ଟ୍ୟାଙ୍କର ଯୋଗେ ଗ୍ରାମକୁ ଜଳ ଯୋଗାଣ
ପାରାଦୀପ: ପାରାଦୀପ ଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୧ ନମ୍ବର ୱାର୍ଡ ଅଧିନରେ ଚନକଣ (ଉଦୟଚାନ୍ଦପୁର) ଗ୍ରାମ ଅବସ୍ଥିତ । ଏହି ଗ୍ରାମରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଦୀର୍ଘବର୍ଷ ଧରି ଏହି ଗ୍ରାମର ଲୋକମାନେ ବଜାରରୁ ପିଇବା ପାଣି କିଣି ବ୍ୟବହାର କରି ଆସୁଥିଲେ । ଏହି କାରଣରୁ ପଞ୍ଚାୟତ ତରଫରୁ ଦୁଇଟି ଗଭୀର ନଳକୂପ ସ୍ଥାପନ କରାଯାଇଥିଲ । ହେଲେ ନଳକୂପର ପାଣି ପିଇବା ଯୋଗ୍ୟ ନଥିଲା । ଗ୍ରାମବାସୀ ଏହାର ସମାଧାନ ପାଇଁ ସରପଞ୍ଚ ସସ୍ମିତା ବେହେରାଙ୍କୁ ଜଣାଇଥିଲେ । ସରପଞ୍ଚ ଶ୍ରୀମତି ବେହେରା ଏହାର ସମାଧାନ ପାଇଁ ତୈଳ ବିଶୋଧନାଗାର ଓ ପିପିଲ୍ କର୍ତ୍ତୃପକ୍ଷଙ୍କୁ ସିଏସ୍ଆର୍ ପାଣ୍ଠିରୁ ଏହି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ପିପିଏଲ କର୍ତ୍ତୃପକ୍ଷ ସରପଞ୍ଚଙ୍କ ପ୍ରସ୍ତାବକୁ ଅନୁମୋଦନ କରି ଉକ୍ତ ଗ୍ରାମକୁ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ଅନୁଦାନ ପ୍ରଦାନ କରିବେ ବୋଲି ପଞ୍ଚାୟତକୁ ଜଣାଇଥିଲେ । ଏଣିକି ପ୍ରତିଦିନ ଏହି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଞ୍ଚ ହଜାର ଲିଟର ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି । ପରବର୍ତ୍ତୀ ସମୟରେ ପିପିଏଲ୍ ତରଫରୁ ଏକ ଆରଓ ମେସିନ୍ ସ୍ଥାପନ କରାଯିବ ବୋଲି ପିପିଏଲ ସିଏସ୍ଆର୍ ମୁଖ୍ୟ ଓମ୍ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି ।