ତୋଫାନ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଗିରଫ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ
ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମର ତୋଫାନ ସ୍ୱାଇଁ ହତ୍ୟା ମାମଲାରେ ଜଡିତ ଅନ୍ୟ ଅପରାଧୀମାନଙ୍କୁ ଗିରଫ କରିବା ଦାବି ନେଇ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଗଞ୍ଜାମ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସ୍ପିଙ୍କ ଅନୁପସ୍ଥିତରେ ଅତିରିକ୍ତ ଏସ୍ପି ରଂଜିତ କୁମାର ପୃଷ୍ଟିଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଉଲ୍ଲେଖ ଯେ, ଜୁଲାଇ ୧ ତାରିଖରେ ଗୋବା ଗ୍ରାମର ତୋଫାନ ସ୍ୱାଇଁଙ୍କୁ ସଂଘବଦ୍ଧ ଭାବେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏଥିରେ ଜଡିତ ୮ଜଣଙ୍କୁ ଛତ୍ରପୁର ଥାନା ଗିରଫ କରିଥିବାବେଳେ ଅନ୍ୟ ଆସାମୀମାନେ ଗିରଫ ହୋଇନାହାନ୍ତି । ସେମାନେ ଅବାଧରେ ଗୋବା ଗ୍ରାମ ଆଖପାଖରେ ନିର୍ବିଘ୍ନରେ ବୁଲୁଛନ୍ତି । ଆସାମୀମାନେ ଗ୍ରାମର ବିଭିନ୍ନ ପିଲାମାନଙ୍କୁ ହ୍ୱାଟସଆପ୍ ମାଧ୍ୟମରେ କଲ କରି ଧମକାଇ ମୁଖ୍ୟ ସାକ୍ଷୀମାନଙ୍କୁ ଡରାଉଛନ୍ତି । ଏଣୁ ସେମାନେ ଭୟଭୀତରେ ଅଛନ୍ତି ବୋଲି କହିଛନ୍ତି ପରିବାର ଲୋକ । ତେଣୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପରିବାର ବର୍ଗ ଓ ସମ୍ପର୍କୀୟମାନେ ଅତିରିକ୍ତ ଏସ୍ପିଙ୍କ ଠାରେ ଦାବି କରିଥିଲେ ।