ଦେଶରେ ମାଟି, ବିଦେଶରେ ସୁନା  ସ୍ୱପ୍ନ ପାଲଟିଛି ‘କଳାଗ୍ରାମ' ଘୋଷଣା

ରବୀନ୍ଦ୍ର କୁମାର ପଟ୍ଟନାୟକ: ନୟାଗଡ଼ ଜିଲାବାସୀଙ୍କ ନିମନ୍ତେ ‘କଳାଗ୍ରାମ' ଘୋଷଣା ସ୍ୱପ୍ନ ପାଲଟିଛି  । କଣ୍ଟିଲୋ ଏବଂ ଖଳିସାହି ଗ୍ରାମକୁ କେନ୍ଦ୍ର ସରକାର  ‘କଳାଗ୍ରାମ'ର ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ଦୀର୍ଘ ଦିନ ହେଲା ଦାବୀ ହୋଇଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ସାକାର ହୋଇପାରିନାହିଁ  । ଉକ୍ରର୍ଷ ତଥା ଆକର୍ଷଣୀୟ କଂସାବାସନ ଏବଂ ବିଭିନ୍ନ ପ୍ରକାର କମନୀୟ ମୂର୍ତ୍ତି ପ୍ରସ୍ତୁତ ନିମନ୍ତେ ଏହି ଦୁଇଟି ଗରିମାମଣ୍ଡିତ ଗ୍ରାମର ଯଥେଷ୍ଟ ସୁନାମ ରହିଛି  । ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଐତିହ୍ୟସମ୍ପନ୍ନ ଗ୍ରାମରେ ପ୍ରସ୍ତୁତ ଏସବୁ ସାମଗ୍ରୀର ଯଥେଷ୍ଟ ଚାହିଦା ଓ ଆଦର ଉପଭୋକ୍ତା ମାନଙ୍କ ମଧ୍ୟରେ ରହିଛି  । ଉକ୍ରଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାରେ କଣ୍ଟିଲୋ ନାମ ଯୋଡ଼ିହୋଇ ରହିଛି  । ଏଠାରୁ କଂସା,ପିତଳରେ ନିର୍ମିତ୍ତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ତଥା ଘରକରଣା ସାମଗ୍ରୀ ସୁଦୂର ଜାଭା,ସୁମିତ୍ରା,ବର୍ଣ୍ଣୋଓ ପ୍ରଭୃତି ଦେଶ ମାନଙ୍କୁ ରପ୍ତାନୀ ହେଉଥିବାର କିମ୍ବଦନ୍ତୀ ରହିଛି  । କଣ୍ଟିଲୋ ଗ୍ରାମ ପ୍ରଭୁ ଶ୍ରୀନୀଳମାଧବଙ୍କ ପାଇଁ ଯେତିକି ପ୍ରସିଦ୍ଧ ଅନୁରୂପ ଭାବେ କଂସାବାସନ ନିମନ୍ତେ ମଧ୍ୟ ସେତିକି ପ୍ରଖ୍ୟାତ ଅଟେ  । ଅତୀତରେ ଏଠାର ମନୋରମ କଂସାବାସନର ଚାହିଦା ଗ୍ରାହକ ମାନଙ୍କ ମଧ୍ୟରେ ବେଶ୍ ରହିଥିଲା  । ଏହାକୁ କୂଳବେଉଷା ଭାବେ କଣ୍ଟିଲୋର କଂସାରୀଜାତିର ଲୋକ ଆପଣେଇ ନେଇଥିଲେ  । ଏହି ପରିପ୍ରେକ୍ଷୀରେ, କଂସାବାସନ ପ୍ରସ୍ତୁତ କରିବା ପାଇଁ ଶାଳ ମାନଙ୍କରେ ମଜୁରୀ ଖଟି ଶତାଧିକ ଲୋକ ମଧ୍ୟ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ  ।  ତେବେ,ପାଶ୍ଚାତ ସଂସ୍କୃତିର ଅନୁପ୍ରବେଶ ଏବଂ ଆଧୁନିକତାର ପ୍ରଭାବରେ ଏହି ବାସନ ପ୍ରତି ଉପଭୋକ୍ତା  ମାନଙ୍କର ଆଦର ଯଥେଷ୍ଟ ହ୍ରାସ ପାଇଛି  । ପୂର୍ବରୁ ଝିଅ ବିବାହ ଦେବା ସମୟରେ କନ୍ୟାପିତା କଣ୍ଟିଲୋ କଂସାବାସନ,ହଣ୍ଡା,ଗରା,ବାଲଟି,ଡ଼ଙ୍କି,ଗ୍ଲାସ, ଖାଇବାବାସନ ଇତ୍ୟାଦି  ଯୌତୁକ ଭାବେ ବରପକ୍ଷକୁ ଦେଉଥିଲେ  । ମାତ୍ର,ଏବେ ସେହି ପରମ୍ପାରିକ ପ୍ରଥା ପ୍ରାୟତଃ ଲୋପ ପାଇବାକୁ ବସିଛି  । ଉଲ୍ଲେଖନୀୟ ଯେ,କଣ୍ଟିଲୋର ଏହି କଂସାବାସନର ଆଦର କେବଳ ଆମ ରାଜ୍ୟ ବା ଦେଶରେ ସୀମିତ ରହିନଥିଲା ଏସବୁ ସାମଗ୍ରୀ ମଧ୍ୟ ଦେଶବିଦେଶ ଯଥା ଜାଭା,ସୁମିତ୍ରା,ବର୍ଣ୍ଣୋଓ ସମେତ ଅନେକ ଦେଶମାନଙ୍କୁ ପଠାଯାଉଥିଲା  । ଉକ୍ରଳୀୟ ନୌବାଣିଜ୍ୟ ଇତିହାସରେ ଏହା ବର୍ଣ୍ଣିତ ଅଟେ  । ତେବେ,ଆମ ରାଜ୍ୟରେ ଏହି ମୂଲ୍ୟବାନ ସାମଗ୍ରୀର ଚାହିଦା ଯଥେଷ୍ଟ କମିଯାଇଥିଲା ବେଳେ ବିଦେଶରେ କିନ୍ତୁ ଏହାର ଆଦର ହ୍ରାସ ପାଇନାହିଁ  । ଭିଏତନାମ ଭଳି ବିଦେଶୀ ରାଷ୍ଟ୍ରରେ ଏବେ ମଧ୍ୟ କଣ୍ଟିଲୋ ବାସନର ଚାହିଦା ଏବଂ ସୁନାମ ଯଥେଷ୍ଟ ରହିଥିବା ଘଟଣା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ମନେ କରାଯାଏ  । କିଛିବର୍ଷ ପୂର୍ବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏକ ସରକାରୀ କାର୍ଯ୍ୟକ୍ରମରେ ଭିଏତ୍ନାମ ଗସ୍ତରେ ଯାଇଥିଲା ବେଳେ ସେଠାରେ ଥିବା ଏକ ବଜାରରେ କଣ୍ଟିଲୋ ବାସନ ବିକ୍ରି ହେଉଥିବା ତାଙ୍କ ନଜରକୁ ଆସିଥିଲା  । ସେଠାର ବଜାରରେ ସେ ବୁଲୁଥିବା ବେଳେ କଂସାବାସନ ବିକ୍ରି ହେଉଥିବା ଦେଖି ଜଣେ ବ୍ୟବସାୟୀଙ୍କୁ ଏହି ସାମଗ୍ରୀର ନାମ କଣ ବୋଲି ପଚାରିଥିଲେ  । ସମ୍ପୃକ୍ତ ବ୍ୟବସାୟ ଆଗ୍ରହ ଏବଂ ଉତ୍ସାହର ସହିତ ଏହି ପାତ୍ର   ଶ୍ରୀ ମହତାବଙ୍କୁ ଦେଖାଇ ଏହା 'କଣ୍ଟିଲୋ ପଟ୍' ବୋଲି କହିଥିଲେ  । କଣ୍ଟିଲୋ ନାମ ଶୁଣି ସାଂସଦ ଶ୍ରୀ ମହତାବ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ  ସେତିକି ମଧ୍ୟ ଗର୍ବ ଅନୁଭବ କରିଥିଲେ  ।   ଅନୁରୂପ ଭାବେ ଖଳିସାହିର କମନୀୟ ମୂର୍ତ୍ତି ଗୁଡ଼ିକର ଚାହିଦା ଆମ ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ, ସମ୍ବଲପୁର,ରାଉରକେଲା ଭଳି ବଡ଼ ବଡ଼ ସହରରେ କେବଳ ନୁହେଁ ଦିଲ୍ଲୀ,ମୁମ୍ବାଇ,କୋଲକତା,ଚେନ୍ନାଇ, ବାଙ୍ଗାଲୋର,ହାଇଦ୍ରାବାଦ ସମେତ ଦେଶର ଅନେକ ସହରରେ ମଧ୍ୟ ରହିଛି  । ଏପରିକି ଆମେରିକା ସମେତ ଅନେକ ଦେଶକୁ ମଧ୍ୟ ଏଠାର ମୂର୍ତ୍ତି ବରାଦ ମୁତାବକ ରପ୍ତାନୀ ହେଉଅଛି  । ତେବେ, ଦେଶ,ବିଦେଶରେ ମହତ୍ତ୍ୱ ଏବଂ ଗୁରୁତ୍ୱ ଥିବା ଏହି ଦୁଇଟି ଗ୍ରାମକୁ ବାରମ୍ବାର ଦାବୀ ସତ୍ୱେ କେନ୍ଦ୍ର ସରକାର 'କଳାଗ୍ରାମ'ର ମାନ୍ୟତା ପ୍ରଦାନ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାକୁ ନେଇ  ସାମଗ୍ରୀକ ସ୍ତରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  । ପୁରୀ ଜିଲା ରଘୁରାଜପୁରକୁ ଯେଭଳି 'କଳାଗ୍ରାମ' ଭାବେ ଘୋଷଣା କରାଯାଇଛି ଅନ୍ତତଃପକ୍ଷେ ସେହି ଆଧାରରେ କଣ୍ଟିଲୋ ଏବଂ ଖଳିସାହିକୁ ଏହି ମର୍ଯ୍ୟାଦା ପ୍ରଦାନ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି  ।