ରାସ୍ତା ଶୋଚନୀୟ
ରାଜନଗର : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ଏକମାତ୍ର ସ୍ଥଳପଥ ରାଜନଗର-ତାଳଚୁଆ ପୂର୍ତ ବିଭାଗ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବିଶେଷକରି ଘଡିଆମାଳ ଗ୍ରାମ ମଧ୍ୟରେ ପ୍ରାୟ ଶହେ ମିଟର ରାସ୍ତା ଖାଲଖମାରେ ବିପର୍ଯ୍ୟସ୍ତ ହୋଇପଡିଥିଲେ ମଧ୍ୟ ବିଭାଗ ନିଦାବିଷ୍ଣ ସାଜିଛି । ଅସରାଏ ବର୍ଷାରେ ରାସ୍ତା ଉପରେ ପାଣି ଜମି ନାଳ ଗାଡିଆର ଭ୍ରମ ସୃଷ୍ଟି କରୁଛି । ଅନେକ ସମୟରେ ବାଇକ ଓ ତିନିଚକିଆ ଅଟୋ ଖାଲରେ ପଡି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି । ସୂଚନା ଥାଉକି, ଏହି ରାସ୍ତାରେ କେବଳ ପର୍ଯ୍ୟଟକ ନୁହଁନ୍ତି, ବ୍ଲକ ସଦର ମହକୁମାକୁ ଯିବା ଆସିବା କରିବା ପାଇଁ ୯ଟି ପଞ୍ଚାୟତର ଏହା ମୁଖ୍ୟ ରାସ୍ତା । ଘଡିଆମାଳ, ଈଶ୍ୱରପୁର, ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରୀ, ରଙ୍ଗଣୀ ଓ କେରୁଆଁପାଳ ପଞ୍ଚାୟତର ହଜାର ହଜାର ଲୋକେ ବ୍ଲକ ସଦର ମହକୁମା ସହ ବାହାରକୁ ଯାଇଥାନ୍ତି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡି ରହିଛି । ଏସଂପର୍କରେ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।