ୍ଟା ଘଣ୍ଟା ଅଟକି ରହୁଛି । ପାଣିକୋଇଲି ଏବେ ଛଅ ଛକିରେ ପରିଣତ ହୋଇଛି । ହେଲେ ଏଠାରେ ଟ୍ରାଫିକ ଥାନା ବା ଟ୍ରାଫିକ ପୁଲିସ ନାହାନ୍ତି । ପାଣିକୋଇଲି ଥାନା ପକ୍ଷରୁ ଏଠାରେ ଟ୍ରାଫିକ ନିୟନ୍ତ୍ରଣ କରିବା ଘୋର ଅସୁବିଧା ସୃଷ୍ଟି କରିଛି । ଖୋଦ ଜିଲ୍ଲା ପୁଲିସର ମୁଖ୍ୟାଳୟ ପାଣିକୋଇଲିରେ ରହିଛି । ହେଲେ ଟ୍ରାଫିକ ସମସ୍ୟା ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି । ଜିଲ୍ଲାର ଚଣ୍ଡିଖୋଲ ଠାରେ ଏକ ମାତ୍ର ଟ୍ରାଫିକ ଥାନା ରହିଛି । କିନ୍ତୁ ପାଣିକୋଇଲି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ପୁଲିସ ନରହିବା ସମସ୍ୟା ସୃଷ୍ଟି କରିଛି । ଖୋଦ ପୁଲିସ ମୁଖିଆ ପାଣିକୋଇଲିରେ ରହୁଥିବା ବେଳେ ନିଜେ ପାଣିକୋଇଲି ଟ୍ରାଫିକ ସମସ୍ୟା ପ୍ରତି ସଚେତନ । ହେଲେ କାହିଁକି ଏହାର ବିକଳ୍ପ ବ୍ୟବସ୍ଥା କରାଯାଉନଥିବାରୁ ବହୁ ସମୟରେ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି । ଟ୍ରାଫିକ ସମସ୍ୟା ଯୋଗୁ ଅନେକ ସମୟରେ ଦୁର୍ଘଟଣା ବା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ହଜାର ହଜାର ସଂଖ୍ୟାର ଲୁହାପଥର ବୋଝେଇ ଗାଡି ଯୋଗୁ ସବୁ ସମୟରେ ରାସ୍ତା ଜାମ ରହୁଛି । ଏହାର ସୁଧାରର ଆବଶ୍ୟକତା ଥିବା ବେଳେ ପାଣିକୋଇଲିର ତୃଟିପୂର୍ଣ୍ଣ ଗୋଲେଇର ସୁଧାର ଆଣିବା ବା ଗାଡି ଯାତାୟତ ପାଇ ବିକଳ୍ପ ବ୍ୟବସ୍ଥା କରିବା, ପାଣିକୋଇଲିରେ ଟ୍ରାଫିକ ଥାନା କରି ଟ୍ରାଫିକ ପୁଲିସ ନିଯୁକ୍ତି କରିବା, ରାଜପଥ ବିଭାଗ, ପରିବହନ ବିାଭଗ ଓ ପୁଲିସ ପ୍ରଶାସନ ମିଳିତଭାବେ ପରିସ୍ଥିତିକୁ ଲକ୍ଷ୍ୟ କରି ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ‘ସହଯୋଗ’ ପକ୍ଷରୁ ଦାବି ହୋଇଛି ।