ଠିକାଦାର ଅଧୀନରେ ନୁହେଁ ପୌର ଦାୟିତ୍ୱରେ ରହୁ ପରିମଳ ପରିଚାଳନା
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଠିକାଦାର ଅଧିନରେ ନୁହେଁ ପୌର ପରିମଳ ପରିଚାଳନା ପୌର ଅକ୍ତିଆରକୁ ଅଣାଯାଉ । ପରିମଳ ବ୍ୟବସ୍ଥା ଠିକାଦାର ଅଧିନରେ ରହିଥିବାରୁ ବ୍ୟାପକ ମନମାନି ଚାଲିଛି । ମନଇଛାରେ ଠିକାସଂସ୍ଥା ବିଲ୍ କରୁଛି । ଲକ୍ଷଲକ୍ଷ ଟଙ୍କା ଗାଡ଼ି ଭଡ଼ା ବାବଦରେ ଦିଆଯାଉଛି । ଏଣୁଠିକାଦାର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ବ୍ୟାସନଗର ପରିମଳ ବ୍ୟବସ୍ଥା ପୌର ପରିଚାଳନାଧିନ କରିବାକୁ ଆଜି ଅନୁଷ୍ଠିତ କାଉନସିଲ ବୈଠକରେ ପାରିଷଦ ପ୍ରସ୍ତାବ ରଖିଛନ୍ତି । ଯାହା ଉପରେ ତର୍ଜମା କରିବା ପୂର୍ବକ କମିଟି ଗଠନ କରାଯାଇ ତ୍ୱରିତ ପଦକ୍ଷେପ ନିଆଯାଉ । ଆଜି ପୌର କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ପୌରୋହିତରେ ଅନୁଷ୍ଠିତ କାଉନସିଲ ବୈଠକରେ ପୂର୍ବ ବୈଠକରେ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ନିର୍ବାହ କରୁଥିବା ୱାଟକୋ ଯନ୍ତ୍ରୀ ବିଚିତ୍ରାନନ୍ଦ ପୁହାଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ୨୦୨୩-୨୪/୨୦୨୪-୨୫ରେ ହେବାକୁ ଥିବା କାର୍ଯ୍ୟର ଟେଣ୍ଡର ଡ଼କାଯିବା ଉପରେ ପାରିଷଦ ଗୁରୁତ୍ୱାରୋପ କରିଥିଲେ । ପୌରପରିଷଦରେ ଥିବା ପୋଖରୀ ମଧ୍ୟରୁ ୧୬ଗୋଟିର ପୂନରୁଦ୍ଧାର ପାଇଁ ବର୍ଷକ ତଳୁ ଡ଼ିପିଆର ଯାଇଥିଲେ ହେଁ ତାହା ଏଯାବଦ କରାଯାଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ପାରିଷଦ । ଫେରୋକ୍ରୋମ କାରଖାନା ଭୂତଳ ଜଳ ବ୍ୟବହାର କରୁଥିବାରୁ ବ୍ୟାସନଗରରେ ପାନୀୟ ଜଳ ଯୋଗାଣ ଉପରେ ଏହାର ସିଧା ପ୍ରଭାବ ପଡ଼ୁଥିବା କଥା ଉଠିଥିଲା । ସ୍ୱଚ୍ଛସାଥୀ ୧୨ ଜଣ ନିୟୋଜିତ ହୋଇଥିବା ବେଳେ ୧୪ଜଣଙ୍କୁ ବସାଇ ଦରମା ଦେବା ଏବଂ ସଫେଇ କର୍ମଚାରୀ ସଂଖ୍ୟା ୯୦ରୁ ଅଧିକ ବୃଦ୍ଧି କରିବା ସହ ମାସ ସଫେଇ ନେଇଥିବା ଆଲୋଚନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପାରିଷଦ ଦାବି ରଖିଥିଲେ । ନଗରକୁ ଆଲୋକୀରଣ କରିବାକୁ ଷ୍ଟିଟ ଲାଇଟ ଆସିଥିବା ବେଳେ ଏହା ଲଗାଯିବାରେ ଟାଳଟୁଳ ନୀତି ଯୋଗୁ ୱାର୍ଡ଼ ଅନ୍ଧାରରେ ରହୁଥିବାରୁ ପାରିଷଦ ଉଦ୍ବେଗ ପ୍ରକାଶ କରିଥିଲେ । ରାଜ୍ୟ ସରକାର ସରକାରୀ ଜମିକୁ ଜବର ଦଖଲମୁକ୍ତ କରିବାକୁ କରିଥିବା ଘୋଷଣାକୁ ପାରିଷଦ ସ୍ୱାଗତ କରିଥିଲେ ହେଁ ବ୍ୟାସନଗର ପୌରାଞ୍ଚଳର ବିଭିନ୍ନ ବସ୍ତିରେ ବାସ କରୁଥିବା ଭୂମିହିନଙ୍କୁ ଆଗ ଥଇଥାନ କରିବାକୁ ପ୍ରସ୍ତାବ ଆସିଥିଲା । ସରକାର ଯଦି ଭୂମିହିନ ବସ୍ତିବାସୀନ୍ଦାଙ୍କୁ ଥଇଥାନ ନକରନ୍ତି, ତେବେ ପାରିଷଦ ଦବରଦଖଲ ମୁକ୍ତକୁ ବିରୋଧକରିବେ ବୋଲି ଜଣାଇଥିଲେ । ବୈଠକରେ ଉପନଗରପାଳ ସୁବାସ ବଳଙ୍କ ବ୍ୟତିତ ସମସ୍ତ ପାରିଷଦ ଉପସ୍ଥିତ ରହି ଆଲୋଚନା କରିଥିଲେ ।