ଟ୍ୟାଙ୍କର ଡ୍ରାଇଭରଙ୍କ ହକ୍ ପାଇଁ ସ୍ୱର ଉତ୍ତୋଳନ

 ପାରାଦୀପ: ପାରାଦୀପସ୍ଥିତ  ଟର୍ମିନାଲ ରେ ଥିବା ବିପିସିଏଲ, ଏଚପିସିଏଲ ଓ ଆଇଓସିଏଲ ଡିପୁରେ ତେଲ ଟାଙ୍କି ଗାଡି ଚଲାଉ ଥିବା ସମସ୍ତ ଚାଳକ ଏକାଠି ହୋଇ ଲଢୁଆ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱାଧୀନ ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ଆଇଓସିଏଲ ଡିପୋ ସମ୍ମୁଖରେ ଆୟୋଜିତ ସାଧାରଣ ସଭାରେ ନିଜର ହକ ପାଇଁ ପ୍ରତିବାଦ କରିଛନ୍ତି । ପୂର୍ବ ଉପକୂଳ ଶ୍ରମିକ ସଂଘର ନେତୃ ମଣ୍ଡଳୀ କହିଥିଲେ ଯେ, ତୈଳ କମ୍ପାନୀରେ ଟ୍ୟାଙ୍କର ଚଲାଉଥିବା ସମସ୍ତ ଡ୍ରାଇଭର କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଇଏସଆଇରେ ଅନ୍ତର୍ଭୁକ୍ତ ହେବା କଥା, ସେମାନଙ୍କୁ କ୍ୟାଣ୍ଟିନ ସୁବିଧା ଓ ବିଶ୍ରାମ ଗୃହ ସୁବିଧା ଯୋଗାଇ ଦେବା କଥା । କିନ୍ତୁ ଡ୍ରାଇଭର ମାନେ ସେମାନଙ୍କର ପାଇବାକୁ ଥିବା ହକ ପାଇଁ ୩୫ ବର୍ଷ ଭିତରେ କେବେ ବି ସ୍ୱର ଉତ୍ତୋଳନ କରି ନ ଥିଲେ ।  କିନ୍ତୁ ତିନି ଟର୍ମିନାଲର ସବୁ ଟ୍ୟାଙ୍କର ଡ୍ରାଇଭର ପୂର୍ବ ଉପକୂଳ ଶ୍ରମିକ ସଂଘରେ ଯୋଗଦେବା ପରେ ସଭାପତି ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଲକ୍ଷ୍ୟରେ ଆଜି ଏ ସାଧାରଣ ସଭାର ଆୟୋଜନ କରାଯାଇଛି । ତୈଳ କମ୍ପାନୀ ମାନଙ୍କୁ ମୌଳିକ ସମସ୍ୟା ଗୁଡ଼ିକ ଖୁବ ଶିଘ୍ର ସମାଧାନ କରିବାକୁ ନେତୃମଣ୍ଡଳୀ ମାନେ ଜୋରଦାର ଦାବି କରିବା ସହ  ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଭାପତି ପ୍ରକାଶ ତ୍ରିପାଠୀ କହିଥିଲେ । ସଂଘର ସହ ସମ୍ପାଦକ ଦିଲ୍ଲୀପ ବଳିୟାର ସିଂ ସଭା ପରିଚାଳନା କରିଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଅଭିମନୁ୍ୟ ବେହେରା,  ସୁବ୍ରତ କୁମାର ପ୍ରଧାନ, ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂ, ରନôାକର ଜେନା ପ୍ରମୁଖ  ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ସନ୍ତୋଷ ନାୟକ, ବାଦଲ ମହାନ୍ତି, କୈଳାସ ନାୟକ ଓ ପ୍ରସନ୍ନ ସେନାପତି ପ୍ରମୁଖ ସଭାକୁ ପରିଚାଳନା କରିଥିଲେ ।