ଡକାୟତ ଗ୍ୟାଙ୍ଗ ଗିରଫ : ବନ୍ଧୁକ ମୁନରେ କରୁଥିଲେ ଲୁଟ୍
ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳେଇଥିବା କୁଖ୍ୟାତ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ତୁମୁଡିବନ୍ଧ ପୁଲିସ । ଏହି ପାଞ୍ଚ ଜଣିଆ କୁଖ୍ୟାତ ଗ୍ୟାଙ୍ଗ ତୁମୁଡିବନ୍ଧ ଅଞ୍ଚଳରେ ମାସ୍କ ପିନ୍ଧି ଭୁଜାଲି ଓ ବନ୍ଧୁକ ମୁଣ୍ଡରେ ରଖି ଡକାୟତି କରିବା ପରେ ମୁନିଗୁଡା ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଯାଇ ଆତ୍ମଗୋପନ କରୁଥିଲେ । ତେବେ କୋଟଗଡ଼ରୁ ଏହି ଗ୍ୟାଙ୍ଗ ମୁନିଗୁଡା ଯାଉଥିବା ସମୟରେ ପୁଲିସ କାବୁ କରି ଗିରଫ କରିଥିବା ନେଇ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । ଏହି ପାଞ୍ଚ ଡକାୟତିଙ୍କ ଠାରୁ ୧୫୦ ଗ୍ରାମ ସୁନା ଅଳଙ୍କାର, ୧୬ ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୩୩୩୦୦ ଟଙ୍କା, ଦୁଇଟି ମୋବାଇଲ ଓ ପାଞ୍ଚଟି କଳା ମାସ୍କ ଜବତ କରିଛି ତୁମୁଡିବନ୍ଧ ପୁଲିସ । ଗିରଫ ୫ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ମଧ୍ୟ ଚୋରି ଡକାୟତି ନେଇ ବିଭିନ୍ନ ଥାନାରେ ମାମଲା ରହିଥିବା ମଧ୍ୟ କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ । ଗିରଫ ୫ଅଭିଯୁକ୍ତ ହେଲେ ତୁମୁଡିବନ୍ଧ ଥାନା ମାଲିପଡ଼ାର ପ୍ରିୟ ରଞ୍ଜନ ମଣ୍ଡଳ, ମୋତିରାମ ପରାସେଟ, ବୁଡ଼ାପଡାର ପିଙ୍କୁ ନାୟକ, ଶଗଡ଼ିଆ ସାହିର ରିଚାର୍ଡ ନାୟକ ଓ ଦାରିଙ୍ଗିବାଡ଼ି ଥାନା କୁପିବାଡ଼ିର ଜନକ ନାୟକ । ତେବେ ଗିରଫ ୫ ଅଭିଯୁକ୍ତଙ୍କ ବହୁତ ବଡ଼ ନେଟୱର୍କ ରହିଥିବାବେଳେ ଏହି ଗ୍ୟାଙ୍ଗରେ ଆଉ କେହି ସାମିଲ ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ।