ଠିକାଦାରଙ୍କୁ ମାଡ଼ ପ୍ରତିବାଦରେ ଏସପିଙ୍କୁ ଦାବିପତ୍ର ଦେଲେ ସଂଘ 

  କେନ୍ଦୁଝର : ଠିକାଦାରଙ୍କୁ ମାଡ଼ ପ୍ରତିବାଦରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ସୂଚନା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି ଜିଲ୍ଲା ଠିକାଦାର ସଂଘ । ସଂଘର ସାଧାରଣ ସମ୍ପାଦକ ଅନୁପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସପିଙ୍କୁ ଦାବିପତ୍ର ଦେବା ସହ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ସରକାରୀ ଉନ୍ନୟନ କାର୍ଯ୍ୟ ଶୃଙ୍ଖଳିତ ହେବା ଆଶଙ୍କା ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି । ଏସପିଙ୍କୁ ପ୍ରଦାନ କରାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ପକ୍ଷରୁ ବଡଡୁମୁରିଆରୁ ରାସ୍ତା କାମ ସଚ୍ଚିଦାନନ୍ଦ ଖିଲାରଙ୍କ ନାମରେ ରହିଛି । ଏହି ରାସ୍ତାର ଏକ ବକ୍ସ ସେଲ ପୋଲର ଛାତ କାମ ଚାଲିଥିବା ବେଳେ ସଚ୍ଚିଦାନନ୍ଦଙ୍କ ଭାଇ ଶିବାନନ୍ଦ କାମ କରୁଥିବାବେଳେ କେତେକ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଆସି ଚାନ୍ଦା ମାଗିଥିଲେ । ଟଙ୍କା ଦେବାକୁ ଶିବାନନ୍ଦ ମନା କରିଥିବାବେଳେ ତାଙ୍କ ସାର୍ଟ କଲରକୁ ଧରି ମାରିବା ସହ ମୁଣ୍ଡ ଫଟାଇ ମାରଣାନ୍ତକ ଆକ୍ରମଣ କରିଥିଲେ । ଏହି ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଜନର କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶିବାନନ୍ଦଙ୍କୁ ସୁରକ୍ଷା ଦେବାକୁ ଯାଇ ଅନ୍ୟ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି । ଏ ସମ୍ପର୍କରେ ବାରିଆ ଥାନାରେ ଏତଲା ଦିଆଯାଇଥିବାବେଳେ ଗତ ୨୧ତାରିଖ ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆସାମୀକୁ ଗିରଫ କରାଯାଇନାହିଁ । ଜିଲ୍ଲା ଠିକାଦାର ସଂଘ ଏସପିଙ୍କୁ ଅନୁରୋଧ କରିଛି ସରକାରୀ ଉନ୍ନୟନ କାର୍ଯ୍ୟକୁ ଶୃଙ୍ଖଳାର ସହ କରିବା ପାଇଁ ଠିକାଦାରମାନଙ୍କୁ ସୁରକ୍ଷା ଦେବା ସହ ଅନ୍ୟ କେତେକ ସ୍ଥାନରେ ଏପରି ଘଟଣା ଘଟୁଛି । ଏହାର ପ୍ରତିକାର କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପାଦନା ପାଇଁ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଠିକାଦାର ସଂଘ ଅନୁରୋଧ କରିଛି ।